ଥମୁନି ଜେଏନୟୁ ଛାତ୍ର ଆନ୍ଦୋଳନ
ନୂଆଦିଲ୍ଲୀ: ଦୀର୍ଘ ତିନି ସପ୍ତାହ ଧରି ଚାଲିଥିବା ଜେଏନୟୁ ଛାତ୍ର ଆନ୍ଦୋଳନ ଥମିବାର ନାଁ ଧରୁନି । ବେଳକୁ ବେଳ ଏହା ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଲାଠି ମାଡ଼ ଘଟଣାକୁ ଜେଏନୟୁ ଛାତ୍ର ସଂସଦ ନିନ୍ଦା କରିଛି । ମଙ୍ଗଳବାର ସନ୍ଧ୍ୟାରେ ଫ୍ରିଡମ୍ ସ୍କୋୟାରଠାରେ ଜେଏନୟୁଏସୟୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ଐଶୀ ଘୋଷ୍ ପୁଲିସର “ଅମାନବୀୟ କାର୍ଯ୍ୟ’କୁ ନିନ୍ଦା କରିଛନ୍ତି । ଏ ଘଟଣାରେ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର ସଂସଦ । ସେହିଭଳି ବିଶ୍ୱବିଦ୍ୟାଳୟର କୁଳପତି ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ଆନ୍ଦୋଳନକାରୀ ଛାତ୍ରମାନେ ଦାବି କରିଛନ୍ତି । ଛାତ୍ରୀମାନେ ପୁରୁଷ ପୁଲିସଙ୍କ ଦ୍ୱାରା ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଛାତ୍ର ସଂସଦ ସଭାନେତ୍ରୀ ଅଭିଯୋଗ କରିଛନ୍ତି । ସେହିଭଳି ଶାରୀରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ପୁଲିସର ଅତ୍ୟାଚାରରୁ ବର୍ତ୍ତି ନାହାନ୍ତି ବୋଲି ଜେଏନୟୁ ଦୃଷ୍ଟିହୀନ ଛାତ୍ର ସଂଘ ଅଭିଯୋଗ ଆଣିଛି । ତେବେ ହଷ୍ଟେଲ୍ ଫି ବୃଦ୍ଧି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି । ଗତକାଲି ବଳପୂର୍ବକ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ଏବଂ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଛାତ୍ର ସଂସଦର ସଦସ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି । ଛାତ୍ରଛାତ୍ରୀମାନେ ସଂସଦ ଭବନ ବାହାରେ ଥିବା ବ୍ୟାରିକେଡକୁ ଡେଇଁ ୧୪୪ ଧାରା ଜାରି ହୋଇଥିବା ସତ୍ତ୍ୱେ ସଂସଦ ଭବନ ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏଣୁ ଛାତ୍ର ସଂସଦର ସଦସ୍ୟଙ୍କ ବିରୋଧରେ ଆଜି କିସାନଗଡ଼ ଥାନାରେ ଆଇପିସିର ଧାରା ୧୮୬ ଏବଂ ୩୫୩ ଅନୁସାରେ ଏଫ୍ଆଇଆର୍ ରୁଜୁ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । ପୁଲିସର କହିବା ଅନୁଯାୟୀ, ଗତକାଲିର ଘଟଣାରେ ୩୦ ପୁଲିସ କର୍ମଚାରୀ ଏବଂ ୧୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । କଂଗ୍ରେସ ନେତା ଦିଗବିଜୟ ସିଂହ ଜେଏନୟୁ ଛାତ୍ର ଆନ୍ଦୋଳନକୁ ସମର୍ଥନ ଦେବା ସହିତ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛନ୍ତି । ଜେଏନୟୁ ପ୍ରଶାସନ ଉପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାତ୍ରାଧିକ ହସ୍ତକ୍ଷେପକୁ ଦିଗ୍ବିଜୟ ନିନ୍ଦା କରିଛନ୍ତି ।


