ପୁଣି ଆରମ୍ଭ ହେଲା ପାରମ୍ପରିକ ଗ୍ରାମ୍ୟ ନୀତି
ବୁଗୁଡା ,(ଅନିଲ କୁମାର ମହାରଣା): ପୂର୍ବେ ଗାଁ ଗହଳିରେ ବର୍ଷର ବିଭିନ୍ନ ସମୟରେ କୃଷି ଭିତ୍ତିକ ଓ ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବିଭିନ୍ନ କାରଣରୁ ତାହା ବନ୍ଦ ହୋଇଯାଇଥିବା ବେଳେ ସେହି ପରମ୍ପରାକୁ କେତକ ଗ୍ରାମରେ ଆରମ୍ଭ ହୋଇଥିବା ଜଣାପଡିଛି। ଜନ୍ତାଳ, ଗିରିପୂଜା, ଖଳାଭୋଜି ପ୍ରଭୃତି କୃଷି ଭିତ୍ତିକ ପର୍ବ ପ୍ରତ୍ୟେକ ଗ୍ରାମରେ ପାରମ୍ପରିକ ଭାବେ ପାଳିତ ହୋଇ ଆସୁଥିଲା। ଗ୍ରାମର ସରଳ ଜୀବନକୁ କଳୁଷିତ କରି ଦେଇଛି ବିଭିନ୍ନ ଘଟଣା। ହଜି ଯାଇଛି ଗ୍ରାମ୍ୟ ପାରମ୍ପରିକ ପର୍ବ। ଆନନ୍ଦର କଥା ସେହି ଗ୍ରାମ୍ୟ କୃଷି ଭିତ୍ତିକ ପର୍ବ ପୁଣି ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମରେ। ଧାନ ଫସଲ ଅମଳ ପରେ ଗ୍ରାମରେ ଫେବୃଆରୀ ୫ ତାରିଖ ଦିନ ପାଳିତ ହୋଇଛି କୃଷି ଭିତ୍ତିକ ପର୍ବ ” ଖଳାଭୋଜି “। ଗ୍ରାମର ସମସ୍ତ ପରିବାର ପିଛା ଚାନ୍ଦା ଆଦାୟ ହୋଇ ଗ୍ରାମର ସମସ୍ତଙ୍କ ସହଯୋଗରେ ଏହି କୃଷି ଭିତ୍ତିକ ପର୍ବ ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ବ୍ୟକ୍ତି ଭୋଜନ କରିବା ପାଇଁ ରୋଷେଇ ଖାଦ୍ୟ ପଦାର୍ଥ ପ୍ରଥମେ ଗ୍ରାମର ଦେବା ଦେବୀଙ୍କୁ ଅର୍ପଣ ପରେ କୋଭିଡ ନିୟମକୁ ମାନି ଗ୍ରାମର ସମସ୍ତ ପରିବାର ଏହି ଖଳାଭୋଜି ରେ ଅଂଶ ଗ୍ରହଣ କରି ପ୍ରସାଦ ସେବନ କରିଥିବା ନେଇ ଗ୍ରାମ୍ୟ କମିଟି ସଭାପତି ଜାନକୀବଲ୍ଲଭ ରାଉତ ପ୍ରକାଶ କରିଛନ୍ତି।


