ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ରୁଖା ଚକ୍ର ଗଣ୍ଡି ଓ ଠାକେରା ମୁଖ୍ୟ ଆକର୍ଷଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ମାଁ ଙ୍କ ନଗର ପରିକ୍ରମା ଚାଲିଥିବା ବେଳେ ପଣ୍ଡା ସାହି ତରଫରୁ ହୋଇଥିବା ରୁଖା ଚକ୍ର ଗଣ୍ଡି ଓ ଠାକେରା ବାଣ ଦେଖିବାକୁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା । ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ପଣ୍ଡା ସାହି ବାସିନ୍ଦା ଏକ ବିରାଟ ଶୋଭାଯାତ୍ରାରେ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ବରଣ କରିବା ପରେ ସଂଧ୍ୟା ସମୟରେ ମାଁ ବ୍ରାହ୍ମଣ ଦେବୀ ସିଂହ ବାହିନୀ ରୂପରେ ନଗର ପରିକ୍ରମା କରିବା ପାଇଁ ବାହାରି ଥିଲେ । ପରମ୍ପରା ଅନୁଯାୟୀ ବାଘ ଷଣ୍ଢ,ପାଳ ଭୁତ,କୋକଲୁଣ୍ଡା ର କଳାକାର ମାନଙ୍କ କଟାପା ନୃତ୍ୟ,ଦଣ୍ଡ କାଳୀ ନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା । ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ବଡ଼ଦାଣ୍ଡରେ ପହଞ୍ଚିବା ପରେ ବାଣ ଯାତ୍ରା ଆରମ୍ଭ ହୋଇଥିଲା । ଆକାଶଛୁଆଁ ଆତସବାଜିରେ ବେଲଗୁଣ୍ଠା ଆକାଶ ଆଲୋକିତ ହୋଇଥିବା ବେଳେ ଯୋଡ଼ି ହୋଇଥିଲା ବହୁ ପ୍ରତିକ୍ଷିତ ରୁଖା ଚକ୍ର ଗଣ୍ଡି ବାଣ ଓ ଠାକେରା ତଥା ଚମ୍ପା ବାଣ ।ଏହି ବାଣ ଦେଖିବା ପାଇଁ ବେଲଗୁଣ୍ଠା ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା । ଯାତ୍ରା କମିଟି ଧାରା ବିବରଣୀ ଜରିଆରେ ଦର୍ଶକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ପୋଲିସ ବାହିନୀ ଅଗ୍ନିଶମ ବିଭାଗ ଉପସ୍ଥିତ ଥିଲେ ।ଏହି ଗଣ୍ଡି ବାଣ ଓ ଠାକେରା ପଣ୍ଡା ସାହି ଯାତ୍ରା କମିଟିର ସ୍ୱତନ୍ତ୍ରତା ଥିବା ବେଳେ ପଣ୍ଡା ସାହି ବାସିନ୍ଦା ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗଣ୍ଡି ବାଣ ପାଇଁ ସ୍ବତନ୍ତ୍ର ଖମ୍ବ, ତାଲିମ ପ୍ରାପ୍ତ ବାଣ କାର ମାନେ ପ୍ରାୟ ୨୫ ଟି ରୁଖା ଚକ୍ର କୁ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଇଥିଲେ । ଦର୍ଶକଙ୍କ ମଧ୍ୟ ରେ ଅପୁର୍ବ ଆନନ୍ଦ ଓ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ପୋଲିସ ବାହିନୀ ବାର କେଡ୍ ଓ ଦଉଡ଼ି ଦ୍ଵାରା ବାଣ ଖଳାର ଉଭୟ ପାଶ୍ୱର୍ରେ ରହିଥିବା ବେଳେ କମିଟି ସଦସ୍ୟ ମାନେ ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଆତସବାଜି ପ୍ରଦର୍ଶନ ସମାପନ କରିଥିଲେ । ଆସ୍ଥା ଓ ବିଶ୍ୱାସର ଦେବୀ ମାଁ ବ୍ରାହ୍ମଣ ଦେବୀ ନଗର ପରିକ୍ରମା ସାରି ଭୋର୍ ସମୟରେ ନିଜ ଅସ୍ଥାୟୀ ପୀଠରେ ବିରାଜମାନ କରିଥିଲେ । ମହୋତ୍ସବ କମିଟି ସହିତ ପଣ୍ଡା ସାହି ଯାତ୍ରା କମିଟି ସଭାପତି ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ରାଧାମୋହନ ଦାଶ,ରବୀନ୍ଦ୍ର ସାହୁ,ଲକ୍ଷ୍ମୀ ନାରାୟଣ ସାହୁ,ଚିତ୍ତରଞ୍ଜନ ସାହୁ,ପ୍ରଶାନ୍ତ କୁମାର ପାଣିଗ୍ରାହୀ,ସତ୍ୟ ନାରାୟଣ ସିଅ, ଅଶୋକ କୁମାର ସାହୁ,ବିଜୟ ଡାକୁଆ ଓ ପ୍ରହଲ୍ଲାଦ ପଣ୍ଡା ଙ୍କ ସହିତ ସାହି ଯୁବକ ସଂଘ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ