ପରିବେଶକୁ ସଫା ରଖିବା ନିତିଦିନର ନିଶା ପାଲଟିଛି
ବନ୍ତ, (ଚାନ୍ଦିନୀ ମହାନ୍ତି) : ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ବଜାର ସଫେଇ କାର୍ଯ୍ୟରେ ଲାଗିଯାଇଥାନ୍ତି । ଦୀର୍ଘ ୨ ଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫେଇ କଲା ପରେ ବିଶ୍ରାମ ନେଇଥାନ୍ତି । ସେହିପରି ସନ୍ଧ୍ୟା ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନ ଗୁଡିକୁ ସଫେଇ କରିଥାନ୍ତି । ସଫେଇ କରିବା ପରେ ଅଳିଆଆବର୍ଜ୍ଜନା ଗୁଡିକୁ ଗୋଟିଏ ସ୍ଥାନରେ ରଖି ନିଆଁ ଲଗାଇ ପୋଡି ଦେଇଥାନ୍ତି । ଏହା ତାଙ୍କର ନିତିଦିନର ନିଶା ପାଲଟିଯାଇଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ସ୍ୱର୍ଗତ ବାଇଧର ଲେଙ୍କା ପୁତ୍ର ଗୋପିନାଥ ଲେଙ୍କା । ବୟସ ଏବେ ତାଙ୍କୁ ୪୮ ବର୍ଷ ହେବ । ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିଛନ୍ତି । ଆର୍ଥିକ ଅଭାବ ଯୋଗୁ ଅଧିକ ପାଠ ପଢି ପାରିନଥିଲେ । ଗାଁଗହଳିରୁ ରୋଷେଇ କାର୍ଯ୍ୟ ଶିଖିଥିଲେ । ପରେ ଭଦ୍ରକର ଏକ କେଟେରିଂ ସଂସ୍ଥାରେ ଦୀର୍ଘ ୩୨ ବର୍ଷ ଧରି କାର୍ଯ୍ୟ କରି ଯାହା ପାଉଥିଲେ ସେଥିରୁ ପରିବାର ଚଳାଉଥିଲେ । ଘରେ ତାଙ୍କର ପତ୍ନୀ ସମେତ ଅବିବାହିତ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଗତ ୩ ବର୍ଷ ହେବ କୌଣସି କାରଣରୁ କେଟେରିଂ ସଂସ୍ଥା ଛାଡିବା ପରେ ଏବେ ସଫେଇ କାର୍ଯ୍ୟରେ ଲାଗିଛନ୍ତି । ଏଥିରୁ ତାଙ୍କୁ କିଛି ପାରିଶ୍ରମିକ ମିଳୁନଥିଲେ ମଧ୍ୟ ସେ ସଫେଇ କରି ଆତ୍ମସନ୍ତୋଷ ପାଉଥିବା କହିଛନ୍ତି । ପ୍ରତିଦିନ ସକାଳୁ ଆସି ନିଳୋକ ବଜାରକୁ ପ୍ରଥମେ ସଫା କରିବା ପରେ ହାଇସ୍କୁଲ ପରିସର ଓ ରାସ୍ତାଘାଟକୁ ସଫେଇ କରିଥାନ୍ତି । ପରେ ଅଳିଆଆବର୍ଜ୍ଜନାକୁ ନିଆଁ ଲଗାଇ ପୋଡି ଦେଇଥାନ୍ତି । ତାଙ୍କର ଏହି କାର୍ଯ୍ୟ ଯୋଗୁ ବଜାର ଅଞ୍ଚଳ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଥିବା ଦେଖାଯାଇଛି । ଜମିବାଡି କହିଲେ ୫ ଗୁଣ୍ଠ ହେବ ଅଛି । ସରକାରୀ ସହାୟତା ଭାବେ କେବଳ ରାସନ ସାମଗ୍ରୀ ପାଇଆସୁଛନ୍ତି । ଏହାରି ଭିତରେ ବଜାର ଦୋକାନୀଙ୍କର ବୋଲହାକ କରି ସ୍ୱଳ୍ପ ଅର୍ଥ ଉପାର୍ଜ୍ଜନ କରୁଥିଲେ ମଧ୍ୟ ସେଥିରେ ପରିବାର ପୋଷିବା କଷ୍ଟକର ହୋଇପଡୁଛି । ତଥାପି ସେ ପରିବେଶକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟରେ ଏଭଳି ମହତ କାର୍ଯ୍ୟ କରିଚାଲିଛନ୍ତି ବୋଲି କହିଛନ୍ତି ।


