ସକାଳ ୯ଟା ଯାଏ ବିଦ୍ୟାଳୟରେ ପାଠପଢା: ଜିଲ୍ଲାପାଳ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆସନ୍ତା ମଙ୍ଗଳବାର ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍ମୁଲରେ ସକାଳ ସାଢେ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପାଠ ପଢା ହେବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମଧ୍ୟ ବୃଦ୍ଧି ପାଉଛି। ଫଳରେ ସ୍କୁଲ ପିଲାମାନେ ୯ଟା ପରେ ପାଠ ପଢିବା କଷ୍ଟକର ହେଉଛି। ତେଣୁ ମଙ୍ଗଳବାର ଅର୍ଥାତ ୨୧ ଅପ୍ରେଲରୁ ସକାଳ ସାଢେ ୬ଟାରୁ ସମସ୍ତ ସ୍କୁଲରେ ପାଠ ପଢା ଆରମ୍ଭ ହେବ ଓ ୯ଟା ସୁଦ୍ଧା ବନ୍ଦ ହେବ। ଏହି ଆଦେଶକୁ କୌଣସି ସ୍କୁଲ ଉଲ୍ଲଙ୍ଘନ କଲେ ସଂପୃକ୍ତ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ଅନୁଯାୟୀ ଜିଲ୍ଲାରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱତନ୍ତ୍ର ବିଦ୍ୟାଳୟଗୁଡିକରେ ସକାଳ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠ ପଢା ହେବ। ଏଥିସହ ସରକାରୀ, ଅନୁଦାନପ୍ରାପ୍ତ ଓ ସମସ୍ତ ସ୍ୱୀକୃତୀପ୍ରାପ୍ତ, ବେସରକାରୀ ବିଦ୍ୟାଳୟଗୁଡିକରେ ଗ୍ରୀଷ୍ମ ଲହରୀ ପାଇଁ ଉପରୋକ୍ତ ସମୟସୀମା ମଧ୍ୟରେ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସୂଚନା ଦେଇଛନ୍ତି।


