ପଚା ଘିଅ କିଣି ପିସି ନେଉଥିଲେ ଅଧିକାରୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ପ୍ରତିମାସରେ ଏକ କ୍ୱିଣ୍ଟାଲ ପଚା ଘିଅ ଆସୁଥିଲା । ଏହାର ମୁଲ୍ୟ ଥିଲା ଏକ ଲକ୍ଷ ଟଙ୍କା । ପଚାଶ ହଜାର ଟଙ୍କା ଯୋଗାଣକାରୀ ସଂସ୍ଥା ନେଉଥିଲା ଓ ବାକି ପଚାଶ ହଜାର ଟଙ୍କା ଦାୟୀତ୍ୱରେ ଥିବା ଅଧିକାରୀମାନେ ବାଣ୍ଟିକୁଣ୍ଟି ଖାଉଥିଲେ । ଏହିସବୁ ଦୁର୍ନୀତି ଦେଖି ଅସହାୟ ହୋଇପଡିଥିଲେ ଶ୍ରୀବଳଦେବଜୀଉ । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ଦିନେନା ଦିନେ ଆଲୁଅ ହୋଇଥାଏ । ଅର୍ଥାତ ଚୋର ଚୋରି ଦିନେନା ଦିନେ ଧରା ପଡେ । ଠିକ ସେହି ନ୍ୟାୟରେ ପ୍ରଭୁ ଶ୍ରୀବଳଦେବଜୀଉ ସରକାରୀ ଚୋରଙ୍କ ମୁଖା ଖୋଲିଦେଲେ । ନବେ କିଲୋ ପଚା ଘିଅ ଧରା ପଡିଲା । ସରକାରୀ ଅଧିକାରୀଙ୍କ ମୁଖା ଖୋଲିଗଲା । ଦୀର୍ଘ ୬ବର୍ଷ ଧରି ଏହିଭଳି ଚୋରି ଚାଲିଥିଲା । କିନ୍ତୁ ନିକଟରେ ମହାପ୍ରଭୁ ଚୋରଙ୍କ ମୁଖା ଖୋଲି ଦେଲେ । ଫଳରେ ଘିଅ ଯୋଗାଣକାରୀ ସଂସ୍ଥା ଓ ସରକାରୀ ବାବୁଙ୍କ ମଧ୍ୟରେ ଯେଉଁ କାରାସାଦି ଚାଲିଥିଲା ତାହା ଉପରୁ ପରଦା ହଟି ଗଲା । ମହାପ୍ରଭୁ ଦର୍ଶାଇଦେଲେ ଯେ ତାଙ୍କୁ ପଚା ଘିଅ ଅର୍ପଣ କରାଯାଇ ଜିଲ୍ଲ୍‌ା ପ୍ରଶାସନର ଅଧିକାରୀ ଓ ମନ୍ଦିର ପ୍ରଶାସନର ଅଧିକାରୀ ବର୍ଷକୁ ଲକ୍ଷେ ଲକ୍ଷେ ଟଙ୍କା ଖାଇଯାଉଥିଲେ । ଘିଅ ଧରା ପଡିବା ପରେ ମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନ କେହି ବି ଏତଲା ଦେଲେ ନାହିଁ । କାରଣ ଏତଲା ଦେଇଥିଲେ ସବୁ ଚୋର ବନ୍ଧା ହୋଇଥାନ୍ତେ । ତେଣୁ ପରସ୍ପରକୁ ସୁରକ୍ଷା ଦେବା ପାଇଁ ଘିଅ ଯୋଗାଣକାରୀ ସଂସ୍ଥା ବିରୋଧରେ ଏତଲା ଦିଆଗଲା ନାହିଁ ବୋଲି କେତେକ ଶ୍ରୀଜୀଉଙ୍କ ସେବାୟତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ସଫେଇ ଦିଆଯାଇଛି ତାହା ହାସ୍ୟାସ୍ପଦ । ପ୍ରଶାସନ କହିଛି ଘିଅ ସାମାନ୍ୟ ଗନ୍ଧ ହେଉଥିଲା । ଆମେ ସଂପୃକ୍ତ ସଂସ୍ଥାକୁ ଗନ୍ଧ ଘିଅ ଫେରାଇ ଦେଇ ବିଶୁଦ୍ଧ ଘିଅ ନେଇ ଆସିଛୁ । କିନ୍ତୁ ସଂପୃକ୍ତ ସଂସ୍ଥା ବିରୋଧରେ କେବେ ଏତଲା ଦିଆଯିବ ତାହା ପଚାରିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନର ଅଧିକାରୀମାନେ ନିରବ । ଯଦି ସେହି ପଚା ଘିଅରେ ପ୍ରସ୍ତୁତ ପ୍ରସାଦ ସେବନ କରି କୈାଣସି ଭକ୍ତଙ୍କ ଜୀବନ ଯାଇଥାନ୍ତା ତାହାହେଲେ କିଏ ଦାୟୀ ରହିଥାନ୍ତା ଜିଲ୍ଲା ପ୍ରଶାସନ ନା ମନ୍ଦିର ପ୍ରଶାସନ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ