ପାର୍ଟିର ନିନ୍ଦା : ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମଗ୍ର ବିଶ୍ୱ ଯେତେବେଳେ ନୂଆବର୍ଷ ୨୦୨୨କୁ ଆଶା ଓ ଆଶଙ୍କା ଭିତରେ ଅପେକ୍ଷା କରୁଛି, ସେତିକିବେଳେ ଓଡ଼ିଶା ପୋଲିସ୍ କର୍ପୋରେଟ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କ ଉପରେ ଆତଙ୍କରାଜ ଚଳାଇଛି । ଆଜି ନୂଆବର୍ଷରେ ପୋଲିସ୍ ଆତଙ୍କରାଜର ନମୂନା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ପଞ୍ଚାୟତରେ । ଯେଉଁ ଢିଙ୍କିଆବାସୀ ଶତାଧିକ ମକଦ୍ଦମାରେ ଛନ୍ଦିହୋଇ ପୋଲିସ୍ ପ୍ରଶାସନର ନାଲିଆଖିକୁ ନ ଡ଼ରି ମଧ୍ୟ ବିଶ୍ୱର ଅନ୍ୟତମ ଇସ୍ପାତ ଶିଳ୍ପ କାରଖାନା ପୋସ୍କୋକୁ ମାଟିରୁ ତଡ଼ି ଦେଇଥିଲେ, ଆଜି ସେହି ଢିଙ୍କିଆରେ ଜିନ୍ଦଲ ଷ୍ଟିଲ୍ ତାହାର ପ୍ରକଳ୍ପ କରିବା ପାଇଁ ସାଧାରଣ ଲୋକଙ୍କୁ ପୋଲିସ୍ ନାଲିଆଖି ଦେଖାଇଛି । ପାଖାପାଖି ୧୫ରୁ ୨୦ ପ୍ଲାଟୁନ ପୋଲିସ୍ ନୂଆବର୍ଷ ଦିନ ଢିଙ୍କିଆ ଗ୍ରାମକୁ ଘେରାଉ କରି ରଖିଛନ୍ତି । ଲୋକମାନେ ମଧ୍ୟ ପୋଲିସ୍ ଆତଙ୍କରାଜକୁ ନ ଡ଼ରି ଗ୍ରାମଭିତରେ ଏକାଠି ହେବାରେ ଲାଗିଛନ୍ତି । ତେଣୁ ନୂଆବର୍ଷରେ ଗୋଟିଏ ପଟେ ପୋଲିସ୍ ଫୋର୍ସ ଏବଂ ଅନ୍ୟ ପଟରେ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି । ଯେକୌଣସି ସମୟରେ ପରିସ୍ଥିତି ଏକ ଭିନ୍ନ ମୋଡ଼ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଢିଙ୍କିଆରେ ପୋଲିସ୍ ଫ୍ଲାଗମାର୍ଚ୍ଚକୁ ନିନ୍ଦା କରିବା ସହିତ ଢିଙ୍କିଆ ଗ୍ରାମରୁ ପୋଲିସ୍ ଛାଉଣୀ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସାଧାରଣ ଲୋକମାନେ କ’ଣ ପାଇଁ ପ୍ରକଳ୍ପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଉଚିତ୍ । ପୋସ୍କୋ ସମୟରେ ସାଧାରଣ ଲୋକଙ୍କ ଉପରେ ଯେଉଁ ମିଥ୍ୟା ମକଦ୍ଦମା ହୋଇଥିଲା, ତାକୁ ପ୍ରତ୍ୟାହାର କରିବା, ସାଧାରଣ ଲୋକଙ୍କୁ ଉଚିତ୍ କ୍ଷତିପୂରଣ ପାଇଁ ସେମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ସହିତ ଅଯଥା ରକ୍ତପାତ ଓ ପୋଲିସ୍ ଆତଙ୍କରାଜ ସୃଷ୍ଟି ନକରି ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ଉଦ୍ୟମ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ