ଦାମୀ ଫୁଲ ବିଷୟରେ
ଦାମୀ ଫୁଲ ତ ଅନେକ ଦେଖିଥିବେ ଆଉ କିଣିଥିବେ । ହେଲେ ଏଠାରେ
ଯେଉଁ ଫୁଲଗୁଡ଼ିକ ବିଷୟରେ କୁହାଯାଉଛି, ତାହାକୁ କିଣିବା ଟିକେ କଷ୍ଟକର । କାରଣ ସେଗୁଡିକର ଦାମ୍ ସାଧାରଣ ଫୁଲ ଦାମଠାରୁ ଢେର୍ ଗୁଣା ଅଧିକ । ସେଥିପାଇଁ ତ ଏଗୁଡ଼ିକୁ ଦାମୀ ଫୁଲ ତାଲିକାରେ ସାମିଲ କରାଯାଇଛି ।
କଦୁପୁଲ ଫ୍ଲାୱାର୍: ଏହା ଏକ ଦୁର୍ଲ୍ଲଭ ଫୁଲ । ଖୁବ୍ କମ୍ ସମୟ ପାଇଁ କେବଳ ରାତିରେ ହିଁ ଏହା ଫୁଟେ । କିନ୍ତୁ ଯେତିକି ସମୟ ପାଇଁ ଫୁଟେ, ଏହାର ବାସ୍ନାରେ ଚାରିଆଡ଼ ମହକିଯାଏ । ତେଣୁ ଏହି ଫୁଲର ମୂଲ୍ୟ ସମ୍ପର୍କରେ କିଛି ବି ଠିକ୍ କହି ହୁଏ ନାହିଁ । ଏହାକୁ ଏକ ଅମୂଲ୍ୟ ଫୁଲ ଭାବେ ଗଣନା କରାଯାଇଥାଏ ।
ଜୁଲିଏଟ୍ ରୋଜ୍: ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୋଲାପ ଫୁଲ ବୋଲି କୁହାଯାଏ । ୨୦୦୬ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଚେଲ୍ସି ଫ୍ଲାୱାର୍ ଶୋ’ରେ ସର୍ବପ୍ରଥମେ ଏହି ଫୁଲର ପ୍ରଦର୍ଶନୀ ହୋଇଥିଲା । ଯେଉଁଠାରେ ଏହି ଫୁଲର ଏକ ବୁକେର ଦାମ୍ ରଖାଯାଇଥିଲା ପ୍ରାୟ ୧୫.୮ ମିଲିୟନ୍ ଡଲାର୍ ।
ଶେନଜେନ୍ ନଙ୍ଗକେ ଅର୍କିଡ୍: ଅର୍କିଡ୍ ପ୍ରଜାତିର ଏହି ଦୁର୍ଲ୍ଲଭ ଫୁଲକୁ ଚାଷ କରିବା ଏତେ ସହଜସାଧ୍ୟ ନ ଥିଲା । ଏଥିପାଇଁ ଏକ ଏଗ୍ରିକଲଚର୍ ରିସର୍ଚ୍ଚ ଅର୍ଗାନାଇଜେଶନକୁ ପ୍ରାୟ ୫ ବର୍ଷ ପରିଶ୍ରମ କରିବାକୁ ପଡିଥିଲା । ତେଣୁ ଏହା ଯେବେ ନିଲାମ ହେଲା, ଏହାର ବଜାର ମୂଲ୍ୟ ଥିଲା ପ୍ରାୟ ୨୦୦,୦୦୦ ଡଲାର ।
ଗୋଲ୍ଡ ଅଫ୍ କିନାବାଲୁ ଅର୍କିଡ୍ : ଏହି ଅର୍କିଡ୍ ମୁଖ୍ୟତଃ ମାଲେସିଆ ସ୍ଥିତ କିନାବାଲୁ ନ୍ୟାଶନାଲ ପାର୍କରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଏହାର ଗୋଟିଏ ଫୁଲ ପ୍ରାୟ ଛଅ ହଜାର ଡଲାରରେ ବିକ୍ରି ହେଉଥିବା ସୂଚନା ରହିଛି ।
ସାଫ୍ରନ୍ କ୍ରକ୍ସ : ଏହି ଫୁଲରୁ ସାଫ୍ରନ୍ ବା କେଶର ମିଳିଥାଏ । ହେଲେ ଖୁବ୍ କମ୍ ପରିମାଣର କେଶର ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଏହି ଫୁଲର ଆବଶ୍ୟକତା ପଡ଼ିଥାଏ, ଯାହାକି ଖୁବ୍ ବ୍ୟୟବହୁଳ । ତା’ଛଡ଼ା ଏହି ଫୁଲର ମୂଲ୍ୟ ଓଜନ ଅନୁସାରେ ନିରୂପଣ ହୁଏ । କୁହାଯାଏ, ଗୋଟେ ପାଉଣ୍ଡ ଓଜନର ଏହି ଫୁଲକୁ କୁଆଡେ ହଜାରେରୁ ଊଦ୍ଧ୍ୱର୍ ଡଲାରରେ ବିକ୍ରି କରାଯାଏ ।
ଟ୍ୟୁଲିପ୍ ବଲ୍ବ : ମୁଖ୍ୟତଃ ଏହା ନିଜର ରୂପ, ରଙ୍ଗ ଓ ଦୁର୍ଲ୍ଲଭତା ପାଇଁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କର ଷ୍ଟାଟସ୍ ସିମ୍ବଲ ଭାବେ ସବୁବେଳେ ପରିଗଣିତ ହୋଇଆସିଛି । ଏପରିକି ସପ୍ତଦଶ ଶତାବ୍ଦୀରେ ଏହି ଫୁଲର ଏକ ବୁକେର ମୂଲ୍ୟ ପ୍ରାୟ ୫,୭୦୦ ଡଲାର ଥିଲା । ଏଥିରୁ ଅନୁମାନ କରିହୁଏ ଯେ, ଏହା କେତେ ଦାମୀ ଫୁଲ ।
ଗ୍ଲୋରିଓସା: ଏହି ଫୁଲର ମଧ୍ୟ ବିଭିନ୍ନ ରଙ୍ଗ ରହିଛି । ଯେମିତିକି ହଳଦିଆ/ କମଳା/ ଗାଢ ନାଲି କିମ୍ବା ହଳଦିଆ-ସବୁଜ ମିଶ୍ରିତ ରଙ୍ଗ । ତେବେ ଯେ କୌଣସ ରଙ୍ଗରେ ହେଉନା କାହିଁକି ଏହାର ଗୋଟିଏ ଫୁଲର ମୂଲ୍ୟ ପାଖାପାଖି ୬ରୁ ୧୦ ଡଲାର୍ ଭିତରେ ରହୁଥିବା ଅନୁମାନ କରାଯାଏ ।
ହାଇଡ୍ରାଞ୍ଜିଆ: ଏହି ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ । ଏହାର ବିଭିନ୍ନ ରଙ୍ଗ ମଧ୍ୟ ରହିଛି । ମୁଖ୍ୟତଃ ବାହାଘର, ପାର୍ଟି ଫଙ୍କଶନ୍ରେ ଘର ସାଜସଜ୍ଜା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହାର ଗୋଟିଏ ପେନ୍ଥାର ମୂଲ୍ୟ ପ୍ରାୟ ୬.୫ ଡଲାର ରହୁଥିବା ସୂଚନା ରହିଛି ।
ଲିଲି ଅଫ୍ ଦ ଭ୍ୟାଲି: ଏହା ଏକପ୍ରକାର ସୁଗନ୍ଧିତ ପୁଷ୍ପ । ସୂଚନାନୁଯାୟୀ, ବସନ୍ତ ଋତୁରେ ଏହି ଫୁଲ ମାତ୍ର କିଛି ସପ୍ତାହ ପାଇଁ ହିଁ ଫୁଟିଥାଏ । ତେଣୁ ଏହାର ମୂଲ୍ୟ ଟିକେ ଅଧିକ ଥାଏ । ଏହି ଫୁଲର ଗୋଟିଏ ବଣ୍ଡଲ୍ ପ୍ରାୟ ୧୫ରୁ ୫୦ ଡଲାର୍ ଭିତରେ ବିକ୍ରି ହେଉଥିବା ଅନୁମାନ କରାଯାଏ ।
ଲିସିଆନ୍ଥୁସ୍: ଏହା ବି ଏକ ଦାମୀ ଫୁଲ ଭାବେ ଜଣାଯାଏ । ଏହାର ମଧ୍ୟ ବିଭିନ୍ନ ରଙ୍ଗ ରହିଛି । ସୂଚନାନୁଯାୟୀ, ଏହି ଫୁଲର ଗୋଟିଏ ବଣ୍ଡଲ୍ ପ୍ରାୟ ୧୦ରୁ ୩୫ ଡଲାର୍ ମଧ୍ୟରେ ବିକ୍ରି ହୋଇଥାଏ ।


