ପରିବାରକୁ ଏକାଠି କଲେ ମିଳିବ ୧୦ ଲକ୍ଷ
ଥିରୁଅନନ୍ତପୁରମ: କରୋନା ଭାଇରସ ସଂକ୍ରମଣର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁବାଇରେ ରହୁଥିବା କେରଳର ଜଣେ ବ୍ୟବସାୟୀ କ୍ରୋର ଶ୍ରୀକୁମାର ଏକ ଅଭିନବ ଅଫର ଦେଇଛନ୍ତି । ଲକଡାଉନ ଯୋଗୁଁ କର୍ଣ୍ଣାଟକରେ ଫସିଥିବା ତାଙ୍କର ପତ୍ନୀ ଓ ସାନ ପୁଅ ଏବଂ ତାମିଲନାଡୁରେ ଫସିଥିବା ବଡ଼ପୁଅଙ୍କୁ କେହି ତାଙ୍କ ଆଲପୁଝାସ୍ଥିତ ଘରେ ଏକତ୍ରିତ କରିପାରିଲେ ସେ ତାଙ୍କ ୧୦ ଲକ୍ଷ ଟଙ୍କା ନଗଦ ଆକାରରେ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏ ନେଇ ସେ ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକରେ ମେ ୫ ତାରିଖରେ ପୋଷ୍ଟ କରିଛନ୍ତି ।
ରିପୋର୍ଟ ଅନୁସାରେ କେଆର ଶ୍ରୀକୁମାର କେରଳର ଆଲପୁଝା ଜିଲ୍ଲାର ବାସିନ୍ଦା । ଦୁବାଇରେ ରସାୟନ ବ୍ୟବସାୟରେ ସେ ସମ୍ପୃକ୍ତ ଅଛନ୍ତି । ତାଙ୍କର ବଡ଼ପୁଅ ତାମିଲନାଡୁର ତିରୁଚିରାପଲ୍ଲୀରେ ପାଠ ପଢ଼ନ୍ତି । କରୋନା ଭାଇରସ ସଂକ୍ରମଣ ଯୋଗୁ ସାରା ଦେଶ ଲକଡାଉନ ଜାରି ହେବା ପରେ ତାଙ୍କ ବଡ଼ ପୁଅ ତିରୁଚିରାପଲ୍ଲୀରେ ଫସି ରହିଛନ୍ତି । ସେହିପରି ପତ୍ନୀ ଓ ସାନ ପୁଅ ମାଙ୍ଗାଲୁରୁରେ ଅଛନ୍ତି । ମାର୍ଚ୍ଚ ୨୫ ତାରିଖରୁ ସେ ପତ୍ନୀ ଓ ପିଲାମାନଙ୍କୁ ଏକତ୍ରିତ କରିବା ଲାଗି ଉଦ୍ୟମ କରୁଛନ୍ତି । ପୂର୍ବରୁ ସେ ତାଙ୍କର ବଡ଼ପୁଅକୁ ଏକ ହେଲିକେପ୍ଟର ମାଧ୍ୟମରେ ଏୟାରଲିଫଟ କରିବାକୁ ଉଦ୍ୟମ କରିଥିଲେ । ସେଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । କିନ୍ତୁ ଅଧିକାରୀମାନେ ତାଙ୍କୁ ଏଥିପାଇଁ ଅନୁମତି ଦେଲେ ନାହିଁ । ସେହିପରି ତାଙ୍କ ବଡ଼ ପୁଅ ତିରୁଚିରାପଲ୍ଲୀରୁ ଏକ କ୍ୟାବ ବୁକ କରି ଫେରିବାକୁ ଉଦ୍ୟମ କରିଥିଲେ । ସେଥିପାଇଁ ସେ ଅନଲାଇନରେ ୧୫ ହଜାର ଟଙ୍କା ପଇଠ କରିଥିଲେ । ତେବେ କାର ଡ୍ରାଇଭର ନ ଆସିବାରୁ ସେ ଉଦ୍ୟମ ବି ସଫଳ ହେଲାନାହିଁ ।


