ପାକିସ୍ତାନରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୨୧ ଛୁଇଁଲା
ଇସଲାମବାଦ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍ ପାକିସ୍ତାନରେ ବି ବେଶ୍ ଭୟଙ୍କର ଭାବରେ ବ୍ୟାପି ଚାଲିଛି। ଏହି ଭାଇରସ୍ ଯୋଗୁଁ ପାକିସ୍ତାନରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୧୨ ଘଣ୍ଟା ମଧ୍ୟରେ ୫୪ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୬୪ରେ ପହଞ୍ଚିଛି ।
ପଞ୍ଜାବରେ ୬୮୩, ସିନ୍ଧରେ ୫୦୮, ଖୈବର୍ ପଖ୍ତୁନଖାହରେ ୧୯୨, ବେଲୁଚିସ୍ତାନରେ ୧୪୧, ଗିଲଗିଟ୍-ବାଲ୍ଟିସ୍ତାନରେ ୧୨୮, ଇସଲାମବାଦରେ ୫୧, ପାକିସ୍ତାନ ଅଧିକୃତ କାଶ୍ମୀରରେ ୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏଠାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ପାକିସ୍ତାନରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ସର୍ବମୋଟ ୨୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧୧ ଜଣଙ୍କର ଅବସ୍ଥା ବେଶ୍ ସଂକଟାପନ୍ନ ରହିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ପାକିସ୍ତାନ ସରକାର ବେଶ୍ ପଦକ୍ଷେପ ନେଇଥିବାବେଳେ ୨୭ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ମାମଲା ବୋଲି ଜଣାପଡିଛି । ପାକିସ୍ତାନରେ ଅନ୍ତର୍ରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପାକିସ୍ତାନରେ କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଲକ୍ ଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ୧୬୩ ଜଣଙ୍କୁ ଅଟକ ରଖାଯାଇଛି ।


