ପେଟ ଯନ୍ତ୍ରଣାର କାରଣ ‘ସିବୋ’
ଖରାପ ଲାଇଫ୍ଷ୍ଟାଇଲ୍ ପାଇଁ ଆଜିକାଲି ଲୋକେ ବହୁତ ଶୀଘ୍ର ପେଟ ଜନିତ ରୋଗର ଶିକାର ହେଉଛନ୍ତି। ଯେଉଁ କାରଣରୁ ସେମାନଙ୍କୁ ପେଟ ଯନ୍ତ୍ରଣା, ଗ୍ୟାସ, କୋଷ୍ଠକାଠିନ୍ୟ ଓ ସ୍ମଲ୍ ଇଣ୍ଟେଷ୍ଟାଇନାଲ ବ୍ୟାକ୍ଟେରିଆଲ ଓଭରଗ୍ରୋଥ (ସିବୋ) ଭଳି ସମସ୍ୟାରେ ପଡ଼ୁଛନ୍ତି। ଏବେ ଆପଣ ଭାବୁଥିବେ ସିବୋ କ’ଣ। ଚାଲନ୍ତୁ ଜାଣିବା ଏହି ରୋଗ ସହିତ ଜଡ଼ିତ କେତେକ ବିଶେଷ କଥା।
ସିବୋ କ’ଣ
ଛୋଟ ଅନ୍ତନଳୀରେ ଥିବା ବ୍ୟାକ୍ଟୋରିଆକୁ ଇଂରାଜୀରେ ସ୍ମଲ୍ ଇଣ୍ଟେଷ୍ଟାଇନାଲ ବ୍ୟାକ୍ଟେରିଆଲ ଓଭରଗ୍ରୋଥ୍ ବା ସିବୋ କୁହାଯାଏ। ଯେତେବେଳେ ବ୍ୟକ୍ତି ଖାଉଥିବା ପୋଷକତତ୍ତ୍ବ ଓ ଅନ୍ୟ ଆବଶ୍ୟକୀୟ ତତ୍ତ୍ବ ଭଲ ଭାବେ ହଜମ ନ ହୁଏ, ଏହି ସମସ୍ୟା ହୋଇଥାଏ। ଏହି କାରଣରୁ ଦୁର୍ବଳତା, ଶରୀରରେ ଆବଶ୍ୟକୀୟ ତତ୍ତ୍ବର ଅଭାବ ଓ ଲଗାତର ଓଜନ କମ୍ ହେବା ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଅନେକ ସମୟରେ ଏହି ସମସ୍ୟା ବ୍ୟକ୍ତିଙ୍କୁ ଆବ୍ଡୋମିନାଲ ସର୍ଜରୀ ଭଳିଗ୍ୟାଷ୍ଟ୍ରିକ୍ ବାଇପାସ୍ ସର୍ଜରୀ କିମ୍ବା ଅଧିକ ଔଷଧ ସେବନ କରିବା ଫଳରେ ମଧ୍ୟ ହୋଇଥାଏ। ଅଧିକ ଔଷଧ ସେବନ କରିବା ଦ୍ବାରା ଆପଣଙ୍କ ସ୍ମଲ୍ ଇଣ୍ଟେଷ୍ଟାଇନ୍ ଦୁର୍ବଳ ହେବାରେ ଲାଗିଥାଏ। ଯାହାଫଳରେ ଆପଣ ଖାଉଥିବା ଖାଦ୍ୟ ଅନ୍ତନଳୀରେ ରୋକି ଯାଏ। ଖାଦ୍ୟ ଠିକ୍ ଭାବେ ହଜମ ନ ହେବା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହେଉଥିବା କାରଣରୁ ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ବ୍ୟାକ୍ଟେରିଆ ଜମା ହୋଇଯାଏ। ଯାହାକୁ ଡାକ୍ତରୀ ଭାଷାରେ ସିବୋ କୁହାଯାଏ।
ସିବୋର ଲକ୍ଷଣ
ପେଟର ନିମ୍ନ ଭାଗରେ ଯନ୍ତ୍ରଣା, ବିନା କାରଣରେ ଥକା ଅନୁଭବ ହେବା, ପେଟ ଫୁଲିବା କିମ୍ବା ପେଟ ବଢ଼ିବା, ପେଟ ଖରାପ, କୋଷ୍ଠକାଠିନ୍ୟ, ଗ୍ୟାସ୍ ଓ ବଦହଜମୀ, ଓଜନ ହ୍ରାସ ପାଇବା ଆଦି ସିବୋର ଲକ୍ଷଣ।
ସିବୋର ଚିକିତ୍ସା
ସମସ୍ୟା ଅଧିକ ବଢ଼ିଗଲେ, ଆପଣଙ୍କୁ ଆଣ୍ଟିବାୟୋଟିକ୍ର ଆବଶ୍ୟକତା ପଡ଼ିପାରେ। କିନ୍ତୁ ଡାକ୍ତରଙ୍କ ଚିକିତ୍ସା ସହିତ କିଛି ଘରୋଇ ଜିନିଷର ସେବନ ମଧ୍ୟ କରିପାରିବେ। ଯାହାଫଳରେ ଆପଣ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଲେମ୍ବୁ, ମହୁ ଓ ଗୋଲମରିଚ
ରାତିରେ ଶୋଇବା ପୂର୍ବରୁ ହାଲୁକା ଉଷୁମ ପାଣିରେ ଗୋଟିଏ ଲେମ୍ବୁ ରସ, ୧ ଚାମଚ ମହୁ ଓ ୧ ଚିମୁଟା ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ। ସିବୋ ରୋଗୀ ରାତିରେ ଗରିଷ୍ଠ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ। ବିଶେଷକରି କ୍ଷୀର ଓ ଦୁଗ୍ଧ ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।
ହେଙ୍ଗୁ
ବଦହଜମୀ, ଗ୍ୟାସ ଓ ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଶେଷ କରିବା ପାଇଁ ହେଙ୍ଗୁ ଏକ ଉତ୍ତମ ବିକଳ୍ପ ଅଟେ। ତରକାରୀରେ ହେଙ୍ଗୁ ବ୍ୟବହାର କରିବା ସହିତ ନାଭିରେ ହେଙ୍ଗୁ ଲଗାନ୍ତୁ। ନାଭିରେ ହେଙ୍ଗୁ ଲଗାଇବା ଲାଗି ୧ ଚିମୁଟା ହେଙ୍ଗୁକୁ ପାଣି ସହିତ ମିଶାଇ ଭଲ ଭାବେ ମଲମ ପ୍ରସ୍ତୁତ କରନ୍ତୁ। ଏହି ମଲମକୁ ସକାଳ ସନ୍ଧ୍ୟାରେ ଦୁଇ ଥର ନାଭିରେ ଲଗାନ୍ତୁ। ଏହାଫଳରେ ମଧ୍ୟ ପେଟ ସମ୍ବନ୍ଧିତ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିପାରିବ। ଏହାବ୍ୟତୀତ ଖାଦ୍ୟରେ ଜାମୁ କୋଳି, କମଳା, ବାଦାମ, ସବୁଜ ପନିପରିବା ଓ ଓଟ୍ସ ଆଦି ସାମିଲ୍ କରନ୍ତୁ। ଏହା ଆପଣଙ୍କ ସ୍ମଲ୍ ଇଣ୍ଟେଷ୍ଟାଇନାଲ ଉପରେ କମ୍ ଚାପ ପକାଇବ। ଯାହାଫଳରେ ଆଣ୍ଟିବାୟୋଟିକ୍ସ ଭଲ ଭାବେ କାମ କରିପାରିବ।


