ଫୁଲବାଣୀରେ ରାତ୍ରୀକାଳୀନ ଚୋରିବୃଦ୍ଧି ପାଉଛି କଡାକଡ଼ି ପାଟ୍ରୋଲିଂ କରିବାକୁ ଦାବୀ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କୋଭିଡ଼୍ କଟକଣା ଯେଭଳି ଭାବେ କଡ଼ା ହେଉଛି ସେଭଳି ଭାବେ ଫୁଲବାଣୀ ସହରରେ ରାତ୍ର ଚୋର ମାନଙ୍କର ଆତଙ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫୁଲବାଣୀରେ ପୁଲିସ ଆଖିରେ ଧୁଳିଦେଇ କିଛି ଲୁଟେରା ଓ ଅସାମାଜିକ ଯୁବକମାନେ ସଂଘ ବଦ୍ଧ ଭାବରେ ଓ ଯୋଜନା ବଦ୍ଧ ଭାବରେ ଫୁଲବାଣୀ ସହରରେ ଚୋରୀ କରିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ରାତିରେ ବାହାରୁଛନ୍ତି ଚୋରୀ କରିବାକୁ। କରୋନା ଯୋଗୁଁ ଲୋକେ ବିଭିନ୍ନ ସ୍ଥାନରେ କ୍ୱାରେଣ୍ୱାଇନରେ ଫସିଯାଇଥିବାରୁ ସେମାନଙ୍କର ଘରେ ତାଲା ପଡିଥିବା ସୁଯୋଗରେ ଏହି ଚୋରଦଳ ପୂର୍ବରୁ ସେହି ଘରକୁ ଟାର୍ଗେଟ କରି ରାତିରେ ଲୁଟ୍ କରିବାର ଯୋଜନା କରୁଛନ୍ତି। ସେହିପରି ବୁଧବାର ଫୁଲବାଣୀ ସହରର କଣ୍ଟ୍ରାକ୍ଟରପଡା ଅଂଚଳରେ ଥିବା ନିରଞ୍ଜନ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ରାତି ପ୍ରାୟ ତିନିଟା ବେଳେ ୪ ଜଣ ଚୋର ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ନିରଞ୍ଜନ କୁକୁରଙ୍କ ଶବ୍ଦ ଶୁଣି ନିଦରୁ ଉଠି ବାହାରକୁ ଆସିବା ପରେ ସେଠାରେ ୪ ଜଣ ଚୋରଙ୍କୁ ଜଣଙ୍କ ଘରେ ତାଲା ଭାଙ୍ଗିାବକୁ ଉଦ୍ୟମ କରୁଥିବା ଦେଖି ସେମାନଙ୍କୁ ଅଟକାଇଥିଲେ। ଚୋରମାନେ ନିରଞ୍ଜନଙ୍କ ଉପରେ ଛୁରୀ, ଲୁହାଛଡ ଓ ଠେଙ୍ଗା ଭଳି ମାରଣାସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ନିରଞ୍ଜନ ସେମାନଙ୍କର ବିରୋଧ କରିବା ସହିତ ପାଟି କରିବାରୁ ସାହିପଡୋଶୀ ମାନେ ଉଠି ଆସିବାରୁ ଚୋର ମାନେ ସେଠାରୁ ପଳାଇ ଯାଇଥିଲେ। ପରେ ନିରଞ୍ଜନ ପୁଲିସକୁ ଖବର ଦେବାକୁ ୧୦୦ ନମ୍ବରରେ ଫୋନ କରିଥିଲେ ମଧ୍ୟ କେହି ଫୁଲବାଣୀ ଟାଉନ ଥାନାରେ କେହି ଫୋନ ଉଠାଇନଥିଲେ। ଫଳରେ ନିରଞ୍ଜନ ବାଧ୍ୟ ହୋଇ ରାତି ଅଧରେ ମଧ୍ୟ ଘରୁ ଥାନାକୁ ଆସିଥିଲେ ହେଲେ ଥାନାର ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖି ପୁଣି ଘରକୁ ଫେରିବାବେଳେ ବାଟରେ ପୁଲିସ ପାଟ୍ରୋଲିଂ ଗାଡିକୁ ଦେଖି ଘଟଣା ବିଷୟରେ କହିବା ପରେ ପୁଲିସ ଗାଡି ଚୋର ମାନଙ୍କୁ ଖୋଜିବାରେ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ପାଇନଥିଲା। ଫଳରେ ନିରଞ୍ଜନ ପାଣ୍ଡେ ଥାନାରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲେ ଏଥିରେ ସେ ଚୋର ମାନଙ୍କ ସହିତ ଧସ୍ତାଧସ୍ତିବେଳେ ଜଣଙ୍କୁ ଚିହ୍ନି ପାରିଛନ୍ତି ଏବଂ ତାର ନାମ ରାଜା ରଣା (୨୨) ବୋଲି ମଧ୍ୟ ପୋଲିସକୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ପୋଲିସ ଏକ ମାମଲା ୧୧୯/୨୦ ରୁଜ୍ଜୁ କରିବା ସହିତ ନିରଞ୍ଜନ ପାଣ୍ଡେଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇବା ସହିତ ଚୋର ମାନଙ୍କୁ ଖୋଜାଖୋଜି କରୁଥିବା ଜଣାପଡିଛି। ତେବେ ଏହି ଅଳ୍ପ ଦିନ ଭିତରେ ଫୁଲବାଣୀ ସହରର ବିଭିନ୍ନ ସାହି ଓ ଦୋକାନବଜାର ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କର ଘର ଭାଙ୍ଗି ଚୋରମାନେ ଚୋରି କରିଥିବା ନେଇ ଥାନାରେ ତୁହାକୁ ତୁହା ଏତଲା ଦିଆଯାଇଛି। ହେଲେ ପୋଲିସ ବର୍ତମାନ ସୁଦ୍ଧା କାହାକୁ ଧରିବାରେ ସଫଳ ହୋଇନଥିବାରୁ ସହର ବାସୀ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଛନ୍ତି।


