ଆଇନଜୀବୀ ରମେନ୍ଦ୍ର କୁମାର ପାଢ଼ୀଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା):ରାମେନ୍ଦ୍ର କୁମାର ପାଢ଼ୀ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗବାସୀ ଆଇନଜୀବୀ ରାମେନ୍ଦ୍ର କୁମାର ପାଢ଼ୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ଅବସରରେ ଏକ ସ୍ମୃତିସଭା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. କମଲଜିତ ସିଂହ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନଜୀବୀ ସ୍ୱର୍ଗତ ପାଢ଼ୀଙ୍କ ବହୁବିଧ ପ୍ରତିଭା ଓ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଆଇନଜୀବୀ ଭାବେ କେବଳ ଆଇନ ବ୍ୟବସାୟ ନୁହେଁ ବରଂ ସମାଜସେବା କ୍ଷେତ୍ରରେ ତାଙ୍କର ଭୂମିକା ଆଜି ତାଙ୍କୁ ସ୍ମରଣୀୟ ରଖିଛି ବୋଲି କୁଳପତି ଡ. ସିଂହ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲା ଓ ଦୌରା ଜଜ ଅଶାନ୍ତ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାମଲା ପରିଚାଳନା କ୍ଷେତ୍ରରେ ସ୍ୱର୍ଗତ ପାଢ଼ୀଙ୍କ ପ୍ରବୀଣତା ଓ ସାଧୁତା ସମ୍ପର୍କରେ ଆଲୋଚନା କରିଥିଲେ । ନିଜର କାର୍ଯ୍ୟଧାରା ଓ ବ୍ୟବହାର ପାଇଁ ସେ ଅନ୍ୟମାନଙ୍କ ପାଇଁ ସର୍ବଦା ଉଦାହରଣ ହୋଇ ରହିବେ ବୋଲି ଶ୍ରୀ ଦାସ କହିଥିଲେ । ସ୍ମୃତିକମିଟିର ସଭାପତି ବିପ୍ଳବ କେଶରୀ ଦେଓ ଏହି ସ୍ମୃତିସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମଦନ ମୋହନ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପାରମ୍ଭରେ ସ୍ୱର୍ଗତ ପାଢ଼ୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଲେଶ୍ୱରର ଆଇନଜୀବୀଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶ୍ରାଦ୍ଧ ଉତ୍ସବରେ ଯୋଗ ଦେଇଥିଲେ ।


