ପାନୀୟ ଜଳ ଯୋଗାଣ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା
ବାଲେଶ୍ୱର,(ସରୋଜ ପଣ୍ଡା) : ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ମାନ୍ୟବର ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାର ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ଯୋଗାଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜନସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ନାୟକ, ନିର୍ବାହୀ ଯନ୍ତ୍ରୀ ପରେଶ୍ୱର ଜେନା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ସୁରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ସମ୍ପ୍ରତି ଯେଉଁ ସବୁ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ତାହାର ଅଗ୍ରଗତି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରେ ଏବେ ୧୨୩ଟି ଏକକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କାମ ଚାଲିଥିବା ବେଳେ ସେଥିମଧ୍ୟରୁ ୭୨ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି ଏବଂ ଅବଶିଷ୍ଟ କାମ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏତଦ୍ବ୍ୟତୀତ ଆହୁରି ୫୫ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ନିକଟରେ ଟେଣ୍ଡର ଆହ୍ୱାନ କରାଯିବ । ଜିଲ୍ଲାରେ ଏବେ ୪୫୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଥିବା ବେଳେ ଏଥି ପାଇଁ ଆହୁରି ୪୧୫କୋଟି ଟଙ୍କା ଅନୁଦାନ ଦିଆଯିବ । ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହ ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ଓ ଡିପ୍ ବୋରୱେଲ୍ କାମ ହାତକୁ ନିଆଯିବ । ଜିଲ୍ଲାର ଉପକୂଳବର୍ତୀ ବ୍ଲକରେ ଲବଣାକ୍ତ(ସାଲାଇନ) ଓ ଆଇରନଯୁକ୍ତ ଜଳକୁ ନେଇ ଯେଉଁ ସମସ୍ୟା ରହିଛି ତାହାର ଉପଯୁକ୍ତ ସମାଧାନ ପାଇଁ ଉପସ୍ଥିତ ବିଧାୟକମାନେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାଣି ପରୀକ୍ଷା ପାଇଁ ଖୁବଶୀଘ୍ର ବାଲେଶ୍ୱରରେ ଏକ ଅତ୍ୟାଧୁନିକ ଟେଷ୍ଟିଂ ଲାବୋରଟାରୀ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀମାନେ ସୂଚନା ଦେଇଥିଲେ । ଜିଲ୍ଲାର ସମସ୍ତ ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦେବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ଯେପରି ନିର୍ଦ୍ଧାରିତ ସମୟରେ ପୂରଣ ହୋଇପାରିବ ଏବଂ ଏଥିପାଇଁ ହେବାକୁ ଥିବା ସର୍ଭେ କାର୍ଯ୍ୟ ଶ୍ରୀଘ୍ର ସାରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଚଳ ହୋଇପଡିଥିବା ବିଭିନ୍ନ ଟ୍ୟୁବୱେଲ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ଅଧିକାରୀଙ୍କୁ କୁହାଯାଇଥିଲା । ଅମୃତ ଯୋଜନାରେ ବାଲେଶ୍ୱର ପୌରାଂଚଳରେ ଚାଲିଥିବା ୧୦ଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୯ଟି ପ୍ରକଳ୍ପ ଶେଷ ହୋଇଛି । ବାକି ରହିଥିବା ଗୋଟିଏ ପ୍ରକଳ୍ପ କାମ ମାର୍ଚ୍ଚ ମାସ ସୁଦ୍ଧା ସରିଯିବ ଏବଂ ସୋର, ନୀଳଗିରି ଓ ଜଳେଶ୍ୱର ସହରାଂଚଳର ପ୍ରତି ଘରକୁ ପାଇପ ପାଣି ଯୋଗାଇବା ପାଇଁ ୨ଟି ଲେଖାଏଁ ନୂଆଁ ପ୍ରକଳ୍ପ କାମ ହାତକୁ ନିଆଯାଇଥିବା ନେଇ ସୂଚନା ଦିଆଯାଇଥିଲା । ବାଲେଶ୍ୱର ଜିଲ୍ଲାର ଶତ ପ୍ରତିଶତ ଜନସାଧାରଣଙ୍କୁ କିଭଳି ପିଇବା ପାଣି ଯୋଗାଇ ଦିଆଯାଇପାରିବ, ସେ ନେଇ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସମୀକ୍ଷା ବୈଠକରେ ବିଭାଗୀୟ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


