ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ
ବ୍ରହ୍ମପୁର, (ୱାଇଏନ୍ଏସ୍): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା ନିକଟ ଏକ ଖାଦାନରେ ମଙ୍ଗଳବାର ଦିନ କାର୍ଯ୍ୟରତ ତିନି ଶ୍ରମିକଙ୍କ ଉପରେ ପଥର ଖସି ପଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ନମିତା ନାୟକ (୩୧), ପଙ୍କଜ ଦାସ (୧୯) ଏବଂ ଖଲ୍ଲିକୋଟ ଥାନା ବିକ୍ରମପୁର ଗ୍ରାମର ଭକ୍ତ ପରିଡା (୩୫)। ମୃତଦେହଗୁଡିକୁ ପୋଲିସ ଜବତ କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି। ହେଲେ ସନ୍ଧ୍ୟା ହୋଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି। ପଥର ଖାଦାନ ଲିଜ୍ଧାରୀର ଦାୟିତ୍ୱହୀନତାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। । କାଳବୈଶାଖୀ ଜନିତ ବର୍ଷାରେ ମାଟି ଭିଜି ରହିଥିଲେ ମଧ୍ୟ ସେଠାରେ କାମ ଚାଲିଥିଲା। କୌଣସି ପ୍ରକାରେ ଏକ ପଥର ଖସି ପଡିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିତ୍ଲେ। ଖବରପାଇ ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଜନ୍ମେଜୟ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଗୁଡିକୁ ପୋଲିସ ଜବତ କରିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ୧୧/୨୦ ରୁଜୁ କରାଯାଇଛି। ଉକ୍ତ ପାହାଡ଼ର ଲିଜ ହୋଇଛି କି ନାହିଁ ଏବଂ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯାଉଥିବା ଥାନାଧିକାରୀ କହିଛନ୍ତି।


