ଫୁଲଚାଷ ଦେଖିଲେ ଉଦ୍ୟୋଗ ବିଭାଗର ଶାସନ ସଚିବ
ଛତ୍ରପୁର : ରାଜ୍ୟ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ବିଜୟ ଅରୋରା ବୁଧବାର ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମରେ ୫ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ୧୨ ଶହ ବର୍ଗମିଟର ଅଞ୍ଚଳରେ ଗୋଲାପ,ଜାର୍ବେରା ଓ ଅର୍କିଡ ଭଳି ଦାମୀ ଫୁଲ ଚାଷ କରୁଛନ୍ତି । ଉଦ୍ୟାନ ବିଭାଗ ଓ ଓଡିଶା ଜୀବିକା ମିସନ୍ର ସହଯୋଗରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ମିଳିତ ଭାବେ ଏହି ଦାମି ଫୁଲଚାଷ କରୁଥିବା ବେଳେ ପରିଦର୍ଶନ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟମକୁ ଶାସନ ସଚିବ ଶ୍ରୀ ଆରୋରା ପ୍ରଶଂସା କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀମାନେ କିଭଳି ଆହୁରୀ ଅଧିକା ଜାଗାରେ ଅନ୍ୟାନ୍ୟ ଜାତୀୟ ଫୁଲଚାଷ କରିବେ ସେଥିପ୍ରତି ପଦକ୍ଷେପ ନେବାକୁ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଯାହା ସହଯୋଗ ଦରକାର ମୁଁ ସେ ଦିଗରେ ପଦକ୍ଷେପ ନେବି ବୋଲି ସଚିବ କହିଥିଲେ । ଗଲାବର୍ଷ ମଇମାସ ଠାରୁ ଆରମ୍ଭ ହୋଇଥିବା ଏହି ଫୁଲଚାଷ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆଜି ସୁଦ୍ଧା ୬୦ ହଜାର ଟଙ୍କା ଗୋଲାପ ଫୁଲ, ୪୫ ହଜାର ଟଙ୍କାର ଜାର୍ବେରା ଫୁଲ ବିକ୍ରି କରିଛନ୍ତି ବୋଲି ମହିଳା ସଂଘମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରମୁଖ ଶାସନ ସଚିବଙ୍କ ପରିଦର୍ଶନ ବେଳେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) କୃଷ୍ଣଚନ୍ଦ୍ର ପଣ୍ଡା, ସହକାରୀ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ମନୋଜ କୁମାର ବେହେରା, ଛତ୍ରପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଜଂନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା ଓ ଚନ୍ଦ୍ର ଶେଖର ଷଡଙ୍ଗୀ, ଓଡିଶା ଜୀବିକା ମିସନ୍ର ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ନବୀନ ସେନାପତି ଓ ବ୍ଲକ ପ୍ରୋଗ୍ରାମ ଅଧିକାରୀ ମାନିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


