ନୂଆ ଗିନିଜ ରେକର୍ଡ ପ୍ରତିଷ୍ଠା କଲା ଭାରତର ବ୍ୟାଘ୍ର ଗଣନା

ନୂଆଦିଲ୍ଲୀ : ସର୍ବଭାରତୀୟ ବ୍ୟାଘ୍ର ଗଣନା ୨୦୧୮ର ଫଳାଫଳ ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ହୋଇଥିଲା । ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ଏହା ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହାକୁ ଏକ ବିରଳ ମୂହୁର୍ତ୍ତ ଭାବେ ବର୍ଣ୍ଣନା କରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏହା ଆତ୍ମନିର୍ଭର ଭାରତର ଏକ ଜ୍ଵଳନ୍ତ ଉଦାହରଣ । ପ୍ରଧାନମନ୍ତ୍ରୀଙ୍କ ନିଜ ଭାଷାରେ ଏହା ‘ସଂକଳ୍ପରୁ ସିଦ୍ଧି’ । ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ଧାର୍ଯ୍ୟ ସମୟର ୪ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାର ସଂକଳ୍ପକୁ ପୂରଣ କରିସାରିଛି। ସର୍ବଶେଷ ଗଣନା ଅନୁସାରେ ଦେଶରେ ବର୍ତ୍ତମାନ ୨,୯୬୭ଟି ବାଘ ଥିବା ଗଣନାରୁ ଜଣାଯାଇଛି । ଏସହିତ ଭାରତରେ ବିଶ୍ଵର ୭୫ପ୍ରତିଶତ ବାଘ ଅଛନ୍ତି । ସେଦୃଷ୍ଟିରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିବା ନେଇ ୨୦୧୦ରେ ସେଣ୍ଟପିଟର୍ସବର୍ଗଠାରେ ହୋଇଥିବା ସଂକଳ୍ପକୁ ଭାରତ ଧାର୍ଯ୍ୟ ସମୟ ୨୦୧୨ପୂର୍ବରୁ ହାସଲ କରିସାରିଛି । ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ଵାରା ପ୍ରଦତ୍ତ ମାନପତ୍ରରେ ଲେଖା ଅଛି ଯେ, ୨୦୧୮-୧୯ରେ କରାଯାଇଥିବା ଭାରତର ୪ର୍ଥ ବ୍ୟାଘ୍ର ଗଣନା ଚକ୍ର ଏପର୍ଯ୍ୟନ୍ତ ହୋଇଥିବା ଗଣନା ମଧ୍ୟରେ ତଥ୍ୟ ଓ ସମ୍ପଦ ଦୃଷ୍ଟିରୁ ଖୁବ ବ୍ୟାପକ । ଦୂରସମ୍ବେଦୀ ଉପକରଣ ସହ ଖଞ୍ଜା ହୋଇଥିବା କ୍ୟାମେରା ଦ୍ଵାରା ଏହି ଗଣନା କରାଯାଇଥିଲା । ୧୪୧ଟି ଭିନ୍ନ ଭିନ୍ନ ବନାଞ୍ଚଳରେ ଥିବା ୨୬,୮୩୮ଟି ସ୍ଥାନ ଓ ପ୍ରାୟ ୧୨୧୩୩୭ ବର୍ଗକିଲୋମିଟର ପରିମିତ ଅଞ୍ଚଳ କ୍ୟାମେରା ନଜରରେ ରହିଥିଲା। କ୍ୟାମେରାଗୁଡିକ ୩,୪୮,୫୮,୬୨୩ଟି ବିଭିନ୍ନ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଉତ୍ତୋଳନ କରିଥିଲା । ସେଥିରୁ ୭୬,୬୫୨ଟି ବାଘ ଓ ୫୧,୭୭୭ଟି କଲରାପତିରିଆ ଥିବାବେଳେ ଅବଶିଷ୍ଟ ଅନ୍ୟାନ୍ୟ ଜୀବଜନ୍ତୁ ଥିଲେ । ଏହି ଫଟୋଚିତ୍ର ମଧ୍ୟରେ ଛୁଆଙ୍କୁ ଛାଡ଼ି ୨,୪୬୨ଟି ବାଘଙ୍କୁ ଠାବ କରାଯାଥିଲା । ଏହାଛଡା ଭାରତରେ ବାଘଙ୍କ ଗଣନା କରିବା ପାଇଁ ୫,୨୨,୯୯୬ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାଘ୍ର ପଦଚିହ୍ନ ମଧ୍ୟ ସର୍ଭେ କରାଯାଇଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତି ୪ବର୍ଷରେ ଥରେ ବାଘ ଗଣନା କରାଯାଇଥାଏ । ଭାରତୀୟ ବନ୍ୟାପ୍ରାଣୀ ପ୍ରତିଷ୍ଠାନ ଏଥିପାଇଁ ବୈଷୟିକ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ତ୍ୱରାନ୍ୱିତ କରିଥାନ୍ତି । ୨୦୧୮ରେ ହୋଇଥିବା ସର୍ବେଶେଷ ସର୍ଭେ ଅନୁସାରେ ଦେଶରେ ୨,୯୬୭ଟି ବାଘ ଅଛନ୍ତି । ସମଗ୍ର ବିଶ୍ଵରେ ପ୍ରୋଜେକ୍ଟ ଟାଇଗର ଭଳି ପ୍ରକଳ୍ପ ଦେଖିବାକୁ ମିଳିବା ପ୍ରାୟତଃ ଅସମ୍ଭବ। ମାତ୍ର 9ଟି ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପରେ 50 ବ୍ୟାଘ୍ର ଅଭୟାରଣ୍ୟକୁ ସାମିଲ କରାଯାଇସାରଲାଣି। ଭାରତ ବର୍ତ୍ତମାନ ବ୍ୟାଘ୍ର ସଂରକ୍ଷଣ ଦିଗରେ ବିଶ୍ଵରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ