ପ୍ରମୁଖ ବସ୍‌ଷ୍ଟାଣ୍ଡ୍‌ରେ ନିର୍ମାଣ ହେବ ଶପିଂମଲ୍, ମଲ୍ଟିପ୍ଲେକ୍ସ

ଭୁବନେଶ୍ବର: ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକର ହେବ ଉନ୍ନତୀକରଣ। ପ୍ରମୁଖ ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ। ବସ୍‌ଷ୍ଟାଣ୍ଡ୍‌ରେ ନିର୍ମାଣ ହେବ ଶପିଂମଲ୍‌ ଓ ଆବଶ୍ୟକ ସ୍ଥଳେ ବଡ଼ ବସ୍‌ଷ୍ଟାଣ୍ଟ୍‌ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ କେମିତି ଭଲ ବ୍ୟବହାର ପାଇବେ ସେନେଇ କ୍ୟାପିଟାଲ୍‌ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ ଜେନା। ରାଜ୍ୟର ଜନସାଧାରଣମାନଙ୍କୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଯାତ୍ରୀମାନଙ୍କ ପାଇଁ ଆଗାମୀ ଦିନରେ ସରକାରୀ ବସ୍ ସଂଖ୍ୟା ବୃଦ୍ଧି କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
କ୍ରୁଟ୍ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୋ ବସ୍‌ ସହ ଓଏସ୍‌ଆରଟିସିର ୧୨୦ ଜଣ କର୍ମଚାରୀ ମଧ୍ୟ ଏହି କର୍ମଶାଳାରେ ଯୋଗଦେଇଥିଲେ। ଏହି କର୍ମଶାଳା ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିବ। ଦେଶ ବିଦେଶରୁ ଆସିଥିବା ବିଶେଷଜ୍ଞମାନେ ଏହି କର୍ମଶାଳାରେ ବସ୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଜେନା କହିଛନ୍ତି, ଓଏସ୍‌ଆର୍‌ଟିସିର ବସ୍‌ ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି। ବର୍ତ୍ତମାନ ସୁଦ୍ଧା ‘ମୋ ବସ୍’ ଅଧିକ ସଫଳ ହୋଇଛି। ଦୈନିକ ଏଥିରେ ପ୍ରାୟ ଏ ଲକ୍ଷ ଲୋକ ଆତଯାତ କରୁଛନ୍ତି। ଅନ୍ୟପଟେ ‘ମୋ ବସ୍’ ପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ‘ମୋ ବସ୍’ ସେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି । ବର୍ତ୍ତମାନ ରାଜଧାନୀରେ ୨୦୦ଟି ‘ମୋ ବସ୍‌’ ଚାଲୁଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି। ୫୦ଟି ବିଦ୍ୟୁତ୍‌ ଚାଲିତ ବସ ସହ ‘ମୋ ବସ୍’ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ ବୋଲି ଜେନା କହିଛନ୍ତି।
କ୍ରୁଟ୍ ପକ୍ଷରୁ ‘ମୋ ବସ୍‌’ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଛି। ଦେଶ ବାହାରୁ ବିଶେଷଜ୍ଞ ଆସି ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ୍‌ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ