ପ୍ରତିଶୋଧ ପାଇଁ ହତ୍ୟା ଉଦ୍ୟମ ମାମଲା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଅଧିନ ବନ୍ଥପଲ୍ଲୀ ଗାଁ ର ପଞ୍ଚୁ ଭୁୟାଁ ଙ୍କୁ ହତ୍ୟା ଉଦ୍ୟମ ମାମଲା ରେ ଫେରାର ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳେ ଛଦ୍ମ ବେଶରେ ରାଜଧାନୀ ର ଏକ ବସ୍ତି ଉପରେ ଫିଲ୍ମ୍ ଷ୍ଟାଇଲ ରେ ଅତର୍କିତ ଚଢାଉ କରି ଘଟଣାର ମାଷ୍ଟର ମାଇଣ୍ଡ ଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି। ଅଭିଯୁକ୍ତ ମାନେ ହେଲେ ବନ୍ଥ ପଲ୍ଲୀ ଗାଁ ର ଜୟସେନ ସ୍ବାଇଁ,ମିଥୁନ ସ୍ବାଇଁ ଏବଂ ମହୁଡ଼ା ଚାଞ୍ଚଡା ପଲ୍ଲୀ ଗାଁ ର କଟକି ଓରଫ କୃଷ୍ଣଚନ୍ଦ୍ର ସ୍ବାଇଁ,ହେମନ୍ତ ସ୍ବାଇଁ,ରାଜେନ୍ଦ୍ର ଗୌଡ। କଟକ ମେଡିକାଲ ରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ହେଉଥିବା ପଞ୍ଚୁଙ୍କ ସ୍ତ୍ରୀ ନଳିନୀ ଭୁୟାଁ ଙ୍କ ଏତଲା କୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ.୫୮/୨୧ ଦଫା – ୩୦୭/୩୨୩/୩୨୪/୩୨୬/୩୪୧/୩୪ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣିବା ପରେ ସେମାନଙ୍କୁ ପୋଲିସ ସାବଧାନତା ର ସହ କୌଣସି ଅଜ୍ଞାତ ସ୍ଥାନରେ ଅଟକ ରଖି ମାରାଥନ ଜେରା ଚଳାଇଛନ୍ତି। ଗତ ମଙ୍ଗଳବାର ଭୋର ରେ ଅଭିଯୁକ୍ତମାନେ ଲୁଚିଥିବା ଏକ ଘର ଉପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ଗଠିତ ସ୍ଵତନ୍ତ୍ର ଟାସ୍କ ଫୋର୍ସ ସାଦା ପୋଷାକରେ ଚଢାଉ କରିଥିଲେ।ପୋଲିସ ଚଢାଉ ପୂର୍ବରୁ ସୂଚନା ପାଇ ସମସ୍ତ ଅଭିଯୁକ୍ତ ଖସିଯିବା ପାଇଁ ରାସ୍ତା ରେ ଦୋୖଡି ଥିଲେ। ଆଇ ଆଇ ସି ସେମାନଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି। ବୁଧବାର ପୋଲିସ ଅଭିଯୁକ୍ତ ମାନଙ୍କ ସୂଚନା ପ୍ରକାରେ ହତ୍ୟା ଉଦ୍ୟମ ମାମଲା ରେ ବ୍ୟବହୃତ ଖଣ୍ଡା, କାତି ପ୍ରଭୃତି ମାରଣାସ୍ତ୍ର ଜବତ କରିବା ପରେ ସେମାନେ ତଦନ୍ତକାରୀ ପୋଲିସ ଅଧିକାରୀ ତଥା ଆଇ ଆଇ ସି ଙ୍କ ଉପସ୍ଥିତିରେ ଘଟଣା ର ଡେମାେ ପ୍ରଦର୍ଶନ କରିଥିଲେ। ପ୍ରକାଶ ଯେ, ଗତ ରବିବାର ସକାଳ ପ୍ରାୟ ସାଢେ଼ ୮ ଟାରେ ଗାଁ ନିକଟ ସାପୁଆ ନାଳ କୁ ଗାଧୋଇ ଯାଇଥିବା ପଞ୍ଚୁ ଭୁୟାଁ ଙ୍କୁ ପୂର୍ବ ଯୋଜନା ପ୍ରକାରେ ବିଲମାଳ ରେ ଗୋଡ଼ାଇ ଗୋଡ଼ାଇ ସେମାନେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଙ୍କ ଆଦେଶ ଅନୁଯାୟୀ କୋଭିଡ଼ ପରୀକ୍ଷା କରାଯାଇଛି।ଗୁରୁବାର ସେମାନଙ୍କୁ ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ପୋଲିସ ଏନେଇ ସବିଶେଷ ସୂଚନା ଦେବାକୁ ମନା କରିଦେଇଛନ୍ତି। ପ୍ରାପ୍ତ ସୂଚନା ପ୍ରକାରେ ଗତ ୨୦୨୦ ଅକ୍ଟୋବର ୨୪ ତାରିଖରେ ଗାଁ ର ଜଣେ ଜଣାଶୁଣା ପେସାଦାର ଅପରାଧୀ ବଚ୍ଚନ ସ୍ବାଇଁ ଙ୍କୁ ଯୋଜନାବଦ୍ଧ ଭାବେ ଦିବାଲୋକରେ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପଞ୍ଚୁ ଙ୍କ ସମେତ ତାଙ୍କ ସମସ୍ତ ଭାଇ ଉକ୍ତ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ନେଇ ବଚ୍ଚନ ଙ୍କ ପରିବାର ଲୋକେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଏତଲା କୁ ଭିତ୍ତିକରି ପୋଲିସ ଘଟଣାର ପରଦିନ ୨ ଅଭିଯୁକ୍ତ କଙ୍ଗୁରୁ ଭୂୟାଁ ,କାଳିଆ ଭୂୟାଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବର୍ତମାନ ଉଭୟ ଅଭିଯୁକ୍ତ ବ୍ରହ୍ମପୁର ଜେଲ ରେ ବିଚାରାଧୀନ ଅନ୍ତେବାସୀ ଭାବେ ଅଟକ ରହିଛନ୍ତି। ଘଟଣାର ୪ ମାସ ପରେ ମଧ୍ୟ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିନଥିବାରୁ ମୃତ ବଚ୍ଚନ ଙ୍କ ୨ ଭାଇ ଜୟସେନ ଓ ମିଥୁନ ଙ୍କ ସମେତ ତାଙ୍କ ସମର୍ଥକ ମାନେ ଉତ୍ତେଜିତ ହୋଇ ହତ୍ୟାକାଣ୍ଡ ର ପ୍ରତିଶୋଧ ନେବା ପାଇଁ ପଞ୍ଚୁ ଙ୍କୁ ହତ୍ୟା ଉଦ୍ୟମ କରିଥିବା କିଛି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଗତ କିଛିଦିନ ପୂର୍ବେ ପଞ୍ଚୁ ଙ୍କୁ ହତ୍ୟା କରିବା ନିମନ୍ତେ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ବୋଲି ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ସୂଚନା ଯୋଗ୍ୟ ଏହିକି ଯେ, ଗତ ୨୦୧୪ ରେ ଗାଁ ର ଜଣେ ବ୍ୟବସାୟୀ ରାମ ପାଢ଼ୀ ଙ୍କୁ ହତ୍ୟା କରାଯାଇଥିଲା।ଏହି ହତ୍ୟାକାଣ୍ଡ ରେ ବଚ୍ଚନ ଙ୍କ ଜଣେ ଭାଇ ପ୍ରମୁଖ ସାକ୍ଷୀ ଥିଲେ। ସେହିପରି ବଚ୍ଚନ ଙ୍କ ନାଁ ରେ  ପୂର୍ବରୁ ଦିଗପହଣ୍ଡି ଥାନା ସମେତ ବ୍ରହ୍ମପୁର ସହରର ବିଭିନ୍ନ ଥାନା ରେ ୨୦ ରୁ ଉର୍ଦ୍ଧ୍ବ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୋଲିସ ରେକର୍ଡ ରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ