ପୃଥକ ଗ୍ରାମରୁ ୧୦୦ ଘନଫୁଟ କାଠ ପଟା ଜବତ କଲା ବନବିଭାଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ଚାନ୍ଦପୁର ଓ ଗଡଗୋବିନ୍ଦପୁର ଗ୍ରାମର ଏକ ପରିତ୍ୟକ୍ତ ଘର ଭିତରୁ ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୧୦୦ ଘନଫୁଟ ଶାଗୁଆନ କାଠ ପଟା ଜବତ କରାଯାଇଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଖବରନୁଯାୟୀ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳୁ ବନବିଭାଗ ଅଧିକାରୀ ବିଶେଷ ସୂତ୍ରରୁ ଖବରପାଇ ଉକ୍ତ ଦୁଇଟି ଗ୍ରାମରେ ଚଢାଉ କରିଥିଲେ । ଏହାପରେ ଉକ୍ତ ଘର ମାନଙ୍କରେ ବେଆଇନ ଚୋରାଚାଲାଣ ପାଇଁ ସ୍ଥଗିତ ରଖାଯାଇଥିବା କାଠପଟାକୁ ଜବତ କରିଥିଲେ । ଏକଜ୍ଯୁଟିଭ ମାଜିଷ୍ଟ୍ରେଟ ତଥା ଚିକିଟି ଅତିରିକ୍ତ ତହସିଲଦାର , ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ , ବ୍ରହ୍ମପୁର ଭ୍ରାମ୍ୟମାଣ ସ୍କାଡ ଟିମ୍ ସମେତ ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ବନବିଭାଗ କର୍ମଚାରୀ ମାନେ ଏହି ଚଢ଼ାଉ ସମୟରେ ସାମିଲ ରହିଥିଲେ । ଏହାପରେ ଜବତ କାଠ ପଟା ଗୁଡିକୁ ଟ୍ରାକ୍ଟର ସହାୟତାରେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ଖବର ମିଳିଛି । ଏନେଇ କାହାରିକୁ ଗିରଫ କରାଯାଇନଥିବା ବେଳେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।


