ନବନିର୍ମାଣ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଜେବି କଲେଜ ଛାତ୍ରୀ ରୁଚିକା ର‌୍ୟାଗିଂ ପରେ ଆତ୍ମହତ୍ୟା ମାମଲାରେ ୧୦ଦିନ ଧରି ଅନଶନ ଚଳାଇଥିବା ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କୁ ସମର୍ଥନ ଜଣାଇଛି ନବନିର୍ମାଣ କୃଷକ ସଂଗଠନ । ସାମ୍ବାଦିକ ଭବନରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ ଯେ, ଦେଶରେ ନ୍ୟାୟ ବ୍ୟବସ୍ଥା ଓ ପୋଲିସ୍ ବ୍ୟବସ୍ଥା ପୁରାପୁରି ଫେଲ୍ ମାରିଛି । ରୁଚକା ଘଟଣାରେ କଲେଜ ଅଧ୍ୟକ୍ଷ, ୱାର୍ଡେନ, ସୁପରିନଟେଣ୍ଡେଣ୍ଟ କେହି ସେମାନଙ୍କର ଭୂମିକା ପାଳନ କରିନଥିଲା ବେଳେ ପୋଲିସ୍ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କାନୁନ ରକ୍ଷା ପାଇଁ ସରକାର ଓ ପୋଲିସ୍ ପ୍ରଶାସନ ଉଦାସୀନତା ବିରୁଦ୍ଧରେ ଆଗକୁ ଲଢେଇ ହେବ ଓ ଆସନ୍ତା ୧୯ ତାରିଖରେ ଏ ନେଇ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି । ଏହା ପୂର୍ବରୁ ବିିଭିନ୍ନ କଲେଜକୁ ରୁଚିକାଙ୍କ ମା ଓ ମନୱର ଅଲ୍ଲୀ ଯାଇ ପିଲାମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବ ବୋଲି ଶ୍ରୀ କୁମାର କହିଛନ୍ତି । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯୁବଛାତ୍ର ରାଜନୀତିରେ ରାଜନୈତିକ ଶୂନ୍ୟତା ଶାସକ ଦଳକୁ ଅହଙ୍କାରୀ କରିଛି ଯାହା ଆଇନ୍‌ର ପାଳନ ପାଇଁ ପୋଲିସ୍‌ର ଆଗ୍ରହ ସୃଷ୍ଟି କରୁନାହିଁ । ଓଡ଼ିଶାରେ ନ୍ୟାୟପୂର୍ଣ୍ଣ ଶାସନର ପ୍ରତିଷ୍ଠା ପାଇଁ ଏହି ଆନ୍ଦୋଳନ ଡ଼ାକରାର ଜରୁରୀ ବୋଲି ସେ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ତାଙ୍କ ପ୍ରସ୍ତାବରେ କହିଥିଲେ ଯେ, କଟକ ଡ଼ିଜି ଅଫିସ୍ ଆଗରେ ଏ ନେଇ ଏକ ସାଙ୍କେତିକ ଅନଶନ ଆଗାମୀ ୧୭ ତାରିଖରେ ହେବ । ପ୍ରସ୍ତାବକୁ ଅନ୍ୟତମ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁ ସ୍ୱାଗତ ଜଣାଇବା ସହ ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଯେଉଁ ଧାରା, ସେ ଧାରା ରୋକ ନେଇ ବଡ଼ ଧରଣର ଆନ୍ଦୋଳନ ଅଭିଯାନକୁ ସମର୍ଥନ କରିଥିଲେ । ଅତିଥିଭାବେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ରବି ଦାସ କହିଥିଲେ ଯେ, କୃଷକ ସଂଗଠନ ଚାଷ ବାଦ୍ ସବୁବେଳେ ବ୍ୟବସ୍ଥା ପରିବର୍ତ୍ତନ କଥା ଉଠାଇଛି । ଏହାବାଦ୍ ରାଜୀନତି ଉପରେ ଲୋକନୀତିର ପ୍ରଭାବ ପାଇଁ ଲଢେଇ ଜାରି ରଖିଛି । କିନ୍ତୁ ଦୁର୍ଭାଗ୍ୟ ଯେ, ଓଡ଼ିଶା ରାଜନୀତି ପୋଲିସ୍ ଦ୍ୱାରା ନିୟନ୍ତ୍ରିତ ହେଉଛି । ଆନ୍ଦୋଳନ ଜରିଆରେ ଲୋକ ପ୍ରଶିକ୍ଷତ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଥିଲେ । ରୁଚିକା ଆଇନ୍‌ଜୀବୀ ତଥା ସଂଗଠନର ଉପଦେଷ୍ଟା ଶିବାନନ୍ଦ ରାୟ କହିଥିଲେ ଯେ, ୫-ଟିମାନେ ୫-ଠକଙ୍କ ଦ୍ୱାରା ଶାସନ ଚାଲିଛି । ସ୍ୱଚ୍ଛତା ଓ ସାମୂହିକ କାମର ଦେଖାନାହିଁ । ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏ ରାଜ୍ୟରେ ଅସମ୍ଭବ ଧରଣର ଲୁଟପାଟ ଚାଲିଛି । ଜଣେ ସମବାୟ ସମିତି ସମ୍ପାଦକ ୫୦ କୋଟି ଟଙ୍କା ହଡ଼ପ କରିପାରୁଛନ୍ତି । ରାଜ୍ୟରେ ଛାତ୍ର ଆନ୍ଦୋଳନ ନିଷ୍ପ୍ରଭ ହେଲା ବେଳେ ନବନିର୍ବାଣ ଯୁବଛାତ୍ର ସଂଗଠନ ଯେଭଳି ରୁଚିକା ଘଟଣାକୁ ନେଇ ଲଢେଇ କରୁଛି ଏହା ଅଭିନନ୍ଦନୀୟ । ସବୁଠୁ ବଡ଼କଥା ହେଉଛି ସରକାର ସାଥୀରେ ଲଢେଇ ବେଳେ ସବୁ ଜନ ଆନ୍ଦୋଳନ ଓ ପ୍ରଗତିଶୀଳ ଗୋଷ୍ଠୀ ଏକାଠି ଲଢେଇ କରନ୍ତୁ । କାର୍ଯ୍ୟକାରିଣୀ ବୈଠକ ସମାପ୍ତ ପରେ କୃଷକନେତାମାନେ ଯାଇ ଆନ୍ଦୋଳନସ୍ଥଳରେ ପହଂଚି ଥିଲେ । ସେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ଦିନରେ ବିଭିନ୍ନ କ୍ୟାମ୍ପସ ଯାତ୍ରା ଓ ବନ୍ଦ ପାଳନ ନିଷ୍ପତ୍ତି ନେଇ ମନୱର ଅଲ୍ଲୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୁଚକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି, ଉପଦେଷ୍ଟା ମଧୁମିତା ସାମଲ, ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନୱାଜ, ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ପୂର୍ବତନ ପିସିସି ସମ୍ପାଦକ ପ୍ରକାଶ ମିଶ୍ର, ଏନୱାଇସିଏସ୍ ଭୁବନେଶ୍ୱର ସଭାପତି ଅମିତ ଜେନା ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ