ଦୃତ ଗତି ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳରେ ବଢୁଛି ଦୂର୍ଘଟଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-କେନ୍ଦ୍ର ସଡକ ସୁରକ୍ଷା ମନ୍ତ୍ରାଳୟ ପ୍ରଦତ୍ତ ସୂଚନାସୁରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ଉଦବେଗ ଜନକ ଭାବେ ବୃଦ୍ଧି ପାଇଛି । ବିଶେଷକରି ଯୁବଗୋଷ୍ଠୀଙ୍କ ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ଦୂର୍ଘଟଣା ବୃଦ୍ଧି ପାଇବା ସହ ମୃତାହତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସଡକ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ସାରା ଦେଶରେ ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲେ ମଧ୍ୟ ଦୂର୍ଘଟଣା କମିବାରେ ଉନ୍ନତି ସାଧିତ ହେଉନଥିବା ଜଣାପଡିଛି । ମଦ୍ୟପାନ କରି ଗାଡି ଚାଳନା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଓ ବିନା ହେଲମେଟରେ ମୋଟର ସାଇକେଲ ଚାଳନା, ଟ୍ରାଫିକ ନିୟମ ଉଲଘଂନ କରି ଗାଡି ଚାଳନା କରିବା, ମୋଟର ସାଇକେଲରେ ୨ରୁ ଅଧିକ ବ୍ୟକ୍ତି ବସି ଗାଡି ଚାଳନା କରିବାକୁ ବାରଣ କରାଯାଇଛି । ସମ୍ପ୍ରତି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କରାଯାଇ ମଦ୍ୟପ ଚାଳକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତଥାପି ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ବାସ୍ତବତା କେବଳ କାଗଜ କଲମରେ ସୀମିତ ରହିଯାଇଛି । ଫଳରେ ସହରରେ ଦୈନିକ ଛୋଟ ବଡ ସଡକ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ସହରରେ ସକାଳୁ ସକାଳୁ ଆରମ୍ଭ ହୁଏ ପ୍ରତିଯୋଗିତା ମୂଳକ ଗାଡି ଚାଳନା । ଯାତ୍ରୀ ବାହୀ ବସ୍, ମାଲ ପରିବହନକାରୀ ଟ୍ରକ୍ ଓ ବାଲି ବୋଝେଇ ଟ୍ରକ ଓ ଟ୍ରାକ୍ଟର ଗୁଡ଼ିକର ଦୃତ ଗତି ସାଙ୍ଗକୁ ବିକଟାଳ ଶବ୍ଦ ପଥଚାରୀଙ୍କୁ ଅଣନିଃଶ୍ବାସୀ କରୁଥିବା ନିତିଦିନିଆ ଘଟଣା ପାଲଟିଛି । ପ୍ରତ୍ୟହ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ଧାରାରେ ସାଧାରଣ ଜନତା ଅସ୍ତବ୍ୟସ୍ତ ଓ ଜୀବନ ପ୍ରତି ଅହେତୁକ ଭୟ ସୃଷ୍ଟି କରୁଛି । ଗୁରୁବାର ସକାଳେ ସ୍ଥାନୀୟ ବସ ଟର୍ମିନାଲ ପରିସର ତଥା ୫୯ ନମ୍ବର ଜାତୀୟ ରାଜପଥର ପ୍ରମୁଖ ଅଞ୍ଚଳରେ ଘରୋଇ ଯାତ୍ରୀବାହୀ ବସ୍ ସହ ବାଲି ବୋଝେଇ ଟ୍ରକ ସହ ଧକ୍କା ଘଟିଛି । ଦୂର୍ଘଟଣା ପରେ ଉଭୟ ଗାଡି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଯିବା ସହ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପ୍ବାର୍ଶ୍ବରେ ବହୁ ସଂଖ୍ୟକ ଗାଡ଼ି ମୋଟର ଅଟକି ରହିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ସକାଳୁଆ ସ୍କୁଲ ଯୋଗୁଁ ବହୁ କୋମଳମତି ଶିକ୍ଷାର୍ଥୀ ଯାତାୟାତ କରୁଥିବା ବେଳେ ଏଭଳି ଅପ୍ରିତୀକର ଘଟଣା ମାନ ଘଟୁଥିବା ପାରଲିକ୍ଷିତ ହୋଇଛି । ପରିତାପର ବିଷୟ ବାଲି ବୋଝେଇ ଟ୍ରକ ଓ ଟ୍ରାକ୍ଟର ଗୁଡ଼ିକର ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ସ୍ଥାନୀୟ ମହାବିଦ୍ୟାଳୟ ସମ୍ମୁଖରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇଥିବା ବେଳେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ସହରର ରାସ୍ତା କଡ଼ରେ ବେଆଇନ ପାର୍କିଂ, ବିପଦଜନକ ଯାତ୍ରୀ ପରିବହନ ଓ ବେପାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନଥିବା ଦେଖିବାକୁ ମିଳିଛି । ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ପରେ ପ୍ରାୟ ଅଧ‌‌‌ ଘଣ୍ଟା ସମୟ ପର୍ଯ୍ୟନ୍ତ କୈାଣସି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ