ପୁଣି ଚାଲିଲା ଅକ୍ଷର ଓ ଅଶ୍ୱିନଙ୍କ ବୋଲିଂର ମ୍ୟାଜିକ୍
ଅହମଦାବାଦ: ଅହମ୍ମଦାବାଦ୍ରେ ପୁଣି ଦେଖିବାକୁ ମିଳିଛି ଅକ୍ଷର ଓ ଅଶ୍ୱିନଙ୍କ ବୋଲିଂର ମ୍ୟାଜିକ୍ । ଉଭୟ ମାନସିକ ଓ କ୍ରିକେଟ୍ କୌଶଳ ଲଢ଼େଇରେ ହାରି ପୁଣି ଥରେ ଭାରତର ଦୁଇ ତାରକା ସ୍ପିନର ଅକ୍ଷର ପଟେଲ (୪/୬୪) ଓ ରବିଚନ୍ଦ୍ରନ୍ ଅଶ୍ବିନ (୩/୪୭)ଙ୍କ ନିକଟରେ ଆତ୍ମସମର୍ପଣ କରିଛି ରୁଟ୍ ସେନା। ଅକ୍ଷର-ଅଶ୍ବିନ ଯୋଡ଼ି ନିଜ ନିଜ ଭିତରେ ୭ ୱିକେଟ୍ ବାଣ୍ଟିନେବା ପରେ ଚତୁର୍ଥ ଟେଷ୍ଟ୍ ପାଇଁ ମିଳିଥିବା ବ୍ୟାଟିଂ ଉପଯୋଗୀ ପିଚ୍ରେ ବି ମାତ୍ର ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଛି ଭ୍ରମଣକାରୀ ଦଳ। ଇଂଲଣ୍ଡ ପ୍ରଥମ ପାଳିର ୧୦ ୱିକେଟ୍ ମଧ୍ୟରୁ ସ୍ପିନର ୮ ୱିକେଟ୍ କରାୟତ୍ତ କରିଥିଲା ବେଳେ (ୱାସିଂଟନ୍ ସୁନ୍ଦରଙ୍କ ଗୋଟିଏ ୱିକେଟ୍ ମିଶାଇ) ଅଷ୍ଟ୍ରେଲିଆରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତି ନେଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଦୁଇଟି ୱିକେଟ୍ ନେଇ ଘରୋଇ ପରିବେଶରେ ମଧ୍ୟ ନିଜ ଅପୂର୍ବ ବୋଲିଂ ଦକ୍ଷତାର ଆଉ ଏକ ବଳିଷ୍ଠ ନିଦର୍ଶନ ଛାଡ଼ିଛନ୍ତି। ଏହାର ଜବାବରେ ନିଜ ପାଳିର ତୃତୀୟ ବଲ୍ରେ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ଙ୍କୁ ହରାଇଥିବା ଭାରତ ଗୁରୁବାର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୨୪ ରନ୍ କରିଛି। କୋହଲି ବାହିନୀ ଏବେ ୧୮୧ ରନ୍ ପଛରେ ଥିଲା ବେଳେ ହାତରେ ୯ ୱିକେଟ୍ ରହିଛି। ପ୍ରଥମ ଦିନର ଖେଳ ବନ୍ଦ ବେଳକୁ ହିଟ୍ ମ୍ୟାନ୍ ରୋହିତ ଶର୍ମା ୮ ଓ ମିଷ୍ଟର ଡିପେଣ୍ଡେବଲ୍ ଚେତେଶ୍ବର ପୂଜାରା ୧୫ ରନ୍ କରି ଅପରାଜିତ ରହିଛନ୍ତି। ବୋଲରଙ୍କ ବଢ଼ିଆ ବୋଲିଂ ପାଇଁ କିନ୍ତୁ ପ୍ରଥମ ଦିନରେ ଭାରତ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଛି।ତୃତୀୟ ଟେଷ୍ଟ୍କୁ ମାତ୍ର ଦୁଇ ଦିନରେ ହାରିବାର ଅପଯଶ ଭିତରେ ଗୁରୁବାର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ସ୍ପିନର ସୃଷ୍ଟି କରିଥିବା ଭୟ ଦୂର କରିବାକୁ ତାଙ୍କ ଦଳର ବ୍ୟାଟ୍ସମ୍ୟାନ୍ ସକ୍ଷମ ହୋଇନଥିଲେ। ଅକ୍ଷର-ଅଶ୍ବିନଙ୍କ ଶାଣିତ ସ୍ପିନ୍ରେ ପୁଣି ଥରେ ଘାଇଲା ହୋଇ କେବଳ ୧୨୧ ରନ୍ ଭିତରେ ଅଧାଦଳକୁ ହରାଇ ବସିଥିଲା ଇଂଲଣ୍ଡ। ସିରାଜଙ୍କୁ ଗାଳି କରି କୋହଲିଙ୍କ କଟାକ୍ଷ ଓ ରୋଷର ସମ୍ମୁଖୀନ ହୋଇଥିବା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ (୫୫)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ପାଇଁ ଅବଶ୍ୟ ପାଞ୍ଚଟି ପାଳି ପରେ ୨୦୦ ରନ୍ ଟପିଯାଇଥିଲା। ତେବେ ୭୫.୫ ଓଭର ଖେଳି ମାତ୍ର ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା


