ପିପିଲିରେ ବିଜେପି ନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

  • ଥାନାରେ ଏତଲା ଦେଲା ବିଜେପି
  • ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପିପିଲିରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ଏହି ଅଂଚଳ ଛାଡି ଯିବା ପାଇଁ ଧମକ ଦେଇଛନ୍ତି । ଏନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଛି । ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି ।ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ବିଜେଡି ନେତା ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ କରାଯାଇଛି । ବିଗତ ୨/୩ ଦିନ ତଳେ ସହଜପୁର ପଂଚାୟତରେ ଗଣ୍ଡଗୋଳ ହେବା ପରେ ପୋଲିସ ତା’ର ପେଟ୍ରୋଲିଂକୁ ଜୋରଦାର କରିବା ନେଇ ପ୍ରତିଶୃତି ଦେଇଥିଲା । କିନ୍ତୁ ଶାସକ ଦଳ ଚାପରେ ପୋଲିସ ତା’ର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନାହିଁ । ଶାସକ ବିଜେଡି ଏଠି ଦ୍ୱିତୀୟ ନନ୍ଦିଗ୍ରାମ କରିବା ପାଇଁ ଷଡଯନ୍ତ୍ର କରୁଛି ଏବଂ ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି । ବୁଥ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବାରୁ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି । ଏ ଦିଗରେ ପୋଲିସ ପ୍ରଶାସନ ନିରପେକ୍ଷ ଭାବେ ଘଟଣାର ତଦନ୍ତ କକରି ଦୋଷୀଙ୍କୁ ଗିରଫ କରିବା ସହ ଶାନ୍ତିପୂର୍ଣ୍ଣଭାବେ କିପରି ନିର୍ବାଚନ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି ଦାବୀ କରିଛି । ବିଶେଷ କରି ସହଜପୁର ପଂଚାୟତରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଉ । ବିଜେପି ବୁଥ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଂଟିଆ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ