ଦଳିତଙ୍କ ଜମି ଜବରଦଖଲ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ; ଅଭିଯୋଗକୁ ପ୍ରଶାସନ ଓ ଆଇଆର୍ଇର ଖଣ୍ଡନ
ଛତ୍ରପୁର,(ଦେବଦତ୍ତ ମହାରଣା): ଦଳିତଙ୍କ ଜମି ଜବରଦଖଲକାରୀ ଆଇଆରଇ(ଭାରତୀୟ ବିରଳ ମୃତ୍ତିକା) ବିରୋଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମାନବ ଅଧିକାର ସୁରକ୍ଷା ମଞ୍ଚର ଜିଲ୍ଲା ସଭାପତି ଅବନୀ ଗୟାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦଳିତ ପରିବାର ଏକ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିବା ସହ ସେମାନଙ୍କ ଜମି ସେମାନଙ୍କୁ ଫେରାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଅଭିଯୋଗ ହେଉଛି, ପୁରୁଷାନୁକ୍ରମେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଉକ୍ତ ଜମିକୁ ଆଇଆରଇ ଜବରଦଖଲ କରି ମାଟି ଖୋଳି ନଷ୍ଟ କରି ଦେଇଛି । ଏଣୁ ଉକ୍ତ ଜମି ଆମର ହକ୍ ରହିଛି ତୁରନ୍ତ ସେହି ଜମିକୁ ଆମକୁ ଫେରାଇ ଦିଆଯାଉ ବୋଲି ନାରା ଦେଇଥିଲେ । ଏଥିସହ ଗଞ୍ଜାମ ଏସ୍ପିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏହି ସଂକ୍ରାନ୍ତରେ ମାନବ ଅଧିକାର ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଏବଂ ଦଳିତ ପରିବାରଙ୍କୁ ଡାକି ଆଲୋଚନା କରିଥିଲେ । ଆଇଆରଇ ୧୯୭୪ ମସିହାରେ ସରକାରୀ ଓ ବେସରକାରୀ ୧୮୪ ଏକର ଜମିକୁ କ୍ରୟ କରିଛି । ସେଠାରେ ଆଇଆରଇ କଲୋନି, ସ୍କୁଲ, ଖେଳପଡିଆ ଆଦି କରାଯାଇଥିବା ସହ ଖାଲି ଜମିକୁ ପାଚେରି ବେଢାଇ ରଖାଯାଇଛି । ଯଦି କୌଣସି ନଥିପତ୍ର ଅଛି ତେବେ ଦିଅନ୍ତୁ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ଭୋଇ କହିଥିଲେ । ଆମ ନିକଟରେ ଯାହା ଅଛି ତାହାକୁ କୋର୍ଟ ମାଧ୍ୟମରେ ପ୍ରଦାନ କରିବୁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଥିଲା । ଏହାପରେ ଏହି ଆନ୍ଦୋଳନର କୌଣସି ସମସ୍ୟା ବାଟ ବାହାରିନଥିଲା । କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପାଇଁ ଦଳିତ ପରିବାରକୁ ବିଭ୍ରାନ୍ତ କରାଯାଉଛି । ସେମାନଙ୍କ ଜମି ଥିବା ନେଇ ଦଳିତ ପରିବାରଙ୍କ ନିକଟରେ କୌଣସି ରେକର୍ଡ ପତ୍ର ନାହିଁ । ପୂର୍ବରୁ ଯେଉଁମାନେ ଦଖଲ କରିଥିଲେ ସେମାନେ ଆଇଆରଇକୁ ବିକ୍ରି କରିଦେଇଛନ୍ତି । ଏହାର ରେକର୍ଡ ପତ୍ର ସ୍ୱତନ୍ତ୍ର ଭୂ-ଅର୍ଜନ ବିଭାଗରୁ ମିଳିବ ବୋଲି ଦଳିତ ପରିବାରଙ୍କୁ ତହସିଲଦାର ପରାମର୍ଶ ଦେଇଛନ୍ତି । ସେହିପରି ଆଇଆରଇ କର୍ତ୍ତୃପକ୍ଷ ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆଇଆରଇ ୪୦ ବର୍ଷ ପୂର୍ବରୁ ସରକାରୀ ଓ ବେସରକାରୀ ଜମିକୁ କ୍ରୟ କରିଛି । ସେଠାରେ ଆଇଆରଇ କଲୋନି, ସ୍କୁଲ, ଖେଳ ପଡିଆ ଏବଂ ଅନ୍ୟାନ୍ୟ ପାଇଁ ପାଚେରୀ ବେଢାଇ ରଖିଛି । ତଥାପି ଉକ୍ତ ପରିବାରମାନେ ଉକ୍ତ ଜମିକୁ ଦଖଲ କରି ରଖିଥିଲେ । ଯେଉଁ ପରିବାରମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ନାମରେ ଜମିର କିଛି ପ୍ରମାଣପତ୍ର ନାହିଁ । ଉକ୍ତ ପରିବାରର କିଛି ଲୋକଙ୍କୁ ସେଠାରେ କାମରେ ନିୟୋଜିତ କରିବା ପାଇଁ କମ୍ପାନି ପକ୍ଷରୁ କୁହାଯାଇଥିଲା । ହେଲେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ସେମାନଙ୍କୁ ଉସୁକାଇ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି କହିଥିଲେ ।


