ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ୨ମହିଳାଙ୍କ ସମେତ ୧୩ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ପୋଲିସକୁ ଗତ ୧୪ ତାିରିଖ ବିଳମ୍ବିତ ରାତ୍ରରେ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଘଟଣାରେ ୨ଜଣ ମହିଳା ସମେତ ୧୩ଜଣ ଗିରଫ ହୋଇଛନ୍ତି । ପୋଲିସ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କ ସହ ଅନ୍ୟ ଆକ୍ରମଣ କାରୀ ମାନେ ଫେରାର ଥିବା ଯୋଗୁଁ ଗିରଫ ହୋଇ ନଥିବା ପୋଲିସ ସୁଚନା ଦେଇଛି । ଘଟଣାରୁ ପ୍ରକାଶ ଗତ ୧୪ ତାରିଖ ବିଳମ୍ବିତ ରାତ୍ରରେ ବିରିକୋଟ ଗ୍ରାମର ବ୍ରିଜ ନିକଟରେ ଦେଶୀମଦ ଚୋରା ଚାଲାଣ କରାଯାଉଥିବା ଖବର ଅଡବା ଥାନା ପୋଲିସ ଠାରେ ପହଞ୍ଚିଥିଲା । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜିପ୍‌ରେ ଜଣେ ଏସଆଇ,୨ଜଣ ମହିଳା ଏବଂ ୩ଜଣ ପୁରୁଷ କନେଷ୍ଟେବଲ୍ ,ଜଣେ ଗ୍ରାମରକ୍ଷୀ ଏବଂ ଡ୍ରାଇଭର ବିରିକୋଟ ଗ୍ରାମର ବ୍ରିଜ ନିକଟରେ ପହଞ୍ଚି ଥିଲେ । ସେଠାରେ ୪ଗୋଟି ବ୍ୟାରେଲରେ ୮୦ ଲିଟର ଦେଶୀମଦ ଚାଲାଣ ପାଇଁ ପ୍ରସ୍ତୁତ ଥିଲା ଏବଂ ସେଠାରେ ୮ଜଣ ଚୋରାଚାଲାଣକାରୀ ଉପସ୍ଥିତ ଥିଲେ । ପୋଲିସ ଦେଶୀମଦ ଚାଲାଣକୁ ବାରଣ କରିବାରୁ ଏହି ବ୍ୟକ୍ତିମାନେ ପାଟି କରି ଗ୍ରାମ ଲୋକଙ୍କୁ ଡାକିଥିଲେ । ଏଥିରେ ୬୦ରୁ୭୦ଜଣ ଲୋକ ଆସି ପହଞ୍ଚି ଥିଲେ । ଲୋକେ ପୋଲିସକୁ ବିରୋଧ କରି ଚାରିପଟୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେଠାକୁ ଯାଇଥିବା ସମସ୍ତ ୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଏସଆଇ ଚନ୍ଦନ କୁମାର ଦାସ ଏବଂ କନେଷ୍ଟେବଲ ଦଶରଥୀ ଶବର ଗୁରୁତର ଭାବେ ଆହତ ହୋଇ ଅଡବା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଜିପଟିକୁ ମଧ୍ୟ ଏମାନେ ଭାଙ୍ଗିଥିଲେ । ଠେଙ୍ଗା,କାତି,ଟାଙ୍ଗିଆ ଆଦିରେ ଆକ୍ରମଣକାରୀମାନେ ସଙ୍ଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରିଥିଲେ ବୋଲି ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ଗତକାଲି ସୁଚନା ଦେଇଥିଲେ । ଏ ନେଇ ଅଡବା ଥାନା କେସ ନଂ ୨୭/୨୦ରେ ମାମଲା ରୁଜୁ କରାଯାଇଛି । ଏହି ମାମଲା ୮ଜଣଙ୍କ ନାମରେ ଓ ଅନ୍ୟାନ୍ୟ ୬୦/୭୦ ଜଣଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା । ପୋଲିସ ଆଜି ଏହି ଘଟଣାରେ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ବିରିକୋଟ ଗ୍ରାମର କାହ୍ନୁ ନାୟକ(୨୫),ସନୋଜ ନାୟକ(୨୫),ବିଶ୍ୱ ନାୟକ(୨୩)ସର୍କିଲ ନାୟକ(୩୫),କୁସମୀ ନାୟକ(୨୦),ନେନା ନାୟକ(୬୫),କୁଳକାନ୍ତ ନାୟକ(୩୬),ଅମର ନାୟକ(୨୦)ରାଷ୍ଟ୍ରପତି ନାୟକ(୨୭),ରାଜୀବ ନାୟକ(୨୧)ପ୍ରମୋଦ ନାୟକ(୩୪),ରଶ୍ମିତା ନାୟକ(୨୦),ଅଶୋକ ନାୟକ(୨୩) ପ୍ରମୁଖ ୧୩ ଜଣ ଅଟନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ମହିଳା ପୋଲିସ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି । ଏମାନେ ସମସ୍ତେ ବିରିକୋଟ ଗ୍ରାମର ଖ୍ରୀଷ୍ଟିୟାନ ସାହିର ବାସିନ୍ଦା ଅଟନ୍ତି । ଏମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା,ଲୁହାରଡ୍‌,କାତି ଆଦିକୁ ପୋଲିସ ଜବତ କରିଛି । ହେଲେ ଏହି ଘଟଣାର ମୁଖ୍ୟ ଆସାମୀମାନଙ୍କ ସହିତ ଅନ୍ୟ ଆକ୍ରମଣକାରୀମାନେ ଫେରାର ଅଛନ୍ତି । ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ କହିଛନ୍ତି,ଫେରାର ଥିବା ଆକ୍ରମଣକାରୀଙ୍କୁ ପୋଲିସ ଅତି ତୁରନ୍ତ ଗିରଫ କରାଯିବ । ଏମାନଙ୍କୁ ଗିରଫ କରିବା ସମୟରେ ଅଡବା ପୋଲିସ ପୁଣି ଅନ୍ୟ ଏକ ଦେଶୀମଦ ଚୋରା କାରବାରକୁ ଜବତ କରିବା ସହ ଜଣେ ମହିଳାଙ୍କ ସହ ୪ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ୪ ଗୋଟି ବ୍ୟାରେଲରେ ୧୪୦ ଲିଟର ଦେଶୀମଦ ସହ ମଦରନ୍ଧା ବିଭିନ୍ନ ସାମଗ୍ରୀକୁ ଅଡବା ପୋଲିସ ଜବତ କରିଛି ।ଗିରଫ ହୋଇଥିବା ୪ ଜଣ ପ୍ରଭାକର ସିଂ(୫୫),ଥୋମାସ ନାୟକ(୪୫),ଏନ.ବସ୍ତରାୟ(୬୦) ଏବଂ ତବିଏସ ପାଣି(୫୬) ବୋଲି ଅଡବା ଥାନା ଏସଆଇ ଉତ୍କଳ ପ୍ରଧାନ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ