ପତ୍ନୀକୁ କିରୋସିନ ଢାଳି ହତ୍ୟା ମାମଲା : ସ୍ୱାମୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ଏକ ହତ୍ୟା ମାମଲାର ବିଚାରକରି ସୋମବାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମର ବ୍ରଜ କିଶୋର ଦାସ । ବ୍ରଜ କିଶୋର ତାଙ୍କ ପତ୍ନୀ ରଞ୍ଜିତା ଦାସଙ୍କୁ ୨୦୧୨ ମସିହା ଫେବୃୟାରୀ ୨୫ ତାରିଖରେ କିରୋସିନ ଢାଳି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ବ୍ରଜକିଶୋରଙ୍କୁ ତାଙ୍କର ଦୁଇ ଜଣ ସମ୍ପର୍କୀୟ ସରୋଜ ଦାସ ଓ ଖୁଲଣା ଦାସ ସହଯୋଗ କରିଥିଲେ । କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ଦୁଇଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ରଞ୍ଜିତାଙ୍କୁ ଅଧିକ ଯୌତୁକ ଦାବି କରି ବ୍ରଜ କିଶୋର ଓ ତାଙ୍କ ପରିବାର ପକ୍ଷରୁ ଅନେକ ସମୟରେ ନିର୍ଯ୍ୟାତନା ଦିଆଯାଉଥିଲା । ଏ ସଂକ୍ରାନ୍ତରେ ରଞ୍ଜିତା ବାପ ଘରେ କହିଥିଲେ । ବାପ ଘର ଲୋକେ ଶାଶୁଘରକୁ ଆସି ବୁଝାସୁଝା କରି ଯାଉଥିଲେ । ହେଲେ ଶାଶୁଘର ପକ୍ଷରୁ ରଙ୍ଗୀନ ଟିଭି ଓ ଆଉ ୧୦ ହଜାର ଟଙ୍କା ଅଧିକ ଦାବି କରାଯାଇଥିଲା । କିନ୍ତୁ ଏହା ଦେବାରେ ରଞ୍ଜିତାଙ୍କ ବାପ ଘର ଲୋକ ସମର୍ଥ ନହେବାରୁ ରଞ୍ଜିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ବ୍ରଜକିଶୋର ଯୋଜନା କରିଥିଲେ । ୨୦୧୨ ମସିହା ଫେବୃୟାରୀ ମାସ ୨୫ ତାରିଖ ରଞ୍ଜିତାଙ୍କ ପାଇଁ ଥିଲା ଶେଷ ଦିନ । କାରଣ ସେହି ଦିନ ବ୍ରଜକିଶୋର ଓ ତାଙ୍କ ସହଯୋଗୀ ସରୋଜ ଏବଂ ଖୁଲଣା କିରୋସିନ ଢାଳି ରଞ୍ଜିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଗୁରୁତର ଭାବେ ଆହତ ରଞ୍ଜିତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏ ନେଇ ପାଟକୁରା ଥାନାରେ ଦଫା ୪୯୮(ଏ), ୩୦୪(ବି), ୩୦୨, ୫୦୬, ୩୪ ଆଇପିସି ଓ ୪ ଡିପି ଆକ୍ଟରେ ଏକ ମାମଲା କେଶ ନମ୍ବର ୩୯/୨୦୧୨ରେ ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଚାଲିଥିଲା । ସେହି ଘଟଣାରେ ପୋଲିସ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ମାମଲାର ଶୁଣାଣି ବେଳେ ଅଦାଲତରେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ମାମଲାର ଶୁଣାଣି କରି କେନ୍ଦ୍ରାପଡା ଜିଲ୍ଲା ଓ ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ଅଭିଯୁକ୍ତ ବ୍ରଜକିଶୋର ଦାସଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତ ଆଉ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ଜିଲ୍ଲାଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦିଆଯାଇଛି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସ ରଞ୍ଜନ ବେହେରା ମାମଲାର ପରିଚାଳନା କରୁଥିଲେ ।


