ପୁରୀରେ ଆରମ୍ଭ ହେଲା ଉଚ୍ଛେଦ କାମ
ପୁରୀ: ମହମାରୀ କୋରୋନା ଲକ୍ଡାଉନ୍ ପାଇଁ ଦୀର୍ଘ ପ୍ରାୟ ଅଢ଼େଇ ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଶ୍ରୀମନ୍ଦିର ଉତ୍ତର ଦ୍ବାରପଟେ ଥିବା ଲକ୍ଷ୍ମୀବଜାରରେ ଉଚ୍ଛେଦ କରାଯାଉଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ କୋଠା ଭଙ୍ଗା ଯାଉଛି। ସେହିପରି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ। ଦୀର୍ଘ ଅଢେଇ ମାସ ପରେ ଏକାମ୍ର କ୍ଷେତ୍ର ଉନ୍ନତିକରଣ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ। ଯେଉଁମାନେ ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ଉଚ୍ଛେଦ କରୁଛି ବିଏମ୍ସି। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ଜଣାଯାଇଛି। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ଏବେ ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନଗୁଡ଼ିକ ଉଚ୍ଛେଦ କରାଯିବ। ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଆଦି ଗୂରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଶେଷ ହୋଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରକଳ୍ପ ଲାଗି ଜଗନ୍ନାଥ ହେରିଟେଜ କରିଡର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ ପ୍ରସ୍ତୁତି ମଧ୍ୟ ସରିଯାଇଛି। କୋରୋନା ସ୍ଥିତି ଉପୁଜିବା ପରେ ଦେଶରେ ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିଲା। ଫଳରେ ସବୁ ଉନ୍ନୟନ କାମ ବନ୍ଦ ରହିଥିଲା। ହେଲେ ଦୀର୍ଘ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଅଟକି ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ୨୦୧୯ ଅକ୍ଟୋବର ମାସରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାପରେ ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀମନ୍ଦିରର ୭୫ ମିଟର ପରିଧି ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥିଲା। ଏହାପରେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଅଗ୍ରଗତି ହୋଇଥିଲା। ବିଶେଷକରି ପୁରୀ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ମାଗଣାରେ ଜୋତା ଷ୍ଟାଣ୍ଡ୍, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍, ପାଦ ଚଲା ରାସ୍ତା, ଥଣ୍ଡା ପାନୀୟ ଜଳ ଓ ବସିବା ପାଇଁ ବ୍ୟବସ୍ଥା ଭଳି ଅତ୍ୟାବସକୀୟ ସୁବିଧା ମାନର ବ୍ୟବସ୍ଥା କରାଯାଇଥିଲା। ଏଥି ସହ ଭକ୍ତଙ୍କ ବସିବା ପାଇଁ ଏକ ବଡ ଆକାରର ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଶ୍ରୀମନ୍ଦିର ଅଞ୍ଚଳରେ ସବୁଜିମା ବଳୟ ସୃଷ୍ଟି କରାଯାଇଛି।


