ମତ୍ସ୍ୟ, ଦୁଗ୍ଧଚାଷ ପାଇଁ ବ୍ୟାଙ୍କ ଅଧିକାରୀଙ୍କ ଆନ୍ତରିକତା ୩ ମାସରେ ଦେଇଛନ୍ତି ୧% ଋଣ

ନୂଆଦିଲ୍ଲୀ: ରାଜ୍ୟ ପାଇଁ ପ୍ରତିବର୍ଷ ଋଣ ଯୋଜନା ପ୍ରସ୍ତୁତ କରାଯାଇଥାଏ। କେଉଁ କ୍ଷେତ୍ରକୁ କେତେ ଋଣର ଆବଶ୍ୟକତା ରହିଛି ତାହାକୁ ଆକଳନ କରି ଏହି ଯୋଜନା ପ୍ରସ୍ତୁତ କରାଯାଇଥାଏ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଗ୍ରାଧିକାର କ୍ଷେତ୍ର ଗୁଡ଼ିକ ନିମନ୍ତେ ୯୦,୩୯୫ କୋଟି ୬୯ ଲକ୍ଷ ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଋଣ ପାଇଁ ଯୋଜନା ହେଉଛି, କିନ୍ତୁ ଋଣ ପ୍ରଦାନର ଅଗ୍ରଗତି ସେତେଟା ହେଉନାହିଁ। ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବା ଲାଗି ଆନ୍ତରିକତା ଦେଖାଉ ନଥିବା ଜଣାପଡ଼ୁଛି। ନିକଟରେ ଅନୁଷ୍ଠିତ ୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରୁ ଏଭଳି ସଙ୍କେତ ମିଳିଛି। ଚଳିତବର୍ଷ ପାଇଁ ଅଗ୍ରାଧିକାର ‌କ୍ଷେତ୍ର ଲାଗି ୯୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ଯୋଜନା କରାଯାଇଥିବାବେଳେ ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରିଛନ୍ତି ପ୍ରାୟ ୧୮୨୨୪ କୋଟି ଟଙ୍କା। ୩ ମାସରେ ସାମଗ୍ରିକ ଦୃଷ୍ଟିରୁ ଅଗ୍ରାଧିକାର କ୍ଷେତ୍ରକୁ ୨୦ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି। କିନ୍ତୁ ଅଗ୍ରାଧିକାର କ୍ଷେତ୍ର ଭିତରେ ମତ୍ସ୍ୟ, ଦୁଗ୍ଧଚାଷ, କୃଷି ଭିତ୍ତିଭୂମି, ସାମାଜିକ ଭିତ୍ତିଭୂମି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ଋଣ ପ୍ରଦାନ ନୈରାଶ୍ୟଜନକ ରହିଛି। ମତ୍ସ୍ୟଚାଷ ପାଇଁ ଚଳିତ ଆର୍ଥିକ ବର୍ଷରେ ୧୦୮୮.୭୩ କୋଟି ଟଙ୍କାର ଋଣ ଯୋଜନା କରାଯାଇଛି । କିନ୍ତୁ ଏପ୍ରିଲରୁ ଜୁନ୍ ଅର୍ଥାତ୍ ପ୍ରଥମ ୩ ମାସରେ ବ୍ୟାଙ୍କଗୁଡ଼ିକ ଦେଇଛନ୍ତି ଏହାର ୧.୧୪% ବା ୧୨ କୋଟି ୩୮ ଲକ୍ଷ ଟଙ୍କା। ସେହିଭଳି ଦୁଗ୍ଧଚାଷ ପାଇଁ ବାର୍ଷିକ ଋଣ ଯୋଜନା ୧୭୬୭.୫୦ କୋଟି ଟଙ୍କା ରହିଥିବାବେଳେ ପ୍ରଥମ ତିନିମାସରେ ୧ ପ୍ରତିଶତ ଋଣ ବି ପ୍ରଦାନ କରାଯାଇନାହିଁ। ବ୍ୟାଙ୍କଗୁଡ଼ିକ ଏଥିପାଇଁ ମାତ୍ର ୦.୯୭% ବା ୧୭.୦୮ କୋଟି ଟଙ୍କାର ଋଣ ଦେଇଛନ୍ତି। ସେହିଭଳି କୃଷି ଭିତ୍ତିଭୂମି ବିକାଶ ପାଇଁ ୧୬୦୩.୯୨ କୋଟି ଟଙ୍କାର ଋଣ ଯୋଜନା ହୋଇଥିବାବେଳେ ୩ ମାସରେ ବ୍ୟାଙ୍କ ଦେଇଛନ୍ତି ୭୦.୨୫ କୋଟି ଟଙ୍କା ବା ବାର୍ଷିକ ଋଣ ଯୋଜନାର ୪.୩୮%। ସେହିଭଳି ଅକ୍ଷୟ ଶକ୍ତି ପାଇଁ ୧୨୩.୬୬ କୋଟି ଟଙ୍କାର ଋଣ ପ୍ରଦାନ ଯୋଜନା କରାଯାଇଥିବାବେଳେ ୩ ମାସରେ ପ୍ରଦାନ କରାଯାଇଛି ୩.୩୦ କୋଟି ଟଙ୍କା (୨.୬୭ ପ୍ରତିଶତ)। ଦୁଗ୍ଧଚାଷ ପାଇଁ ୩୩୩୭ ଜଣଙ୍କୁ ୧୭.୦୮ କୋଟି ଟଙ୍କା ଦିଆଯାଇଥିବାବେଳେ ମତ୍ସ୍ୟଚାଷ ପାଇଁ ୮୮୫ ଜଣଙ୍କୁ ୧୨.୩୮ କୋଟି, କୁକୁଡ଼ା ଚାଷ ପାଇଁ ୩୦୬୭ ଜଣଙ୍କୁ ୬୮.୮୬ କୋଟି ଏବଂ ଛେଳି ଓ ଘୁ‌ଷୁରୀ ଆଦି ଚାଷ ପାଇଁ ୨୨୩୫ ଜଣଙ୍କୁ ୩୮.୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଯଦି ଏସବୁ କ୍ଷେତ୍ରକୁ ଋଣ ପ୍ରଦାନ କରା ନଯାଏ ତା’ହେଲେ ଆତ୍ମନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ସମସ୍ୟା ଉପୁଜିବ। ଏସ୍‌ଏଲ୍‌ବିସି ବୈଠକରେ ବ୍ୟାଙ୍କଗୁଡ଼ିକ କମ୍‌ ଋଣ ପ୍ରଦାନ କରିଥିବା କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଆଲୋଚନା ‌ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ