ପ୍ରଚାରସର୍ବସ୍ୱ ମୋଦି ସରକାର

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଅନ୍ୟ ଦଳଙ୍କ ମଧ୍ୟରେ ଶାସକ ବିଜେପି ସର୍ବାଧିକ ଖର୍ଚ୍ଚ କରିଥିବା ଜଣାପଡିଛି । ଏଠାରେ କେବଳ ଗୋଟିଏ ମାସ (ଫେବ୍ରୁଆରି)ର ହିସାବ ଦିଆଯାଇଛି । ଫେବ୍ରୁଆରି ମାସର ୨୮ଦିନ ମଧ୍ୟରେ ଫେସବୁକ୍ ଭାରତୀୟ ରାଜନୈତିକ ଦଳଙ୍କ ଠାରୁ ମୋଟ୍ ସାଢ଼େ ୪କୋଟି ଟଙ୍କା ଆୟ କରିଛି । ଏଥିରେ ବିଜେପିର ଖର୍ଚ୍ଚ ପରିମାଣ ଅନ୍ୟ ସମସ୍ତ ରାଜନୈତିକ ଦଳର ଖର୍ଚ୍ଚର ମିଳିତ ପରିମାଣକୁ ମଧ୍ୟ ପଛରେ ପକାଇଦେଇଛି ।
ପ୍ରଚାର, ପ୍ରସାର ସର୍ବସ୍ୱ ମୋଦି ସରକାର କେବଳ ନିଜ ପ୍ରମୋସନ୍ ପାଇଁ ସୋସିଆଲ ମିଡିଆ (ଫେସବୁକ୍)ରେ ବିଜ୍ଞାପନ ଉପରେ ବିଜ୍ଞାପନ ଦେଇ ଏକ ଅଘୋଷିତ ରେକର୍ଡ ସୃଷ୍ଟି କରିଛି । ଫେସବୁକ୍ ବିଜ୍ଞାପନ ଆର୍କାଇଭ୍ ରିପୋର୍ଟ ଅନୁଯାୟୀ ଗତ ଫେବୃଆରି ମାସରେ ଭାରତୀୟ ଜନତା ପାର୍ଟି ଓ ତାର ସହଯୋଗୀ ରାଜନୈତିକ ଦଳଗୁଡିକ ବିଜ୍ଞାପନ ବାବଦରେ ୨କୋଟି ୩୭ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଅପରପକ୍ଷରେ ଆଞ୍ଚଳିକ ଦଳ ଗୁଡିକ ଏହି ବାବଦରେ ଫେସବୁକ୍ରେ ମାତ୍ର ୧୯ ଲକ୍ଷ ୮ଠ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏମାନଙ୍କ ଠାରୁ ମଧ୍ୟ କମ୍ ଅର୍ଥ (୧ଠଲକ୍ଷ ୬ଠହଜାର ଟଙ୍କା) କଂଗ୍ରେସ ଓ ତା’ର ସହଯୋଗୀ ଦଳଗୁଡିକ ଖର୍ଚ୍ଚ କରିଛନ୍ତି । ଏହି ରିପୋର୍ଟ କେବଳ ଫେସବୁକ୍ରେ ହୋଇଥିବା ବିଜ୍ଞାପନ ବାବଦକୁ ଖର୍ଚ୍ଚ ପରିମାଣ ବୋଲି ସ୍ପଷ୍ଟ ହୋଇଛି । ସୁତରାଂ ବିଜେପି ଅନ୍ୟ ମାଧ୍ୟମଗୁଡିକରେ କେତେ ଅର୍ଥ ଖର୍ଚ୍ଚ କରିଥିବ ସେନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଞ୍ଚଳିକ ଦଳ ମଧ୍ୟରେ ତେଲୁଗୁ ଦେଶମ୍ ପାର୍ଟି, ଶିବସେନା ଓ ୱାଇଏସ୍ଆର କଂଗ୍ରେସ ସବୁଠାରୁ ବେଶି ଖର୍ଚ୍ଚ କରିଥିବା ଜଣାଯାଇଛି ।
ପ୍ରକାଶ ଯେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଫେସବୁକ୍ ମଧ୍ୟ ବିଜ୍ଞାପନ ନିୟମରେ ପରିବର୍ତ୍ତନ କରିଛି । ଯିଏ ବି ଭାରତରେ ଫେସବୁକ୍ରେ ରାଜନୈତିକ ବିଜ୍ଞାପନ ଦେବ ସେ ନିଜ ପରିଚୟ ପତ୍ର, କେଉଁ ଉଦ୍ଦେଶ୍ୟରେ ବିଜ୍ଞାପନ ଦେଉଛି ଲେଖିବାକୁ ପଡିବ ବୋଲି ଫେସବୁକ୍ କର୍ତ୍ତୃପକ୍ଷ ନିୟମ ପ୍ରଣୟନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ