ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର କୌଶଳ ଦୀକ୍ଷାନ୍ତ ସମାରୋହ ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା): ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ପକ୍ଷରୁ କୌଶଳ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ, ବିଶିଷ୍ଟ ଶିଳ୍ପପତି ସଞ୍ଜୟ କୁମାର ଦାସ, ବାଲେଶ୍ୱର ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ। ସମାରୋହରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ତାଲିମ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କର୍ମମୟ ଜୀବନ ପାଇଁ ଅତିଥି ମାନେ ଶୁଭେଚ୍ଛା ଜଣାଇଥିଲେ। ଦକ୍ଷ ଯୁବପିଢ଼ି ଗଠନ, ବୈଷୟିକ ଶିକ୍ଷାର ପ୍ରସାର ଏବଂ ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହି ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। “ଦକ୍ଷତା ହିଁ ଶକ୍ତି, ଦକ୍ଷ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର” ବାର୍ତ୍ତା ସହ ଯୁବସମାଜକୁ ଦକ୍ଷତା ଓ ବୈଷୟିକ ଜ୍ଞାନ ହାସଲ କରି ଦେଶର ବିକାଶରେ ଭାଗୀଦାର ହେବାକୁ ଆହ୍ୱାନ ଦିଆଯାଇଥିଲା।


