ପାକିସ୍ତାନରେ ଟ୍ରେନ୍-ବସ୍ ଧକ୍କା : ୨୦ ମୃତ
ଇସଲାମାବାଦ : ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧ ପ୍ରଦେଶରେ ଏକ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୁକୁର୍ ସହରର ରୋହ୍ରୀ ରେଳ ଷ୍ଟେସନ୍ରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ଟି କରାଚୀରୁ ରାଓ୍ବଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏକ ରେଲଓ୍ବେ କ୍ରସିଂରେ କୌଣସି ଗେଟ୍ ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବସ୍ରେ ୨୦ ଜଣ ଯାତ୍ରୀ ରହିଥିବା ବେଳେ ବସ୍ଟି ଟ୍ରେନ୍ ଆଗରେ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ । ସମସ୍ତ ବସ୍ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ ଟ୍ରେନ୍ର କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ଗୁରୁତର ରହିଛି । ପାକିସ୍ତାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


