ବିଶ୍ୱର ଷଷ୍ଠ ବୃହତ୍ ତୈଳ କମ୍ପାନୀ ରିଲାଏନ୍ସ
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ବିଶ୍ୱର ଷଷ୍ଠ ସର୍ବବୃହତ୍ ତୈଳ କମ୍ପାନୀ ହୋଇପାରିଛି । ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରାଲିୟମକୁ ପଛରେ ପକାଇ ଦେଇଛି । ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍ ଡଲାର ଥିଲା । ଏହା ବୁଧବାର ୧୩୮ ବିଲିଅନ୍ ଡଲାର ଅତିକ୍ରମ କରିଯାଇଛି । ବ୍ଲୁମ ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ ଗୁଣା ହୋଇଛି । ଆଗାମୀ ୧୮ ମାସରେ ରିଲାଏନ୍ସର ନଗଦ ଋଣ ଶୂନକୁ ଆସିଯିବ ବୋଲି ମୁକେଶଙ୍କ ଘୋଷଣା ପରେ ଏହି ଅଭିବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ଅମ୍ବାନୀଙ୍କ ସମ୍ପତ୍ତି ୫୬ ବିଲିଅନ୍ ଡଲାରରେ ପହଞ୍ଚିଯାଇଛି । ଏହା ଏସିଆରେ ସର୍ବାଧିକ ଏବଂ ଆଲିବାବା ମୁଖ୍ୟ ଜ୍ୟାକ୍ ମା’ଙ୍କ ସମ୍ପତ୍ତିଠାରୁ ବହୁ ଆଗରେ । ବର୍ତ୍ତମାନ ରିଲାଏନ୍ସ ଚାଇନାର ପେଟ୍ରା ଚାଇନା କମ୍ପାନୀକୁ ମାତ୍ ଦେବାକୁ ଚାହୁଁଛି । ଏହା କ୍ୟାପିଟାଲ ଦୃଷ୍ଟିରୁ ଏସିଆର ସର୍ବବୃହତ । ସାଉଦିର ଆରାମକୋ ଏବଂ ଏକ୍ସନ୍ ମାବିଲ୍ କର୍ପାରେସନଠାରୁ ମଧ୍ୟ ରିଲାଏନ୍ସ କମ୍ପାନୀ ପଛରେ ପଡ଼ିଛି ।


