ଦିଗପହଣ୍ଡି ବ୍ଳକସ୍ତରୀୟ ସମନ୍ୱୟ ମେଳା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ମେଳାରେ ଦିଗପହଣ୍ଡି ବିଡିଓ ହଳଧର ଶବର , ଭାରପ୍ରାପ୍ତ ଜିପିଓ ଉମେଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ତଥା ରୋଜଗାରକ୍ଷମ ନିମନ୍ତେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ପ୍ରତ୍ୟେକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଲକ୍ଷ୍ୟ ରଖି ବ୍ଳକ ଅଧିନରେ ଥିବା ପ୍ରାୟ ୧୭୦୦ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟରୁ ୧୭୨ ଗୋଟି ଗୋଷ୍ଠୀ ପାଇଁ ବ୍ଯାଙ୍କ ଋଣ ପ୍ରଦାନ ନିମନ୍ତେ ୩ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। କିଛି ନିର୍ଦ୍ଦିଷ୍ଟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ଋଣ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସମନ୍ୱୟ ମେଳାରେ ଦିଗପହଣ୍ଡି , ଭୀଷ୍ମଗିରି , ନୂଆପଡ଼ା , ପଦ୍ମନାଭପୁୁର , ବମକୋଇ , ସିଦ୍ଧେଶ୍ୱର ଓ ଖାରିଆଗୁଡା ଗ୍ରାମରେ ରହିଥିବା ବିଭିନ୍ନ ବ୍ୟାଙ୍କ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ମିଶନଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ଅଜୟ ସାହୁ ଙ୍କ ସଂଯୋଜନା ରେ ସମସ୍ତ ଅଙ୍ଗନୱାଡ଼ି ସୁପରଭାଇଜର ଓ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


