ଧୂମାତ ପଞ୍ଚାୟତ ଅଗ୍ନିବିପନ୍ନଙ୍କୁ ସରପଂଚଙ୍କ ସହାୟତା

କେନ୍ଦ୍ରାପଡ଼ା ,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତର କଣ୍ଟଣିଆ ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାସଗୃହଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ସେଥିରେ ରାମଚନ୍ଦ୍ର ନାୟକ,ପତ୍ନୀ ସସ୍ମିତା, ପୁଅ ଗଣେଶ୍ୱର(୭) ଓ ଝିଅ ବର୍ଷାରାଣୀ(୨) ପୋଡିଯାଇ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡି ଯାଇଛି । ସବୁଠୁ ଦୁଃଖର କଥା ହେଉଛି ଛାତ ଘର ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଦୁଇ ଦିନ ତଳେ ଘରେ ରଖିଥିଲେ । ସେ ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଶନିବାର ଭୋର ସମୟରେ ସସ୍ମିତା ଗ୍ୟାସ ଲଗାଇ ଚା କରୁଥିବା ବେଳେ ଅନ୍ୟମାନେ ଶୋଇଥିଲେ । ହଠାତ ଗ୍ୟାସରୁ ଅଗ୍ନି ସଂଯୋଗ ହୋଇ ଯାଇଥିଲା । ଏସମ୍ପର୍କରେ ସସ୍ମିତା ଜାଣି ପାରି ନ ଥିବା ବେଳେ ଅଗ୍ନି ଘରର ଛପରକୁ ଧରିଥିଲା । ସସ୍ମିତା ସମସ୍ତଙ୍କୁ ଉଠାଇ ପଦାକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତେ ଅଗ୍ନିକାଣ୍ଡରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳେକୁ ଆଉ କିଛି ନ ଥିଲା । ଏ ସମ୍ପର୍କରେ ଖବର ପାଇ ଧୂମାତ ସରପଞ୍ଚ ନରହରି ପାଣି ଘଟଣା ସ୍ଥଳରେ ପହଞ୍ଚି ରାମଚନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ଶୁଖିଲା ଖାଦ୍ୟ, ପରିବାରର ସମସ୍ତଙ୍କ ପାଇଁ ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଖୁବଶୀଘ୍ର ଆବାସ ଯୋଜନାରେ ତାଙ୍କୁ ଗୃହ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ସରପଂଚ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ