ନୁତନ କୃଷି ଆଇନକୁ କୃଷକ କଲ୍ୟାଣ ମଞ୍ଚର ବିରୋଧ
ଜୟପୁର,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାର ନୁତନ ଭାବେ କୃଷି ଆଇନ ପ୍ରଣୟନ କରିଥିବା ବେଳେ ଏହାକୁ ବିରୋଧ କରିଛି କୃଷକ କଲ୍ୟାଣ ମଞ୍ଚ କୋରାପୁଟ । ଏନେଇ ଆଜି ସମସ୍ତ ଚାଷି ଏକତ୍ରିତ ହୋଇ ଉପ ଜିଲାପାଳଙ୍କ କାଯ୍ୟାଳୟ ରେ ପହଞ୍ଚିଥିଲେ । ରାଷ୍ଟ୍ରପତି ଙ୍କ ଉଦ୍ଦେଷ୍ୟରେ ଉପ ଜିଲାପାଳଙ୍କ ଦାୟିତ୍ୱରେ ଥିବା ପିଏ ଆଇଟିଏ ଗୋପିନାଥ ସାରକା ଙ୍କୁ ମଞ୍ଚ ତରଫରୁ ୭ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି । ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବରୁ ଯେପରି ଏମ.ଏସ.ପି ଥିଲା ତାହା ବଳବତ୍ତର ରହିବ କିନ୍ତୁ ସରକାରି ସଂସ୍ଥା କୃଷି ଜାତ ଦ୍ରବ୍ୟ କ୍ରୟ ନକଲେ ଏମ.ଏସ.ପି କୌଣସି ମାନେ ରହିବ ନାହିଁ ବୋଲି ପ୍ରଶ୍ନ କରିଛି । କୃଷକ ସେମାନଙ୍କ ଉତ୍ପାଦିତ ଶସ୍ୟ ଖୋଲାବଜାରରେ ଯେକୌମସି ସ୍ଥାନରେ ରାଜ୍ୟରେ ବିକ୍ରି କରିପାରିବେ ତାହା କଟକଣା ମୁକ୍ତ କରାଯାଉଛି । ଯାହାରକି କୁପରିମାଣ କୃଷକଙ୍କୁ ଭୋଗ କରିବାକୁ ପଡିବ, ବ୍ୟବସାୟି ମାନେ ସବୁ ବେଳେ କମ ଦରରେ କ୍ରୟ କରି ଗଛିତ ରଖି ଚଢା ଦରରେ ବିକ୍ରି କରନ୍ତି । ଯାହାରକି ଉଦାହରଣ ରିଲାଇନ୍ସ ଫ୍ରେଶ ଓ ବତ୍ତମାନର ବେଲଗାମୀ ଆଳୁ, ପିଆଜ ଓ ଖାଇବା ତେଲ ବୃଦ୍ଧି । ତେଣୁ ରାଷ୍ଟ୍ରପତି ଭାରତ ପରି କୃଷି ପ୍ରଧାନ୍ୟ ରାଷ୍ଟର କୃଷକ ଓ ଖାଉଟି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କୃଷକ ବିରୋଧି ବିଲକୁ ଅନୁମୋଦନ ଦିଆନଯାଉ ବୋଲି ଦାବୀ ରଖିଛି । ମଞ୍ଚ ତରଫରୁ ୭ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି ସେଗୁଡିକ ହେଲା ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୃତି ମୁତାବକ ଚାଷୀଙ୍କ ଆୟ କିପରି ଦ୍ୱିଗୁଣିତ ହେବ ତାହା ପ୍ରତି ପ୍ରଥମିକତା ଦିଆଯାଉ, ସ୍ୱାମୀନାଥନ କମିଟି ସୁପାରିସ ତୁରନ୍ତ ଲାଗୁ କରାଯାଉ,କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଉ, କୃଷକ ମାନଙ୍କ ଆତ୍ମହତ୍ୟା ଯେପରି ବନ୍ଦ ହେବ ଓ ଅନ୍ନଦାତା ସମାଜରେ ଅନ୍ୟ ବର୍ଗର ଲୋକଙ୍କ ପରି ସ୍ୱାଭିମାନ ଓ ଅତ୍ମସମ୍ମାନର ସହିତ ବଂଚିପାରିବେ ତାହା ପ୍ରତି ଚିନ୍ତା କରାଯାଇ କାଯ୍ୟକରାଯାଉ, କ୍ରେତା, ବ୍ୟବସାୟୀ ମାନେ ଅନ୍ତତଃ ଏମ.ଏସ.ପି ଠାରୁ କମ ଦରରେ ଯେପରି କୃଷିଜାତ ପଦାର୍ଥ ସଂଗ୍ରହ ନକରନ୍ତି ସେଥିପ୍ରତି ଆଇନର ବ୍ୟବସ୍ଥା କରାଯାଉ ଆଦି ଦାବୀ ରହିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର ପ୍ରମୁଖ ଚାଷି ଉପସ୍ଥିତ ଥିଲେ ।


