ପାରଳା ସହର ତଳି ଅଞ୍ଚଳରେ ପାନୀୟଜଳ ସଂକଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ତଳି ଅଞ୍ଚଳର ରେଳଷ୍ଟେସନ ନିକଟ ହନୁମାନ ମନ୍ଦିର ପାଶ୍ୱର୍ ଭାଗରେ ଥିବା ୬୦ପରିବାର ବସ୍ତି ଅଞ୍ଚଳରେ ପାନୀୟଜଳର ସଂଙ୍କଟ ଦେଖା ଦେଇଛି । ଏଠାରେ ଗତ ଦୀର୍ଘ ଦିନ ଧରି ୬୦ ଗୋଟି ପରିବାର ଏକ ବସ୍ତିରେ ବସବାସ କରି ଆସୁଛନ୍ତି । ଏମାନଙ୍କ ପାଇଁ ବସ୍ତିରେ କୌଣସି ଷ୍ଟାଣ୍ଡ ପାଇପ୍ କିମ୍ବା ପାନୀୟଜଳ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଶେଷ କରି ଏହି ବସ୍ତିବାସୀନ୍ଦା ଖରା ଦିନେ ପିଇବା ପାଣି ପାଇଁ ଡହଳ ବିକଳ ହୋଇ ପଡୁଥିବା ଜଣାଇଛନ୍ତି । ଏମାନେ କହିଛନ୍ତି,ବର୍ତ୍ତମାନ ପାଣି ହାଣ୍ଡିଏ ପାଇଁ ସକାଳୁ ଉଠି ରେଳ ଧାରଣା ଅତିକ୍ରମ କରି କିଛି ଦୁରରେ ଥିବା ଏକ ଷ୍ଟାଣ୍ଡ ପାଇପ୍ରୁ ପାଣି ସଂଗ୍ରହ କରି ଅଣୁଛୁ । ହେଲେ ବର୍ତ୍ତମାନ ପାରଳା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କିଛି ସମୟ ପାଇଁ ପାଣି ଯୋଗାଣ ହେଉଛି । ଖରାଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଦେଢରୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣି ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ସୀମିତ ସମୟ ପାଇଁ ପାଣି ଯୋଗାଣ ହେଉଛି । ତେଣୁ ଷ୍ଟାଣ୍ଡ ପାଇପ୍ ଥିବା ଅଞ୍ଚଳର ଲୋକେ ପାଣି ନେବା ପରେ ଆମକୁ ପାଣି ସଂଗ୍ରହ କରିବାକୁ ପଡୁଛି । ତେଣୁ ବହୁ ସମୟରେ ଆମ ୬୦ ପରିବାର ମଧ୍ୟରୁ ୨୦ରୁ୩୦ ପରିବାର ମାଠିଏ ପାଣି ବି ପାଇପାରୁ ନାହୁଁ । ହେଲେ ଆମ ବସ୍ତିକୁ ଅଣାଯାଇଥିବା ପାଣିରୁ କିଛି ପରିମାଣରେ ପାଣି ମିଳିଥାଏ । ପ୍ରତ୍ୟେକ ଦିନ ଏଭଳି ସଂଙ୍କଟ ମଧ୍ୟରେ ଗତି କରୁଛୁ । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆମ ବସ୍ତି ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା କରନ୍ତୁ ବୋଲି ଏମାନେ ଅନୁରୋଧ କରିଛନ୍ତି ।


