ଦିଲ୍ଲୀ ବାଟବଣା, ମୁମ୍ବାଇ ଶୀର୍ଷରେ ଦୃଢ଼
ନୂଆଦିଲ୍ଲୀ: ବହୁ ଦିନ ଧରି ଶୀର୍ଷରେ ରହିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମେ ପଏଣ୍ଟ ଟେବୁଲରେ ଦବି ଦବି ଚାଲିଛି। ଲଗାତାର ୪ ପରାଜୟ ସହିତ ଶ୍ରେୟସ ଆୟରଙ୍କ ଦଳ ମଧ୍ୟ ଆଶଙ୍କା ଭିତରେ ପଡ଼ିଯାଇଛି। ଶନିବାର ଦିନବେଳା ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଶୋଚନୀୟ ଭାବେ ୯ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ ଦୃଢ଼ କରି ନେଇଛି। ପୂର୍ବରୁ ପ୍ଲେ ଅଫ୍ ସ୍ଥାନକୁ ପକ୍କା କରି ସାରିଥିବା ମୁମ୍ବାଇକୁ ଶନିବାର ବୋଲିଂରେ ଟ୍ରେଣ୍ଟ୍ ବୋଲ୍ଟ, ଯଶପ୍ରୀତ୍ ବୁମରା ଏବଂ ବ୍ୟାଟିଂରେ ଈଶାନ କିଷନ ପ୍ରଭାବୀ ପ୍ରଦର୍ଶନ କରି ଜିତାଇଥିଲେ। ଅପରାଜିତ ୭୨ ରନ୍ ପାଇଁ ଈଶାନ କିଷନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଈଶାନ ପୁରସ୍କାର୍ ପାଇବା ପରେ ନିଜ ଖାଦ୍ୟ ଅଭ୍ୟାସ ପାଇଁ ମା’ଙ୍କୁ ଏବଂ ଅଫ୍ ସାଇଡ୍ ସଟ୍ ଖେଳ ଲାଗି ପରାମର୍ଶ ଦେଇଥିବାରୁ ପ୍ରଶିକ୍ଷକଙ୍କୁ ଶ୍ରେୟ ଦେଇଥିଲେ । ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ କିରଣ ପୋଲାର୍ଡ ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ଦଳର ବୋଲରମାନେ। ବିଶେଷ କରି ନୂଆ ବଲରେ ଟ୍ରେଣ୍ଟ୍ ବୋଲ୍ଟ ଘାତକ ବୋଲିଂ କରି ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ ଓ ଶିଖର ଧାୱନଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ପାୱାର ପ୍ଲେ ଓଭର ଶେଷ ସୁଦ୍ଧା ଦିଲ୍ଲୀ ୨୨/୨ରେ ସଂଘର୍ଷ କରିଥିଲା। ମଧ୍ୟଓଭର ଗୁଡିକରେ ଯଶପ୍ରୀତ୍ ବୁମରା ଏବଂ ସ୍ପିନ୍ ଯୋଡ଼ି କୃନାଲ ପାଣ୍ଡ୍ୟାା ଓ ରାହୁଲ ଚହର ଦିଲ୍ଲୀକୁ ମଧ୍ୟ ଉଠିବାକୁ ଦେଇନଥିଲେ। ସବୁ ବୋଲର ମିତବ୍ୟୟୀ ବୋଲିଂ କରି ଶ୍ରେୟସ ଆୟରଙ୍କ ଦଳକୁ ବାନ୍ଧି ରଖିଥିଲେ। ଗୋଟିଏ ଓଭରରେ (୧୨) ମାର୍କସ ଷ୍ଟୋଇନିସ୍ ଓ ଋଷବ ପନ୍ତଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ଦିଲ୍ଲୀର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ ଶ୍ରେୟସ ଆୟର୍ ସର୍ବାଧିକ ୨୫ ରନ୍ କରିଥିବା ବେଳେ ବୋଲ୍ଟ ଏବଂ ବୁମ୍ରା ତାଙ୍କ ମିଳିତ ୮ ଓଭରରେ ୩୮ ରନ୍ ଦେଇ ୬ ୱିକେଟ୍ ଦଖଲ କରିବାରୁ ଦିଲ୍ଲୀ ୧୧୦/୯ରେ ସୀମିତ ରହିଯାଇଥିଲା । ଜବାବରେ ମୁମ୍ବାଇ ସତର୍କତାର ସହ ଖେଳିବା ପରେ ରନ୍ ଗତି ବଢ଼ାଇଥିଲା। କ୍ବିଣ୍ଟନ୍ ଡି’କକ୍ (୨୬, ୨୮ ବଲ) ଜଗି ରଖି ଖେଳିଥିଲେ। ଝାଡ଼ଖଣ୍ଡ ତାରକା ଈଶାନ କିଷନ (୭୨*, ୪୭ ବଲ) କିନ୍ତୁ ନିଜ ସ୍ବାଭାବିକ ବ୍ୟାଟିଂ କରି ଅପରାଜିତ ରହିଥିଲେ। ଅନରିକ୍ ନର୍ଖିୟାଙ୍କୁ ସ୍କୋୟାର ଲେଗ୍ ଉପରେ ଛକା ମାରି ଈଶାନ ମଧ୍ୟ ଷ୍ଟାଇଲରେ ମ୍ୟାଚ୍ ଶେଷ କରିଥିଲେ। ୫.୪ ଓଭର ବଳକା ଥାଇ ୯ ୱିକେଟରେ ଜିତିବା ମୁମ୍ବାଇର ନେଟ୍ ରନ୍ ରେଟ୍କୁ ଏଭଳି ସ୍ଥିତିକୁ ନେଇଛି ଯେ ଦଳ ଗ୍ରୁପ୍ ପର୍ଯ୍ୟାୟରେ ବିଜେତା ହେବା ନିଶ୍ଚିତ।


