“ଦୁହିତା” ଦୁଇକୁଳକୁ ହିତା : ଅନାମିକା ଦାସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ୧୮ ଦିନର ନିରବତା ପରେ ଘରେ ଯେମିତି ସବୁ ଚଳ ଚଞ୍ଚଳ, ବୋଉ କୋଭିଡ୍ ଆକ୍ରାନ୍ତ ହୋଇ ହସ୍ପିଟାଲରେ ପଡିବା ୧୮ ଦିନ ହେଲା । ସମସ୍ତେ ଉପରୁ ଦେଖାଯାଉଛନ୍ତି, ଯେପରି ସବୁ ଠିକ୍, ହେଲେ ମୁଁ ଆଉ ମାନସୀ ବାରମ୍ବାର ନିୟୁଜ୍ ଦେଖି ନିଜେ ନିଜକୁ ସାନ୍ତ୍ୱନା ଦେଲାପରି ନା ଆଜି କମିଛି କରୋନା କେସ୍, ହେଲେ ହସପିଟାଲ ବାଲା ମିଛଟାରେ ଡରାଉଛନ୍ତି ଖାଲିଟାରେ । ଖୁବ୍ ଗମ୍ଭୀର ସ୍ୱଭାବର ମାନସୀ ଥରଟିଏ ମୋ ଅଜାଣତରେ ହସ୍ପିଟାଲ ଯାଇ ନର୍ମ, ୱାର୍ଡ ବୟଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରି ନେଇ ସାରିଛି । ତେଣୁ ଫୋନ୍ ରିଙ୍ଗ୍ ହେଲେ, ସେପଟୁ କ’ଣ ଖବର ଆସିଲା ବଡ ଗର୍ବରେ ସେ ଶୁଣାଏ ବୋଉ ଠିକ୍ ହେଉଛନ୍ତି ଆମର, ଆଉ ବାସ୍ ଦିନେ, ଦୁଇ ଦିନରେ ଘରକୁ ଆସିପାରିବେ । ହେଲେ ଆଜି ଫୋନ୍ ରିସିଭ୍ କଲାପରେ ସେ ଗର୍ବ ଆଉ ଦିଶୁନଥିଲା, ବାସ୍ କହିଲା ଚାଲ ମେଡିକାଲ, ଆମେ ପହଞ୍ଚିବା ପରେ ଖବର ମୁଁ ପକ୍କା ହେଲି ବେଡ୍ ନଂ. ୧୦୮ ଆଉ ନାହାନ୍ତି । ସରକାରୀ କଟକଣା ହେତୁ ବଡି ହସ୍ତାନ୍ତର ହେବନି, ତଥାପି ଆମେ ଓ ପରେ ପରେ ପହଞ୍ଚିଥିବା ଭାଇ, ଅପା, ସମସ୍ତେ ବାହାରେ ଠିଆ ହେଉ ଥାଉ । ହସପିଟାଲର ବାରଣ୍ଡା ଜନଶୂନ୍ୟ ଏ ପରା କରୋନା ବିଭାଗ, କିଏ ବା କାହିଁ ଏଠି ନିଜ ଆତ୍ମିୟଙ୍କ ଲାଗି ଭିଡ ଜମେଇବେ । ମୁଁ ଅପା ଓ ଭାଇଙ୍କ ସହ କଥାରେ ବ୍ୟସ୍ତ, ୱାର୍ଡରୁ ବାହାରୁଥିବା ଦୁଇଜଣ ୱାର୍ଡ ବୟଙ୍କ କଥା କାନରେ ବାଜିଲା ହଁ ଏ କଳିଯୁଗ ଝିଅ ବୋଲି ସିନା ଡାକ୍ତରଙ୍କ ଗୋଡ ଧରି ପକେଇଲେ ସେ ମହିଳା, କି ଥରେ ଦେଖିବି ବୋଉକୁ, ନହେଲେ ଏ ଯୁଗରେ ଓ ଏ ଭୟଙ୍କର ବେମାରୀ ରେ କିଏ ବା କାହାର? ଆମେ ସେ ଆଡେ ଧ୍ୟାନ ଦେଇନଥିଲୁ, ହଠାତ୍ ଆଖି ପଡିଲା ଆରେ ମାନସୀ କାହିଁ? ଏବେ ତ ଆମ ପାଖେ ଠିଆ ହେଇଥିଲା । ସମସ୍ତେ ହସ୍ପିଟାଲ ଭିତରକୁ ଆଗେଇଲୁ, ବସିଛି ମାନସୀ ୱାର୍ଡ ବାହାର ଚେୟାରରେ, ପକେଟ୍ରୁ ସାନିଟାଇଜର କାଢ଼ି ସବୁଆଡେ ଟିକେ ପକାଇବା ପରେ ମାନସୀର ହାତରେ ଟୋପେ ପକାଇଲି ସେ ଚୁପ୍ । ତାକୁ ବୁଝାଇଲୁ ଚାଲ ଘରକୁ, ଆମର ଏଠି ବାସ୍ ବିଲ୍ ପଇଠ କରିବାର ଥିଲା, ସେମାନେ ତ “ବଡି” ହସ୍ତାନ୍ତର କରିବେନି । ତଥାପି ମାନସୀ ଚୁପ୍, ବାସ ଅପଲକ ନୟନରେ ଚାହିଁଥାଏ ସେ ୱାର୍ଡ ଆଡେ, ଜଣେ ନର୍ସ ବାହାରିଲେ, ମାନସୀ ଖିପ୍ର ଗତିରେ ଦୌଡିଗଲେ, ପିପିଇ କିଟ୍ ପରିହିତା ନର୍ସର ହାତ ଧରି କହିଲେ ଟିକେ ଦେଖିହେବନି ମାଡାମ୍, ନର୍ସମାନେ ନ ଶୁଣିଲା ପରି ଆଗକୁ ବଢ଼ି ଚାଲିଲେ, ଆଗକୁ ବଢ଼ିଯାଇ କହିଲେ “ବଡି” ଟା ପ୍ୟାକିଙ୍ଗ୍ ଚାଲିଛି, ଆଉ ନିଜ ନିଜ ଭିତରେ କହିଲେ ଆଜିକାଲି ସେଇ ଝିଅ ହିଁ ମା”ଲାଗି ବିକଳ । ପୁଅ-ବୋହୁଙ୍କର ନିଜ ଜୀବନ ଲାଗି ଭୟ ସେଥିଲାଗି ହସ୍ପିଟାଲରେ ପକେଇ ଦେଇ ଆଉ ଦେଖିବାକୁ ବି ଆସୁ ନାହାନ୍ତି । ମାନସୀ ଚୁପ୍, ପୁଣି ବସିଲା ସେ ଚେୟାରରେ ଏଥର ମୁଁ ଟିକେ ବିରକ୍ତ ହେଇ କହିଲି, ଚାଲ ଘରକୁ ସେମାନେ ଦେଖିବାକୁ ଦେବେନି, ସେତିକି ବେଳେ ଡାକ୍ତର ଆସି କହିଲେ ତାଙ୍କ ଝିଅ ଏତେ ଅନୁରୋଧ କରୁଛନ୍ତି ସେଥିଲାଗି ମୁଁ ୱାର୍ଡ ବୟଙ୍କୁ କହିଛି ୧୦୮ ବେଡ୍ର ବଡିଟାକୁ ଜରି ପ୍ୟାକିଙ୍ଗ୍ କଲାବେଳେ ପଛପଟ ଗେଟ୍ପାଖେ ଟିକେ ମୁହଁଟା ଦେଖେଇ ଦେବେ । ହଠାତ୍ ରାଗି ଉଠିଲେ ମାନସୀ, ଖୁବ୍ ଜୋର୍ରେ କହିଲେ ମୁଁ ଝିଅ ନୁହେଁ ମୁଁ ବୋହୁ, ଆଉ ସେ ବଡି ନୁହଁନ୍ତି ସେ “ଆମ ବୋଉ” । ପୁରା କରିଡର ଚୁପ୍ ନର୍ସ, ଡାକ୍ତର, ୱାର୍ଡ ବୟ ଦଉଡି ଆସିଲେ ମାନସୀର ପାଟି ଶୁଣି, ମାନସୀ ଦୀର୍ଘ ଦିନର ବେଦନା ଚାପି ରଖିଥିଲା, ଆଖିରୁ ଏବେ ବୋହି ଚାଲିଲା ଲୁହ ଆଉ ସେ କହିଚାଲିଥାଏ, “ଆମେ ଦୁହତା” ଦୁଇ କୁଳକୁ ହିତା ନୁହେଁ, ଦୁଇ କୁଳକୁ ପିତା” । ବାପ ଘରେ ହେତୁ ପାଇବାଠାରୁ ଶୁଣିବୁ ସେ ତ ପର ଘର ଯିବ, ତାକୁ କେଉଁ ବି ବଡ ନିଷ୍ପତିରେ ମିଶା ଯାଏନି, ଶାଶୁ ଘରକୁ ଆସିଲା ପରେ ସେ ତ ପର ଘରୁ ଆସିଛି ସେ କ’ଣ ବୁଝିବ ଆମ ଘର ସଂସ୍କାର, କାହା ମନ ! ସମସ୍ତେ ଚୁପ୍ ଚାପ୍ ଶୁଣୁଥାନ୍ତି, ଡାକ୍ତର ମତେ ଠାରିଦେଲେ ପଛ ଗେଟ୍କୁ ଯିବା ଲାଗି, ମାନସୀର ହାତ ଧରି ଟାଣି ଟାଣି ଚାଲିଲି, ସେପଟେ ଆମ୍ବୁଲାନ୍ସରେ ବଡି ନା’ ବୋଉକୁ ରଖା ସରିଛି, ପି.ପି.ଇ କିଟ୍ ପିନ୍ଧା ଲୋକଟେ କହିଲା ବାସ୍ ଦୂରରୁ ଦେଖନ୍ତୁ, ଏ ଭାଇରସ୍ ଖୁବ୍ ମାରାତ୍ମକ । ମୁଁ ଆଉ ମାନସୀକୁ ଅଟକାଇବାର ସାହାସ କରିଲି ନାହିଁ, ଦୀର୍ଘ ୧୮ଦିନ ସେ ଯେ ନିଜ ଭିତରେ ଏତେ କଥା ଲୁଚାଇ ରଖିଥିଲା, ଛାଡି ଦେଲି, ତାର ଯାହା ଇଛା ସେ କରୁ । ଅପା-ଭାଇ ଦୂରରେ ଠିଆ ହୋଇଥାନ୍ତି, ମାନସୀ ଆମ୍ବୁଲାନ୍ସ ପାଖକୁ ଯାଇ ବୋଉର ବାସ୍ ମୁହଁଟିକୁ ଦେଖୁଥାଏ, ଆଖିରୁ ଅନବରତ ଲୁହ ଗଡି ଚାଲିଥାଏ, ମୋ ଆଡକୁ ବୁଲି ପଡି ହାତ ଯୋଡି କହିଲା ସୂର୍ଯ୍ୟ ସେମାନଙ୍କୁ କୁହ ପ୍ଲିଜ୍ ଆମ ବୋଉଙ୍କୁ ଆମକୁ ଦେଇ ଦେବେ, ତାଙ୍କ ନାତି ନାତୁଣୀ ଟିକେ ଦେଖିବେ, ସବୁବେଳେ ବୋଉଙ୍କ ମୁହଁରୁ ହାତ କାଚ ବଜ୍ର ହେଉର ଆଶିର୍ବାଦ ଶୁଣିଛି, ଆଜି ସେ କ’ଣ ଏମିତି ଧଳା କପଡା, ଦେହରେ ଗୁଡେଇ ହେଇଯିବେ! ବାପା ଟିକେ ତାଙ୍କୁ ଦେଖିବେନି? ମୁଁ ତାଙ୍କୁ ବୋହୁ ଭଳି ସଜାଇବିନି? ଏମିତି ବିଦାୟ ମୁଁ ବୋଉଙ୍କୁ ଦେଇ ପାରିବିନି । ମାନସୀ କଥା ଶୁଣିବାକୁ କାହାରି ଆଗ୍ରହ ନଥିଲା, ପିପିଇ କିଟ୍ ପିନ୍ଧା ଲୋକ ଜଣକ ମୋତେ ଆଖିରେ ଇଶାରା କରି କହିଲେ ମାନସୀଙ୍କୁ ଦୂରକୁ ନେବାଲାଗି । ମୁଁ ବି ବୋଉକୁ ଥରେ କୋଳେଇ ଧରି କାନ୍ଦିବାର ଇଛା ଥିଲେ ବି ନାଚାର, ବାଧ୍ୟ ହୋଇ ବଳପୂର୍ବକ ମାନସୀକୁ ଟାଣି ଧରିଲି, ଆମ୍ବୁଲାନ୍ସର ଦ୍ୱାର ବନ୍ଦ ହେଇ ଆଗକୁ ବଢ଼ିଗଲା, ମୁଁ କିଛି କହିବି କି ନିଜକୁ ବୁଝେିବି ଭାବି ପାରୁନଥିଲି । ସମସ୍ତେ ଘରକୁ ଫେରିଲୁ ମାନସୀ ଏମିତିରେ ବି ଖୁବ୍ କମ୍ କଥା କୁହନ୍ତି, ସେ ପୁରା ଚୁପ୍ । ବାସ୍ ତାଙ୍କ ବୋହୁ ହେବାର କର୍ତ୍ତବ୍ୟ କରି ଚାଲିଥାଏ । ଏମିତି ବେଳିକା ଖାଇବା, ବୋଉ ପାଇଁ ପତ୍ରରେ ଖୁବ୍ ଆଗ୍ରହ, ସ୍ନେହରେ ମାନସୀ ନିଜେ ବାଢ଼ି ବାହାରେ ଥୋଇ ଦୂରକୁ ଆସି ଅପେକ୍ଷା କରେ, କାଉଟେ କି ଗାଈଟେ ଆସି ସେତକ ଖାଇ ଦେଲେ ଯେମିତି ମାନସୀକୁ ଗୋଟେ ଆତ୍ମସନ୍ତୋଷ ମିଳୁଥିଲା । ମୁଁ ବି ଦୂରରୁ ବାସ୍ ତାଙ୍କୁ ଦେଖୁଥାଏ । ଆଜି ୧୨ ଦିନ ପୁରିଲା, କାଲି ମାଛ ହେବ, ସାନ ଭାଇ କୁନା ଆଉ ତା ସ୍ତ୍ରୀ ବେଶ୍ ଆଗ୍ରହରେ ରୋଷେୟାକୁ ବରାଦ କରୁଥିଲେ, ପାଟି ଅରୁଚି ହେଲାଣି ନନା କାଲି ଟିକେ ଆମ୍ବୁଲ ଦେଇ ଛୋଟ ମାଛ ଚୁଡଚୁଡା, ଆଉ ବଡ ମାଛ କାଲିଆଟେ କରିବ । ସେମାନେ ମୋ ଆଡେ ଚାହୁଁଥାନ୍ତି ଓ ଗୋଟେ ପରେ ଗୋଟେ ବରାଦ ବି କରୁଥାନ୍ତି, ମୁଣ୍ଡ-ଲାଞ୍ଜ ଦେଇ ଛେଁଚଡାଟେ କରିବା । ବେଶି ଲୋକ ନାହାନ୍ତି, କୋଭିଡ୍ ଭୟ, ବାସ୍ ପରିବାରର ଦଶ-ପନ୍ଦର ଜଣ, ନାନା ବି କହିଲେ ବଡ ବାବୁ କାଲି ମାଛ ଟିକେ ହବ, କାଲି ନଖାଇଲେ ବର୍ଷେ ଯାଏଁ ଆମିଷ ଖାଇ ପାରିବେନି । ମୁଁ ବି ମୁଣ୍ଡ ହଲାଇ ସନ୍ମତି ଦେଲି । ହେଲେ ଏ କ’ଣ ଚୁପ୍ ରହୁଥିବା ମାନସୀ ପଛରୁ ଆସି ମୋତେ ସମ୍ବୋଧନ କରି କହିଲେ କ’ଣ ଭୁଲି ଯାଉଛ ବୋଉ ପରା ଆମିଷ ଖାଆନ୍ତିନି, ତମେ ଚାରି ବର୍ଷ ଆଗରୁ ମସ୍ତିସ୍କ ଜ୍ୱରରେ ପଡିଥିଲ ବୋଲି, ସେ ପରା ମାନସିକ କରି ଆମିଷ ଛାଡିଥିଲେ । ଆଉ କାଲି କ’ଣ ବୋଉଙ୍କୁ ପତ୍ରରେ ଆମିଷ ବାଢ଼ିବି? ସେ ଆମ ଲାଗି ମଲାଯାଏଁ ଆମିଷ ଛାଡିଦେଲେ, ଆମେ କ’ଣ ଗୋଟେ ବର୍ଷ ଛାଡି ପାରିବାନି? କଥା ଟା ସତରେ ମୋ ପୁଅ ହେବା ଅହଂ ଉପରେ ଶକ୍ତ ଚାପୁଡାଟେ ପରି ଥିଲା । ସାନଭାଇ କହିଲା ଭାଉଜ ସାଧାରେ ଗୋଟେ ଜୋଡେ ଆଇଟମ୍ କରି ଦେବା, ତମେ ବ୍ୟସ୍ତ ହୁଅନା, ଆମେ ଆଉ ଏ ସାଧା ଖାଦ୍ୟ ଖାଇ ପାରିବୁନି । ମୁଁ ବୁଲି ପଡି ବଡ ଅପା ଆଡେ ଚାହିଁଲି, ଭାବିଲି ସେ ତ ଝିଅ, ସେ ନିଶ୍ଚେ ତା ଭାଉଜ କଥାରେ ଏକମତ ହେବ, ହେଲେ ଅପା କହିଲା ଆମେ ଆଉ କାହିଁ ରହିବୁ ଯେ, ଆମେ ଆମ ଘରକୁ ଚାଲି ଯାଉଛୁ ଆଜି କାଲି ବୁଧବାରଟା ଘରେ ଗଲେ ଟିକେ ପେଟ ପୁରେଇ ଖାଇବୁ ହେଲେ । ଏତିକି ବେଳେ ମୋ ଫୋନ୍ଟି ବାଜି ଉଠିଲା, ମୋ ଶାଶୁଙ୍କ ଫୋନ୍ ଥିଲା, ଏକ ନିଶ୍ୱାସରେ କହିଗଲେ ଜ୍ୱାଇଁ ପୁଅ ତମ ଶଶୁର ଚାଲିଗଲେ, ମୋ ଝିଅକୁ ଧରି ଆସ । ଶ୍ୱଶୁର ବି ସେଇ କୋଭିଡ୍ରେ ଗଲେ, ଆମେ ଶେଷ ଦର୍ଶନ ବି କରି ପାରିଲୁନି, ଯାହା ଖବର ପାଇ ଜାଣିଲି ମାନସୀର ବାପା ଚାଲିଗଲେ । ମାନସୀ ତାଙ୍କ ଘରେ ସାନ, ଉପରେ ଦୁଇଭାଇ… ଫୋନ୍ ରଖି ବହୁତ ସାହାସ କରି ମାନସୀ ପାଖକୁ ଯାଇ କହିଲି ଚାଲ ତମ ଘରକୁ ଯିବା, ସେ ବୁଝିଗଲା, କହିଲା କ’ଣ ବାପା ବି ଚାଲିଗଲେ? ମୁଁ ହଁ କହିଲି, ଭାବୁଥିଲି ସେ ବୋଧେ ଖୁବ୍ କାନ୍ଦିବ, ସାନ ଝିଅ ଭାରି ଗେହ୍ଲା, ହେଲେ ସେ ବସିପଡି କହିଲେ ସେଠି ବୋଉ ପାଖେ ଭାଇ-ଭାଉଜ ଅଛନ୍ତି, ଆଜି ପରା ରାତିରେ ପୁଷ୍କର ଛଡା ହେବାଲାଗି ପୂଜା ହେବ, ପୁଣି କାଲି ବୋଉଙ୍କୁ ୧୩ ପତ୍ର କିଏ ବାଢ଼ିବ? କାଲି ସଂଧ୍ୟାରେ ଯିବା କହି ସେ ଲାଗି ପଡିଲା ପୂଜାର ଜୋଗାଡ କରିବାରେ । ତା’ପରଦିନ ମାଛ ବାସ୍ନାରେ ଛାତ ଉପର ଫାଟି ପଡୁଥିଲା, ମୋ ଭଳି ମାନସୀ ବି ଖୁବ୍ ଆମିଷ ପ୍ରିୟ । ମୋତେ ଲାଗୁଥିଲା ସେ ତା ଦିଅର-ଯାଆଙ୍କ କଥା ଭାଙ୍ଗି ପାରିବନି । ହେଲେ ସେ ତ ମେସିନ୍ ଭଳି ପତ୍ର ଧରି ଛାତକୁ ଗଲା ରୋଷେୟା ନନାଙ୍କୁ କହିଲା ନନା ସାଧା ଆଗେ ବାଢ଼ିଦେଲେ ମୁଁ ବୋଉଙ୍କୁ ଦେଇଆସେ । ଆମେ ସବୁ ଚୁପ୍, ସେ ପତ୍ର ନେଇ ଯିବା ବେଳେ ସାନ ଭାଇର ସ୍ତ୍ରୀ ଗୋଟେ ଆମିଷ ଥାଳି ବାଢ଼ି ମାନି ପଛେ ପଛେ ଚାଲିଲା, କହିଲା ଅପା ଦୁଇଟା ପତ୍ର ବାଢ଼ ଆଜି, ତମେ ତ ଜାଣିଛ ବୋଉଙ୍କୁ ଛୋଟ ମାଛ ଆମ୍ବୁଲ ରାଇ କେତେ ପସନ୍ଦ । ତା’କଥା ରଖି ମାନସୀ ଦୁଇଟା ଯାକ ପତ୍ର ଥୋଇ ଘରଆଡେ ଆଗେଇଲା, ତା’ ମୁହଁରେ କିଛି ବି ଭାବ ନଥିଲା ନା ବାପାଙ୍କୁ ହରାଇବାର କଷ୍ଟ, ନା ଏ ଆମିଷ-ନିରାମିଷର ଶୀତଳ ଯୁଦ୍ଧ । ସେ ଆସି ଖାଇବା ଲାଗି ସାଧା ପଟେ ବସିଲା, ପୁରା ଚୁପ୍- ମୁଁ ବି ଆରପଟୁ ଉଠି ଆସି ତା’ ପାଖରେ ବସିଲି ତା’ ହାତକୁ ଜୋର୍ରେ ଧରି ମନେ ମନେ କହୁଥିଲି “ବେଦନାର ତୀର ବିଦ୍ଧ ହୋଇ ମଧ୍ୟ ରକ୍ତ ଝରାଇବାକୁ ମନା ତୁମକୁ, ଦୁହିତା ଦୁଇକୁଳ କୁ ହୀତା ରୁପକ ତାଜମହଲର ମମତାଜ ସାଜିବାକୁ ମନା ତୁମକୁ”…. ଆଉ ବାପା ବି ସେପଟ ଧାଡିରୁ ଉଠି ଆସି ମାନସୀ ପାଖରେ ବସି କହିଲେ ବର୍ଷେ ଆମିଷ ନଖାଇଲେ ଚଳିବ । ସତରେ ଆଜି ଅନୁଭବ କଲି ଝିଅ ହୋଇ ଜନ୍ମ ହେବା ଆଉ ଦୁଇକୁଳକୁ ବାନ୍ଧି ରଖିବା ଆମ ପୁରୁଷ ଜାତି ଲାଗି ଅସମ୍ଭବ ପ୍ରାୟ…..ସତରେ ଝିଅଟିଏ “ଦୁହିତା” ।


