ପାକିସ୍ତାନକୁ ଆଇଏମ୍ଏଫ୍ର ପ୍ରଶ୍ନ ଚୀନ୍ଠାରୁ କେତେ ଋଣ ଆଣିଛ?
ୱାଶିଂଟନ୍(ଏଜେନ୍ସି): ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ, ବିଶ୍ୱବ୍ୟାଙ୍କ ଠାରୁ ନିରାଶ ହେବା ପରେ ଏବେ ଋଣ ପାଇଁ ଆଇଏମ୍ଏଫ୍ ନିକଟରେ ଆବେଦନ କରିଛି । କିନ୍ତୁ ଆଇଏମ୍ଏଫ୍ କର୍ତ୍ତୃପକ୍ଷ ଋଣ ମଞ୍ଜୁର କରିବା ପୂର୍ବରୁ ପାକିସ୍ତାନ ସରକାରଙ୍କ ସମ୍ମୁଖରେ ଏନେଇ କେତେକ ସର୍ତ୍ତ ଓ ପ୍ରଶ୍ନ ରଖିଥିବା ଜଣାପଡିଛି । ସର୍ବପ୍ରଥମେ ଚୀନ୍ଠାରୁ ପାକିସ୍ତାନ କେତେ ପରିମାଣରେ ଋଣ ଆଣିଛି ଏବଂ ଦ୍ୱିତୀୟରେ ପାକିସ୍ତାନ୍ରେ ଚୀନ୍ର କ’ଣ କ’ଣ ପ୍ରକଳ୍ପ ଚାଲିଛି ସେସମ୍ପର୍କରେ ଜଣାଇବାକୁ ପାକ୍ ସରକାରଙ୍କୁ ଆଇଏମ୍ଏଫ୍ କହିଛି । କାରଣ ଆଇଏମ୍ଏଫ୍ ସନ୍ଦେହ କରୁଛି ଯେ, ପାକିସ୍ତାନ ଆଇଏମ୍ଏଫ୍ରୁ ଋଣ ପାଇବା ପରେ ତାହାକୁ ନେଇ ଚୀନ୍ର ଋଣ ପରିଶୋଧ କରିବ ।
ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ôଚଯାଇଛି । ଏହାକୁ ଋଣ ଦେବାକୁ କେହି ରାଜି ହେଉନାହାନ୍ତି । ଆତଙ୍କବାଦ ଦମନ ତଥା ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ ପାକ୍ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଏଫ୍ଏଟିଏଫ୍ ଗତ ବର୍ଷ ପାକିସ୍ତାନକୁ ଧୂଷର (ଗ୍ରେ) ତାଲିକାଭୁକ୍ତ କରିଛି । ନିକଟରେ ଭାରତର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରରେ ଯେପରି ପାକ୍ ସରକାରଙ୍କ ଆତଙ୍କବାଦ ପ୍ରୀତିକୁ ଉପସ୍ଥାପିତ କରାଯାଇଛି ଏହାଦ୍ୱାରା ପାକିସ୍ତାନ ଉପରେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଅସନ୍ତୁଷ୍ଟ ହୋଇପଡିଛନ୍ତି । ବିଶ୍ୱ ଦରବାରରେ ଭାରତ ସରକାରଙ୍କ ଲବି ତଥା କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ୍, ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫ୍ଏଟିଏଫ୍)ର କଳା ତାଲିକାଭୁକ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏସମ୍ପର୍କରେ ନିଜେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେସୀ କହିଥିଲେ ଯେ, ପାକିସ୍ତାନ ଏବେ ଏଫ୍ଏଟିଏଫ୍ର ଧୂଷର (ଗ୍ରେ) ତାଲିକାରେ ରହିଥିବାରୁ ବର୍ଷକୁ ୧ଠବିଲିୟନ ଡଲାରର କ୍ଷତି ସହୁଛି । ଯଦି ଏଫ୍ଏଟିଏଫ୍ର କଳା ତାଲିକା ଶ୍ରେଣୀରେ ପାକିସ୍ତାନ୍ ଆସିଯାଏ ତେବେ ପାକିସ୍ତାନ୍କୁ ଆହୁରି ଅନେକ ଗୁଣ କ୍ଷତି ସହିବାକୁ ହେବ । ଯାହାକି ପାକିସ୍ତାନ୍ର ଆର୍ଥିକ ସ୍ଥିତି ଉପରେ ଭାରିମାତ୍ରାରେ ପ୍ରଭାବ ପକାଇବ । ଏସବୁ ମଧ୍ୟରେ ଏଫ୍ଏଟିଏଫ୍ ମଧ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଛି ।
ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ଆଉ ଋଣ ଦେବାକୁ ରାଜି ହେଉନାହାନ୍ତି । ମୋଟାମୋଟି ଭାବେ କହିଲେ ପାକିସ୍ତାନକୁ ବିଦେଶୀ ପୁଞ୍ଜି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗତବର୍ଷ ପାକିସ୍ତାନ ଗସ୍ତରେ ଆସିଥିବା ଏଫ୍ଏଟିଏଫ୍ର ଏକ ପ୍ରତିନିଧି ମଣ୍ଡଳୀ ପାକ୍ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ପାକ୍ ସରକାର ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଅନ୍ତି, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ । ସେହିପରି ନିକଟତ ଅତୀତରେ ପାକିସ୍ତାନକୁ ବିଶ୍ୱ୍ବ୍ୟାଙ୍କ ପକ୍ଷରୁ ମଧ୍ୟ ଜୋରଦାର ଝଟ୍କା ଲାଗିସାରିଛି । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହେବାକୁ ଥିବା ଏକ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୨ଠ କୋଟି ଡଲାରର ଋଣକୁ ବିଶ୍ୱବ୍ୟାଙ୍କ ଅଟକାଇ ଦେଇଛି । ପାକିସ୍ତାନର ପ୍ରଗତି ରିପୋର୍ଟ, ପାଣ୍ଠି ବଣ୍ଟନ ପ୍ରକ୍ରିୟା ଏବଂ ନିୟନ୍ତ୍ରଣରେ ଅଭାବ ଯୋଗୁ ବିଶ୍ୱବ୍ୟାଙ୍କ ମୁଖ୍ୟ ଏହି ନିଷ୍ପତ୍ତି ନେଇଥିବା କାରଣରେ ଦର୍ଶାଯାଇଛି । ଏମିତି ଏକ ସ୍ଥିତିରେ ପାକିସ୍ତାନର ଏକମାତ୍ର ସାହାଭରସା କେବଳ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ) । ଆଇଏମ୍ଏଫ୍ ଠାରୁ ଋଣ ମିଳିଲେ ପାକିସ୍ତାନ ସ୍ଥିତିରେ ସାମାନ୍ୟ ସୁଧାର ଆସିପାରିବ ।ଏଥିପାଇଁ ପାକିସ୍ତାନ ସରକାରୀଭାବେ ଆଇଏମ୍ଏଫ୍ ନିକଟରେ ଆବେଦନ କରିଥିଲା । କିନ୍ତୁ ଆଇଏମଏଫରୁ ଋଣ ପାଇବା ସେତେଟା ସହଜ ନୁହେଁ । କାରଣ ଆଇଏମ୍ଏଫ୍ରେ ଆମେରିକାର ଆଧିପତ୍ୟ ରହିଛି । ଆମେରିକା ନ ·ହିଁବା ପର୍ଯ୍ୟନ୍ତ ଋଣ ମିଳିବା ସମ୍ଭବ ନୁହେଁ ।


