ପବିତ୍ର କାର୍ତ୍ତିକ ମାସରେ ଚାଲିଛି ନଗର କୀର୍ତ୍ତନ ଓ ହରିକଥା
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀକୃଷ୍ଣ ଚୈତନ୍ୟ ଗୌଡ଼ୀୟ ମଠ ପକ୍ଷରୁ ଦାମୋଦରପୁରରେ ପ୍ରାତଃକାଳ ନଗର କୀର୍ତ୍ତନ ଆରମ୍ଭ ହୋଇଛି । ଗତ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ନଗର କୀର୍ତ୍ତନ ଆସନ୍ତା ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଭକ୍ତି ବିଳାସ ପର୍ଯ୍ୟଟକ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୫ଟା ୩୦ରୁ ଆରମ୍ଭ ହୋଇ ୬ଟା ୩୦ ପର୍ଯ୍ୟନ୍ତ ଚାଲୁଛି । ନଗର କୀର୍ତ୍ତନ ସାଙ୍ଗକୁ ପ୍ରତ୍ୟେହ ହରିକଥା, ଚୈତନ୍ୟ ଚରିତାମୃତ ଓ ସଂଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ, ଭାଗବତ କଥାମୃତ ଆଲୋଚନା ଏବଂ ରାତିରେ ସାମୂହିକ ଦୀପଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦାମୋଦରପୁର ବାସିନ୍ଦା ପୂର୍ଣ୍ଣ ସହଯୋଗ କରୁଛନ୍ତି ।


