ଦରମା ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନିଜର ହକ୍ ପାଇଁ ଲଢ଼େଇ କରି ସମାନ କାମକୁ ସମାନ ଦରମା ବୃଦ୍ଧି କରିବା ନିମନ୍ତେ ଗୁରୁବାର ଗଂଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସମସ୍ତ ସହରାଞ୍ଚଳ ରୁ ଆସିଥିବା ସ୍ବଛସାଥି ଓ ସ୍ବଛ ସୁପରଭାଇଜର୍ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ଜିଲ୍ଲା ସଭାପତି ସଞ୍ଜୁକ୍ତା ଦାସ ଓ ସଂପାଦକ ସୁଦଣ୍ଣା ନାୟକଙ୍କ ତତ୍ବାବଧାନରେ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ସଂମ୍ବଳିତ ପତ୍ର ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ଦିନର ଉକ୍ତ ଦାବି ଗୁଡ଼ିକୁ ନେଇ ସେମାନଙ୍କ କହିବା ପ୍ରକାରେ ଦିର୍ଘ ଧରି ଉତ୍ତମ ସେବା ଯୋଗାଇ ଆସୁଛନ୍ତି । କୋଭିଡ଼ ଭଳି ମହାମାରୀ ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଜୀବନ କୁ ବାଜି ଲଗାଇ ଲୋକଙ୍କ ପାଖରେ ପହଞ୍ଚି ଉତ୍ତମ ସମ୍ପର୍କ ଆଧାରରେ ସେବା ପ୍ରଦାନ କରିଛୁ । ତତ୍ ସହିତ ସହରର ପରିବେଶ ଓ ପ୍ରଦୂଷଣର ନିୟନ୍ତ୍ରଣକୁ ନେଇ ପ୍ରତିଦିନ ସଫେଇ କାର୍ଯ୍ୟ ସଠିକ୍ ଭାବେ ନିର୍ବାହ କରି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଉଛୁ । ଏପରିକି ଓଦା ଅଳିଆ ଓ ସୁଖିଲା ଅଳିଆ କିପରି ଅଲଗା ଅଲଗା ହେବ ସେନେଇ ଲୋକଙ୍କୁ ସଚେତନ କରିବା ସହିତ ଘରକୁ ଘର ଯାଇ ଟ୍ୟାକ୍ସ କଲେକ୍ସନ କରି ଏନ୍. ଏ.ସି ଅଫିସ ରେ ଦାଖଲ କରି ସମ୍ପୂର୍ଣ୍ଣ ସହଯୋଗ କରୁଛୁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ବନ୍ଧୀୟ କାର୍ଯ୍ୟ ସ୍ବଛସାଥି କର୍ମୀ ଓ ସୁପରଭାଇଜର୍ ମାନେ ଅତି ଧର୍ଯ୍ୟର ସହ ତୁଲାଇ ଥାନ୍ତି । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏହିକି ଯେ , ସରକାର କାର୍ଯ୍ୟରତ ସ୍ବଛସାଥି ଓ ସୁପରଭାଇଜରଙ୍କ ଉଚ୍ଚିତ୍ ସେବାର ଉଚ୍ଚିତ୍ ପାରିଶ୍ରମିକ ମୂଲ୍ୟ ପ୍ରଦାନ କରାଯାଉ ନାହିଁ । ଯାହା ଦିର୍ଘ ୫ ବର୍ଷ ଧରି କାର୍ଯ୍ୟରତ ସ୍ବଛସାଥି କର୍ମୀ ମାନେ ମାସିକ ମାତ୍ର ୪ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସୁପରଭାଇଜର୍ ମାନଙ୍କୁ ମାସିକ ମାତ୍ର ୮ ହଜାର ଟଙ୍କା ପ୍ରଦାନ କରା ଯାଉଛି । ଯାହା ଆଜିକାଲିର ମହଙ୍ଗା ଦୁନିଆରେ ତେଲଲୁଣ ସଂସାର ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ଯାହା ଜୀବନ ଜୀବିକାକୁ ନେଇ ସମୂହ ସ୍ବଛସାଥି ଓ ସୁପରଭାଇଜର୍ କର୍ମୀ ମାନେ ବହୁ କଷ୍ଟ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଓ ସମସ୍ୟାକୁ ନେଇ ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ନିକଟରେ ଦରମା ବୃଦ୍ଧି କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ ସ୍ବଛସାଥି ସଂଘ । ଏପରିକି ସେତେବେଳେ ଆନ୍ଦୋଳନକୁ ବ୍ୟାପକ କରି ସମସ୍ତ ସ୍ବଛସାଥି ଓ ସୁପରଭାଇଜର୍ ମହିଳା ଏକାଠି ହୋଇ ଭୁବନେଶ୍ୱର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରି ଆପତ୍ତି ଅଭିଯୋଗ ଜଣାଇଥିଲେ । ସେତେବେଳେ ସରକାର ସ୍ବଛସାଥି ମହିଳାଙ୍କ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟି ଦେଇ ଅର୍ବାନ ଡିପାର୍ଟମେଣ୍ଟ୍ ତରଫରୁ ସରକାରୀ ଚିଠି ନଂ ୫୯୯୩ ତା-୧୨.୦୩.୨୦୨୪ ରିଖ ମାଧ୍ୟମରେ ୪ ହଜାରରୁ ବୃଦ୍ଧି କରି ୮ ହଜାର ଟଙ୍କା କରାଯିବା ସହିତ ସ୍ବଛ ସୁପରଭାଇଜରଙ୍କ ମଧ୍ୟ ୮ ହଜାରରୁ ୧୨ ହଜାର ଟଙ୍କା ଦରମା ବୃଦ୍ଧି ନିମନ୍ତେ ମଧ୍ୟ ସରକାରୀ ଚିଠି ନଂ-୬୦୦୩ ସଂଖ୍ୟାରେ ଉଲ୍ଲେଖ କରାଯାଇ ସରକାରୀ ମୋହର ମାରିଥିଲେ । କିନ୍ତୁ ଏହି ପ୍ରତିଶ୍ରୁତି ଦେବାର ଆଜକୁ ପ୍ରାୟ ୪ ମାସ ବିତିବାକୁ ବସିଲାଣି । ହେଲେ ଉଭୟ ସ୍ବଛସାଥି ଓ ସୁପରଭାଇଜର୍ ମାନଙ୍କୁ ତାଙ୍କର ନୂତନ ଧାର୍ଯ୍ୟ ଅନୁଯାୟୀ ଦରମା ବୃଦ୍ଧି କରା ନଯାଇ ସେହି ପୁରୁଣା ଧାର୍ଯ୍ୟ ଦରାମା ପ୍ରଦାନ କରାଯାଉଛି । ଏନେଇ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଓଡ଼ିଶାରେ କାର୍ଯ୍ୟରତ ଥିବା ସମସ୍ତ ସ୍ବଛସାଥି ଓ ସୁପରଭାଇଜର୍ ଙ୍କ ଦରମା ସରକାରୀ ଚିଠି ଅନୁସାରେ ସ୍ବଛସାଥି ମାନଙ୍କୁ ୮ ହଜାର ଟଙ୍କା ଓ ସୁପରଭାଇଜର୍ ଙ୍କୁ ୧୨ ହଜାର ଟଙ୍କା ବୃଦ୍ଧି କରାଯାଉ ବୋଲି ପ୍ରତିବାଦ କରି ଗଂଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନହେଲେ ଆଗାମୀ ୨୯ ତାରିଖରେ ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଜୋରଦାର ଆନ୍ଦୋଳନ କରିବ ଓଡ଼ିଶା ସ୍ବଛସାଥି ଓ ସୁପରଭାଇଜର୍ ସଂଘ । ଯାହାକୁ ନେଇ ସ୍ବଛସାଥି ସଭ୍ୟ ବବିତା ବେହେରା , ରିତାଞ୍ଜଳୀ ସାହୁ , ରଶ୍ମିତା ରାଉତ , ମିତାରାଣୀ ପାଢ଼ୀ ,ବି. ସଙ୍ଗିତା , ସଂଯୁକ୍ତା ମହାରଣା ,ପିଙ୍କି ପଣ୍ଡା ସମେତ ଜିଲ୍ଲାର ସମସ୍ତ ସ୍ବଛସାଥି କର୍ମୀ ଓ ସୁପରଭାଇଜର୍ ସଭ୍ୟ ମାନେ ଦାବି ପତ୍ର ପ୍ରଦାନ କରି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ।


