ମହେଶ୍ୱରଙ୍କ ମହିମା ଏବଂ ପବିତ୍ର ଶ୍ରାବଣ ମାସ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆମ ହିନ୍ଦୁ ଧର୍ମର ପ୍ରଧାନ ଆରାଧ୍ୟ ଦେବତା ହେଉଛନ୍ତି ବ୍ରହ୍ମା ,ବିଷ୍ଣୁ ଓ ମହେଶ୍ୱର। ଏହି ତ୍ରିଦେବଙ୍କ ମଧ୍ୟରୁ ବ୍ରହ୍ମାଙ୍କୁ ସୃଷ୍ଟି କର୍ତ୍ତା ଓ ବିଷ୍ଣୁଙ୍କୁ ପାଳନ କର୍ତ୍ତା (ସ୍ଥିତି) ରୂପେ ପୁରାଣାଦିରେ ବର୍ଣ୍ଣନା କରାଯାଇଥିବା ବେଳେ ମହେଶ୍ୱରଙ୍କୁ ସଂହାର କର୍ତ୍ତାର ଅଧିକାରୀ ବୋଲି କୁହାଯାଇଛି। ଏ ସଂହାର ପଦଟି ସମ୍ ଉପସର୍ଗ ଓ ହାର ମୂଳ ଶବ୍ଦକୁ ନେଇ ଗଠିତ। ଯାହାର ଅର୍ଥ ଠିକ୍ ଭାବରେ, ପୂର୍ଣ୍ଣ ଭାବରେ ବା ଏକତ୍ର ଭାବରେ ହରଣ କିମ୍ୱା ନଷ୍ଟ କରିବା । ଏହି କାର୍ଯ୍ୟକୁ ଯିଏ ସୁଚାରୁ ରୂପେ ସମ୍ପାଦନ କରନ୍ତି ଏବଂ ଯିଏ ମହାନ ତଥା ଈଶ୍ୱର ଅଟନ୍ତି ସେ ହେଉଛନ୍ତି ମହେଶ୍ଵର। ତେଣୁ ଏହି ଦେବଙ୍କୁ ଶାସ୍ତ୍ରରେ “ମହାଶ୍ଚାସାବୀଶ୍ୱରଶ୍ଚ କର୍ତ୍ତୁମକର୍ତ୍ତୁମନ୍ୟଥାକର୍ତ୍ତୁଂ ବା ସମର୍ଥଃ” କୁହାଯାଇଛି। ଏହା ସହ ସେ ଅକାଳମୃତ୍ୟୁର ହରଣର କର୍ତ୍ତା ଯୋଗୁଁ ମୃତ୍ୟୁଞ୍ଜୟ, ସଦା ସର୍ବଦା ଧ୍ୟାନସ୍ଥ ହେତୁ ମହାଯୋଗୀ, ସଦାଶମ୍ଭୁ କୁହାଯାଏ । କେବଳ ସେ ମହାଯୋଗୀ ନୁହଁନ୍ତି ଅପିତୁ ସେ ହେଉଛନ୍ତି ସକଳ ଶାସ୍ତ୍ରର ବେତ୍ତା ଏଵଂ ଜ୍ଞାନ ପ୍ରଦାୟକ । ତେଣୁ ଏହି ଈଶଙ୍କୁ ଆଦିଗୁରୁ ବୋଲି ମଧ୍ୟ ପୁରାଣରେ ଉଲ୍ଲେଖ ରହିଛି। ସେହିପରି ସେ ଦେବ ଦେବ ମହାଦେବ ଓ କାଳଙ୍କର କାଳ ଯୋଗୁଁ ତା’ଙ୍କୁ ମହାକାଳ ମଧ୍ୟ କୁହାଯାଏ। ମହାପ୍ରଭୁଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କଲେ, ସେ ଅବିଳମ୍ବେ ପ୍ରସନ୍ନ ହୋଇ ତୁରିତ ବର ପ୍ରଦାନ କରିଥାନ୍ତି । ଏଣୁ ଦେବଙ୍କୁ ଆଶୁତୋଷ ଏବଂ ପ୍ରଥମ ଦେଵତା ହେତୁ ଆଦିଦେବ କୁହାଯାଏ। ଏହି ଭଗବାନ ଦେବ, ଦାନବ, ମାନବ, ଭୂତ, ପ୍ରେତ ଓ ପିଶାଚ ଜାତିର କେବଳ ନାଥ ନୁହଁନ୍ତି ; ସେ ହେଉଛନ୍ତି ପଶୁ ଓ ପକ୍ଷୀମାନଙ୍କର ମଧ୍ଯ ନାଥ। ଅତଃ ଏହାଙ୍କୁ ପଶୁପତିନାଥ ବୋଲି କୁହାଯାଏ। ଏ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ ଅପଶକ୍ତି, ଅନ୍ୟାୟ ଓ ଅନୀତି ଆଦିକୁ ସମ୍ପୂର୍ଣ୍ଣ ଭାବରେ ସଂହାର କରିବା ସହ ସଂସାରକୁ ସୁଖ ,ଶାନ୍ତି ତଥା ମଙ୍ଗଳ ପ୍ରଦାନ କରିଥାନ୍ତି। ତେଣୁ ମହେଶ୍ୱରଙ୍କୁ ସତ୍ୟ – ଶିବ – ସୁନ୍ଦର ମଧ୍ୟ କୁହାଯାଏ।
ଏହି ମହେଶଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ଶ୍ରାବଣ ମାସ। ଯାହାକୁ ସେ ସ୍ୱୟଂ କହିଛନ୍ତି:-
ଦ୍ୱାଦଶସ୍ୱପି ମାସେଷୁ ଶ୍ରାବଣୋ ମେ ‘ତିବଲ୍ଲଭଃ
ଶ୍ରବଣାହଁ ଜନ୍ମାହାତ୍ମ୍ୟଂ ତେନାସୌ ଶ୍ରବଣ ମତଃ ।।
ଅର୍ଥାତ୍ ବାର ମାସ ମଧ୍ୟରେ ଶ୍ରାବଣ ମାସ ମୋର ସବୁଠାରୁ ପ୍ରିୟ ଅଟେ। ଏହି ମାସର ଶ୍ରବଣ ଯୋଗ୍ୟ ମହିମା ଏବଂ ଶ୍ରବଣା ନକ୍ଷତ୍ର ସହିତ ଏହାର ସମ୍ବନ୍ଧ ଯୋଗୁଁ ଏହାକୁ ‘ଶ୍ରାବଣ’ କୁହାଯାଏ। ଉକ୍ତ ମାସରେ ଭଗବାନ ଶିବଙ୍କ ଯେଉଁ ଅନନ୍ୟ ସ୍ଵରୂପ ରହିଛି, ଯାହାଙ୍କୁ ଶିବଲିଙ୍ଗ ରୂପେ ପୂଜିତ କରାଯାଏ। ଯାହାର ପାଞ୍ଚ ଗୋଟି ମୁଖ ରହିଛି ଯଥା:- ସଦ୍ୟୋଜାତ, ବାମଦେବ, ଅଘୋର, ତତ୍ପୁରୁଷ ଏବଂ ଈଶାନ । ଏଣୁ ଏହାଙ୍କୁ ପଞ୍ଚାନନ ଅଭିହିତ କରାଯାଇଛି। ଯାହା ମହାଦେବଙ୍କ ପାର୍ଥିବ ସ୍ୱରୂପ ଅଟେ।
ଜ୍ୟୋତିଷ ଶାସ୍ତ୍ର ମତ ଅନୁଯାୟୀ, ଶ୍ରବଣା ନକ୍ଷତ୍ର ନାମରେ ଶ୍ରାବଣ ମାସ ନାମିତ ହୋଇଛି । ଏହି ପବିତ୍ର ମାସର ଧାର୍ମିକ ଓ ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ଆଶୁତୋଷ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି । ପୁରାଣରେ ବର୍ଣ୍ଣିତ ରହିଛି ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ। ଏହା ମଧ୍ୟ ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକକୁ ଭ୍ରମଣ କରିବାକୁ ଆସିଥାନ୍ତି। ଏଣୁ ଶ୍ରାବଣ ମାସର କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରାବଣ ମାହାତ୍ମ୍ୟ ପଠନ କରାଯାଇଥାଏ। ଏ ମାସର ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ ଜଳ ଅର୍ପଣ କଲେ, ସେ ସନ୍ତୁଷ୍ଟ ହୁଅନ୍ତି। କାରଣ ସମସ୍ତ ଉପଚାରମାନଙ୍କ ମଧ୍ୟରେ ଶିବଙ୍କ ଅତୀବ ପ୍ରିୟ ଜଳ। ଏଣୁ ଶାସ୍ତ୍ରରେ କୁହାଯାଇଛି ଯେ ” ଶିବ ଜଳଧାରା ପ୍ରିୟଃ”। ସେ’ପରି ପୁରାଣରେ ବର୍ଣ୍ଣନା ରହିଛି ଯେ , ଯେତେବେଳେ ଦେବତା ଓ ଦାନବମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ କରାଯାଇଥିଲା ; ସେତେବେଳେ ପ୍ରଥମେ ହଳା ହଳ ନାମକ ଏକ ଭୟଙ୍କର ଗରଳ ଓ ଅମୃତ ଦ୍ବୟ ଶ୍ରାବଣ ମାସ ଅମାବାସ୍ୟା ଦିନ ଉତ୍ପନ୍ନ ହୋଇଥିଲା। ସେହି ବିଷ ପ୍ରଭାବରେ ସମଗ୍ର ସଂସାରର ପ୍ରାଣୀମାନେ ଅଚେତନ ହୋଇଗଲେ। ଏହି ଘୋର ବିପଦରୁ ଉଦ୍ଧାର କରିବା ପାଇଁ ଦେବତାମାନେ ଦେବ ଦେବ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ। ସେହି ପ୍ରାର୍ଥନା ସ୍ୱରୂପ ଅନୁରୋଧକୁ ରକ୍ଷାକରି , ମହାଦେବ ଉକ୍ତ ବିଷକୁ ପାନ କରିଦେଇଥିଲେ । ଯାହା ଫଳରେ ଶିବଙ୍କ କଣ୍ଠଦେଶ ନୀଳବର୍ଣ୍ଣ ହୋଇଯାଇଥିଲା । ସେହି ବିଷଜ୍ୱାଳାକୁ ଲାଘବ କରିବା ଉଦ୍ଦେଶ୍ୟରେ ଦେବଗଣ ମହାଦେବଙ୍କ ମସ୍ତକରେ ସୁବାସିତ ଗଙ୍ଗା ଜଳ ଢାଳିଥିଲେ। ସେ’ପରି ଶିବଙ୍କ ପରମ ଭକ୍ତ ଲଙ୍କାପତି ରାବଣ ନୀଳକଣ୍ଠଙ୍କ ଗରଳ ଜ୍ୱାଳକୁ ପ୍ରଶମିତ କରିବା ପାଇଁ , ହିମାଳୟରୁ ପବିତ୍ର ଗଙ୍ଗା ଜଳ ଆଣି ଭୋଳାନାଥଙ୍କୁ ଅର୍ପଣ କରିଥିଲେ । ଅତଃ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। ଭଗବାନ ପର୍ଶୁରାମ ପ୍ରଥମେ କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ ବୋଲି ଦେଖିବାକୁ ମିଳେ। ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ନିକଟସ୍ଥ ମହାଦେବ ମନ୍ଦିରରେ ଜଳ ଅର୍ପଣ କରିବା ପାଇଁ ଗର୍ଭମୁକ୍ତେଶ୍ୱରରୁ ଗଙ୍ଗା ଜଳ ଆଣିଥିଲେ।
ବହୁ ପୁରାତନ କାଳରୁ ଶିବ ଭକ୍ତମାନେ ନିଜ ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାନ୍ତି। କଥିତ ଅଛି ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇ ନଥା’ନ୍ତି ଜଳାଭିଷେକ ଦ୍ୱାରା ତାଠାରୁ ବେଶି ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଆଜି ମଧ୍ୟ ଶ୍ରାବଣ ମାସରେ ଭାରତ ଓ ନେପାଳର ଲକ୍ଷ ଲକ୍ଷ ଭକ୍ତ ଜଳଧାରା ଧରି ଯାତ୍ରା କରି ଆସୁଛନ୍ତି । ରାସ୍ତାରେ ଚାଲିବା ବେଳେ ପଥ ଲାଘବ ପାଇଁ କାଉଡ଼ିଆମାନେ ବୋଲ ବମ – ବୋଲ ବମ କହିଥାନ୍ତି।
ବୋଲ ବମ ଯାତ୍ରାରେ ଭାଗନେଉଥିବା ଭକ୍ତମାନଙ୍କୁ ‘କାଉଡ଼ିଆ’ କୁହାଯାଏ । ଏହି କାଉଡ଼ିଆ ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ ପୂର୍ବକ କାନ୍ଧରେ କଳସୀ ଭାର ଧରି ନିଷ୍ଠାର ସହିତ ସଂପୂର୍ଣ୍ଣ ପଥ ଖୋଲା ପାଦରେ ଅତିକ୍ରମ କରିଥାନ୍ତି । କେହି କେହି ଗୋମୁଖ ଓ ଗଙ୍ଗୋତ୍ରୀରୁ ଗଙ୍ଗା ଜଳ ଆଣିଥିବା ବେଳେ ଅନ୍ୟମାନେ ସ୍ଥାନୀୟ ପାବନ ଶିବ ମନ୍ଦିର ନିକଟସ୍ଥ ପବିତ୍ର ନଦୀ ପାଖରୁ ଜଳ ଆଣିଥାନ୍ତି। ଆମ ଓଡିଶାର ଅଧିକାଂଶ ଭକ୍ତ କଟକ ସ୍ଥିତ ମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଢ଼ାଳିଥାନ୍ତି । ସେ’ପରି ଗଞ୍ଜାମ ଜିଲ୍ଲା ପବିତ୍ରା ଋଷିକୂଲ୍ୟା ନଦୀରୁ ଜଳ ନେଇ ଅନେକ ଶିବାଳୟକୁ ଯାଇଥାନ୍ତି। ଏହା ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନ ଯଥା, ପୁରୀର ଲୋକନାଥ ମନ୍ଦିରରେ, ଆଖଣ୍ଡଳମଣି ମନ୍ଦିରରେ, ଢେଙ୍କାନାଳର କପିଳାସ ଶିବ ମନ୍ଦିର ଆଦିରେ ମଧ୍ୟ ଭକ୍ତମାନେ ପାଣି ଢାଳନ୍ତି । ଏହି ଧାର୍ମିକ ଯାତ୍ରାରେ ଆଜିକାଲି ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଉଛନ୍ତି। ଯାତ୍ରା ସମୟରେ ‘କାଉଡ଼ିଆ’ମାନଙ୍କର ସେବା ଶୁଶ୍ରୂଷା ତଥା ଯାତ୍ରାଦି କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡ଼ରେ ବିଶ୍ରାମ ଓ ଜଳଯୋଗର ବ୍ୟବସ୍ଥା କରିଥାନ୍ତି ।
ଶ୍ରାବଣ ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭକ୍ତି ସହକାରେ ପୂଜାକଲେ, ପୂଜାର ଫଳ ହଜାର ଗୁଣ ମିଳିଵା ସହ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ମିଳିଥାଏ। ଏହି ମାସରେ ପ୍ରକୃତିର ନୂତନ ପରିବର୍ତ୍ତନ ହୋଇଥାଏ। ଜୀବଜନ୍ତୁ ଠାରୁ ଆରମ୍ଭ କରି ତରୁଲତାମାନ ପ୍ରସନ୍ନ ହୋଇଥାନ୍ତି। ଏ ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ କବି ହେମନ୍ତ କୁମାର ଗନ୍ତାୟତ ଲେଖିଛନ୍ତି: –
ତରୁ ଲତାମାନ କଲେ ଗୁଣଗାନ
ଧନ୍ୟ ଧନ୍ୟ ହେ ଶ୍ରାବଣ !
ସଭିଙ୍କୁ ତୋଷିଲ ମାନସ ମୋହିଲ
ତୁମେ ମରତର ପ୍ରାଣ।।
ଆମ ପ୍ରକୃତି ଓ ପରିବେଶକୁ ଶୁଦ୍ଧ ରଖିବା ଆମର ପରମ କର୍ତ୍ତବ୍ୟ।ଏଣୁ ଆମେ ସମସ୍ତେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଆବଶ୍ୟକ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


