ଦୂର୍ଘଟଣା ପରେ ଆଏମଏସି ପରିସରରେ ଆଣ୍ଠେଇଛି ୧୦୮ ଆମ୍ବୁଲାନ୍ସ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ସହ ମାଗଣାରେ ଔଷଧ ପ୍ରଦାନ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା କେବଳ କାଗଜପତ୍ର ମଧ୍ୟରେ ସିମୀତ ରହିଯାଉଥିବା ଏବଂ ଏହାର ଫାଇଦା ଜନସାଧାରେଣଙ୍କୁ ମିଳୁନଥିବା ଦେଖାଦେଉଛି । ଦୂର୍ଘଟଣାରେ ଆହତ, ଗୁରୁତର ଅସୁସ୍ଥ ରୋଗୀଙ୍କୁ ଡ଼ାକ୍ତରଖାନାରେ ଭର୍ତି କରିବା, ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ସହ ରୋଗୀଙ୍କୁ ମାଗଣାରେ ଡ଼ାକ୍ତରଖାନାରେ ପଂହଚାଇବା ଲକ୍ଷ୍ୟରେ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗତ ୨୦୧୩ ମାର୍ଚ୍ଚ ମାସରେ ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ ହେବାର ଦୀର୍ଘ ୨ ବର୍ଷ ସୁରୁଖୁରୁରେ ଚାଲିଥିବା ବେଳେ ଏହା ପରବର୍ତି ସମୟରେ ନାନା ଅସୁବିଧାରେ ଗଡ଼ି ଚାଲିଛି । କେତେବେଳେ ଆମ୍ବୁଲାନ୍ସର ତେଲ ସରି ଅଧାବାଟରେ ରୋଗୀଙ୍କ ଜୀବନ ଚାଲିଯାଉଛି ତ କେତେବେଳ ଆବଶ୍ୟକ ସମୟରେ ଉପଯୁକ୍ତ ମରାମତି ନହେବା କାରଣରୁ ଅଧାବାଟରେ ଗାଡ଼ି ଅଟକି ରହୁଥିବାର ଦେଖିବାକୁ ମିଳୁଛି । ରୋଗୀଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ଅତ୍ୟାବଶ୍ୟକ ଏବଂ ତୁରନ୍ତ ଚିିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆମ୍ବୁଲାନ୍ସ ମଧ୍ୟରେ ରହିଥିବା ଚିକିତ୍ସା ଉପକରଣ ଓ ଯନ୍ତ୍ରାଂଶ ଗୁଡ଼ିକ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଆମ୍ବୁଲାନ୍ସର ଇନସୁରାନ୍ସ ଓ ଫିଟ୍ନେଓ ନଥିବା ମଧ୍ୟ ଜଣାପଡ଼ିଛି । ଅଧିକାଂଶ ୧୦୮ ଆମ୍ବୁଲାନ୍ସ ଜରାଜୀର୍ଣ୍ଣ ଓ ଦଦରା ଅବସ୍ଥାରେ କାର୍ଯ୍ୟକ୍ଷମ ହେଉଛି । କେତେବେଳେ ଯେ ଏହି ଆମ୍ବୁଲାନ୍ସରେ ରୋଗୀଙ୍କ ଜୀବନ ଯିବ କହିବା ମୁସ୍କିଲ । ଗତ ୬ ତାରିଖ ବିଳମ୍ବିତ ରାତିରେ ଶେରଗଡ଼ ଅଂଚଳରୁ ରୋଗୀଙ୍କୁ ନେଇ ଏକ ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ଇ ୫୧୮୯) ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରି ଶେରଗଡ଼କୁ ଫେରୁଥିବା ସମୟରେ ହିଂଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟରେ ରାସ୍ତା ପ୍ୱାଶ୍ୱର୍ସ୍ଥ ଏକ କାର୍ ସହ ଧ୍କା ଘଟିଥିଲା । ଦୂର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଦୂର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଆମ୍ବୁଲାନ୍ସକୁ ଆଣି ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରଖି ଚାଲି ଯାଇଥିଲେ । ଦୂର୍ଘଟଣାର ୫ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ କୌଣସି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଶେରଗଡ଼ ଅଂଚଳରେ ଆମ୍ବୁଲାନ୍ସ ସେବା ମିଳିପାରୁନଥିବା ଯୋଗୁଁ ରୋଗୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଘଟଣା ନେଇ ୧୦୮ ଆମ୍ବୁଲାନ୍ସର ଏମ.ଇ. ରାଜେଶ କୁମାର ଓ କ୍ଳଷ୍ଟର ଲିଡ଼ର ପ୍ରଶାନ୍ତ କୁମାର ସାବତଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏ ନେଇ ୧୦୮ ଆମ୍ବୁଲାନ୍ସର ଓଡ଼ିଶା ରାଜ୍ୟର ଦାୟିତ୍ୱ ବହନ କରୁଥିବା ସଂସ୍ଥା ଜିକିତ୍ସା ହେଲଥ୍ କେୟାର ଲିଃ. (ଜେଡ଼. ଏଚ. ଏଲ.)ର ପରିଚାଳନା ନିର୍ଦ୍ଦେଶକ ଦୀପକ ଶ୍ରୀବାସ୍ତବଙ୍କ ପଚାରିବାରୁ ସେ କହିଲେ ଘଟଣା ନେଇ ସେ ଅବଗତ ନୁହନ୍ତି , ବିଭାଗୀୟ ଅଧିକାରୀ ଓ କ୍ଳଷ୍ଟର ଲିଡ଼ରଙ୍କ ସହ ଯୋଗାଯୋଗ ପରେ ଆବଶ୍ୟକୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଗୁଡ଼ିକୁ ଉପଯୁକ୍ତ ସମୟରେ ମରାମତି କରାଯାଉନଥିବାରୁ ବହୁ ସମୟରେ ଦୂର୍ଘଟଣା ଘଟୁଛି ବୋଲି ଜୈନିକ ଆମ୍ବୁଲାନ୍ସ ଚାଳକ ନିଜ ନାମକୁ ଗୋପନ ସର୍ତରେ କହିଛନ୍ତି । ଅନ୍ୟପକ୍ଷରେ ବୁଧବାର ରାତିରେ ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଏକ ଆମ୍ବୁଲାନ୍ସ ଷ୍ଟାଟ୍ ବନ୍ଦ ହୋଇଯିବା ସହ ପୁଣି ଷ୍ଟାଟ୍ ହୋଇନଥିଲା । ରାସ୍ତାରେ ରହିଥିବା କିଛି ପୋଲିସ କର୍ମଚାରୀ ଆମ୍ବୁଲାନ୍ସକୁ ଠେଲୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ବିଭାଗୀୟ ଅଧିକାରୀ ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ସଂପୃକ୍ତ ୧୦୮ ଆମ୍ବୁଲାନ୍ସକୁ ଯଥାଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଶେରଗଡ଼ ଓ ହିଂଜିଳିକାଟୁ ଅଂଚଳର ଜନସାଧାରଣ ଦାବି ଜଣାଇଛନ୍ତି ।


