ଟଙ୍କା, ସୁନା ଅଳଙ୍କାର ଚୋରି ଘଟଣା ; ୪ ମାସ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ୍. ରାଜିୟା ରେଡ୍ଡୀ ଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,୩୦ ଟି ଲୁଗା,ମୋବାଇଲ ଫୋନ ଏବଂ ସୁନା ଅଳଙ୍କାର ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଟି.ଚନ୍ଦ୍ର(୩୬)।ଥାନା ମାମଲା ନଂ.୪୭୨/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୩୧(୪)/୩୦୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୨୫ ଡିସେମ୍ବର ୧୮ ତାରିଖ ରାତିରେ ଏନ୍.ରାଜିୟା ଏବଂ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ଘରେ ପଶି ଲୁହା ପେଡ଼ି ଭାଙ୍ଗି ଚୋରି କରିଥିଲେ।ଘଟଣାର ପରଦିନ ଏନ୍.ରାଜିୟା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ପୋଲିସ ଏତଲାକୁ ଭିତ୍ତିକରି ମକଦ୍ଦମା ରୁଜୁ କରିବା ସହ ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଚୋରି ମୋବାଇଲ କୁ ଟ୍ରାକିଂ କରି ଅଭିଯୁକ୍ତ ଙ୍କ ଘରେ ଚଢ଼ାଉ କରି ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ।ପଚରାଉଚୁରା କରିବା ପରେ ଘଟଣାଦିନ ରାତିରେ ସେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଟି.ସିଦ୍ଧାନ୍ତ ଏନ୍.ରାଜିୟା ଙ୍କ ଘରେ ପଶି ଚୋରି କରିଥିବା ସ୍ବୀକାର କରିଥିଲେ।ସିଦ୍ଧାନ୍ତ ଫେରାର ଥିବା ବେଳେ ସେ ସବୁ ଚୋରି ସାମଗ୍ରୀ ନେଇଯାଇଥିବା ଗିରଫ ଅଭିଯୁକ୍ତ ଟି.ଚନ୍ଦ୍ର ପୋଲିସ କୁ କହିଛନ୍ତି।


