ପ୍ରଧାନମନ୍ତ୍ରୀ କୃଷିବୀମାକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ
ପ୍ରଧାନମନ୍ତ୍ରୀ କୃଷିବୀମାକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଅବଧି ଜୁଲାଇ ୩୧ ତାରିଖ ଥିବା ସ୍ଥଳେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରକୁ ଚିଠି ଲେଖିବେ । ରାଜସ୍ୱ ନିରୀକ୍ଷକ, ଗ୍ରାମସେବାକ ଓ ଏଚ୍.ଡି.ଏଫ୍.ସି. ବୀମା କମ୍ପାନୀର ଏଜେଣ୍ଟ ମିଳିତ ଭାବରେ ଗ୍ରାମସ୍ତରରେ ସ୍ୱଳ୍ପ ବୃଷ୍ଟିର ସର୍ଭେ କରିବେ । ଏଥିରେ ଗ୍ରାମକୁ ଏକକ ଭାବେ ନିଆଯିବ । ଚାଷ ବ୍ୟାହତ ହେଲେ ସଂପୃକ୍ତ ଚାଷୀ କିପରି ବୀମାରାଶି ପାଇପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଅପବୃଷ୍ଟିର ସଠିକ୍ ଚିତ୍ର ତିନିଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିଋଣ ପାଇଁ ଚଳିତ ବର୍ଷ ୪୬୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସ୍ଥଳେ ଏହା ପୂରଣ ହୋଇପାରୁ ନଥିବାରୁ ଋଣ ମେଳାର ଆୟୋଜନ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୧୬୬୨ ଗୋଟି ଉପଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯିବ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଡେପୁଟି କଲେକ୍ଟର ଡ.ଦିବ୍ୟଲୋଚନ ମହନ୍ତ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।


