ଦ୍ବିଶତକ ଭାଗୀଦାରିରେ ଇଂଲଣ୍ଡ ମୂଳଦୁଆ ଦୃଢ଼

ନୂଆଦିଲ୍ଲୀ : ଶତକୀୟ ଟେଷ୍ଟରେ ଜୋ ରୁଟଙ୍କ ଶତକ ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ‌ଡୋମିନିକ୍ ଶିବଲେଙ୍କ ସହ ଦ୍ବିଶତକ ଭାଗୀଦାରି ବଳରେ ଭାରତ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ଇଂଲଣ୍ଡ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନ ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୨୬୩ ରନ୍ କରି ଦୃଢ଼ ମୂଳଦୁଆ ପକାଇଛି। ଚେନ୍ନାଇର ଚେପକ୍‌ରେ ପଟ୍ଟା ପିଚ୍‌ ଥିବାରୁ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗରୁ ଫାଇଦା ବି ପାଇଛି। ଯଶପ୍ରୀତ ବୁମରାଙ୍କ ପ୍ରଭାବୀ ବୋଲିଂ ସତ୍ତ୍ବେ ପ୍ରଥମ ଦିନର ସମ୍ମାନକୁ ଇଂଲଣ୍ଡ ନିଜ ନାମରେ କରି ନେଇଛି। ବେନ୍ ଷ୍ଟୋକ୍ସଙ୍କଠାରୁ ନିଜ ୧୦୦ତମ ଟେଷ୍ଟ୍ ଟୋପି ଗ୍ରହଣ କରିବା ପରେ ଜୋ ରୁଟ୍‌ ଟସ୍ ଜିତି ବିନା ଦ୍ବିଧାରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବ ସଂଧ୍ୟାରେ ଆହତ ଅକ୍ଷର ପଟେଲ୍‌ ମ୍ୟାଚ୍‌ ଆରମ୍ଭର ୮୦ ମିନିଟ୍ ପୂର୍ବରୁ ବାଦ୍‌ ପଡ଼ିବାରୁ ସାହାବାଜ୍ ନଦୀମଙ୍କୁ ଭାରତ ୩ ଜଣିଆ ସ୍ପିନ୍ ଆକ୍ରମଣରେ ସୁଯୋଗ ଦେଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ମୋଇନ୍ ଅଲୀଙ୍କୁ ନ ନେଇ ଜ୍ୟାକ୍‌ ଲିଚ୍‌ଙ୍କୁ ଏକମାତ୍ର ସ୍ପିନର୍‌ ଭାବେ ସ୍ଥାନ ଦେଇଛି। ଏହି ରଣକୌଶଳ କେତେ ଫଳପ୍ରଦ ହେବ ତାହା ପରବର୍ତୀ ଦିନ କହିବ। ଇଂଲଣ୍ଡ ପାଇଁ କିନ୍ତୁ ପ୍ରାରମ୍ଭିକ ଯୋଡ଼ି ରୋରି ବର୍ନସ ଏବଂ ଡୋମିନିକ୍ ଶିବଲେ ୬୩ ରନ୍ ଉଠାଇବା ପରେ ଗୋଟିଏ ଓଭର ବ୍ୟବଧାନ ତଥା ସମାନ ସ୍କୋର୍‌ ୬୩ରେ ବର୍ନସ ଏବଂ ଡାନିଏଲ୍‌ ଲରେନ୍ସଙ୍କୁ ହରାଇଥିଲା। ବର୍ନସଙ୍କୁ ଆଶ୍ବିନ୍‌ ୱିକେଟ୍‌ ପଛପଟେ ଶିକାର କରି ନେଇଥିଲେ। ଲରେନ୍ସ କିନ୍ତୁ ବୁମରାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ‌ହୋଇଯାଇଥିଲେ। ଏହି ସମୟରେ ଭାରତୀୟ‌‌ ବୋଲରଙ୍କୁ ସଂଘର୍ଷ କରାଇଥିଲେ ଅଧିନାୟକ ଜୋ ରୁଟ୍‌ (୧୨୮* ରନ୍‌, ୧୯୭ ବଲ୍‌, ୧୪‌ ଚୗକା, ୧ ଛକା) ଏବଂ ଡୋମିନିକ୍ ଶିବଲେ (୮୭, ୨୮୬ ବଲ୍, ୧୨ ଚୌକା)। ଦୁହେଁ ତୃତୀୟ ୱିକେଟ୍‌ ପାଇଁ ୨୦୦ ରନ୍‌ ଯୋଡ଼ିଥିଲେ। ଦିନ ତମାମ ବ୍ୟାଟିଂ କରିଥିବା ଶିବଲେ ନିଜ ୮୭ ରନ୍‌ର ମାରାଥନ୍‌ ପାଳିରେ ୨୮୬ ବଲ୍‌ ଖେଳିଥିଲେ। ଶେଷ ଓଭର ତଥା ଶେଷ ବଲ୍‌ରେ ବୁମରାଙ୍କ ଏଲ୍‌ବିଡବ୍ଲ୍ୟୁର ଶିକାର ହୋଇ ଶତକରୁ ବଞ୍ଚିତ ରହିଥିଲେ। ରିଭ୍ୟୁ କରିଥିଲେ ମଧ୍ୟ ଏହା ତାଙ୍କ ସପକ୍ଷରେ ଯାଇନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ