ପ୍ରେମିକ ଡ୍ରଗ୍ସ ନେଉଥିବା ଜାଣି ବିବାହ କଲେ ବିଦେଶୀ ମହିଳା
କୁହାଯାଏ ଭଲପାଇବାର କୌଣସି ସୀମା ନଥାଏ । ପ୍ରକୃତ ପ୍ରେମୀ ସବୁ ସୀମାକୁ ଲଙ୍ଘିଯିବା ସହ ବଡ଼ ବଡ଼ ସମସ୍ୟାକୁ ସାମ୍ନା କରିବାର ଶକ୍ତି ରଖିଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଡେନ୍ମାର୍କର ଜଣେ ମହିଳା । ଫେସ୍ବୁକ୍ ଜରିଆରେ ପଞ୍ଜାବର ଜଣେ ଯୁବକଙ୍କୁ ପ୍ରେମ କରିବା ପରେ ସେ ଡ୍ରଗ୍ସ ନେଉଥିବା ଜାଣିଥିଲେ ମହିଳା । ସବୁ ଜାଣି ମଧ୍ୟ ବିବାହ କରିବା ସହ ମହିଳା ଯୁବକଙ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଚାଟିଂରେ ସବୁବେଳେ ବ୍ୟସ୍ତ ରୁହନ୍ତି ନତାଶା ନତାଲିଏ ସୋମର । ଦିନେ ସେ ଫେସ୍ବୁକ୍ରେ ପଞ୍ଜାବର ଗୁରୁଦାସପୁରରେ ରହୁଥିବା ଯୁବକ ମଲକିତ୍ ସିଂହଙ୍କ ସମ୍ପର୍କରେ ଆସିଥିଲେ । କିଛି ଦିନ କଥା ହେବା ପରେ ଦୁହେଁ ବିବାହର ନିଷ୍ପତ୍ତି ନେଇଥିଲେ । କିଛି ଲୁଚାଇବାକୁ ଚାହୁଁ ନଥିବା ମଲକିତ୍ ଡ୍ରଗ୍ସ ନେଉଥିବା କଥା ନତାଶାଙ୍କୁ ଜଣାଇଥିଲେ । ଚାକିରି ନଥିବାରୁ ମା’ ସବୁବେଳେ ଗାଳି ଦେଉଥିଲେ । ଯାହା ପାଇଁ ମୁଁ ଡ୍ରଗ୍ସ ନେବା ଆରମ୍ଭ କରିଥିଲି, ଏବେ ମୁଁ ଡ୍ରଗ୍ସ ବିନା ବଞ୍ଚିବା ଅସମ୍ଭବ ଭଳି ସ୍ଥିତିରେ ପହଞ୍ଚିଛି ବୋଲି କହିଥିଲେ ମଲକିତ୍ । ସବୁ ଜାଣିବା ପରେ ମଲକିତ୍ଙ୍କ ସଚ୍ଚୋଟପଣିଆରେ ଖୁସି ହୋଇ ନତାଶା ଜାନୁଆରୀ ୨୩ରେ ଭାରତ ଆସିବା ସହ ଦୁହେଁ ବିବାହ କରିଥିଲେ । ଏହା ପରେ ନତାଶା ମଲକିତ୍ଙ୍କ ଡ୍ରଗ୍ସ ନେବା ଅଭ୍ୟାସ ଛଡ଼ାଇବା ପାଇଁ ତାଙ୍କୁ ସର୍ବିଆ ନେଇ ଯାଇଥିଲେ । ସେଠାରେ କିଛି ମାସ ଚିକିତ୍ସା ଚାଲିବା ପରେ ଦୁହେଁ ଭାରତ ଫେରି ଗୁରୁଦାସପୁରରେ ମଲକିତ୍ଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ଏବେ ମଲକିତ୍ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇସାରିଥିବା ବେଳେ ଦୁହେଁ ଡେନମାର୍କରେ ରହୁଥିବା ଜଣାପଡ଼ିଛି ।


