ଫେବୃୟାରୀ ୬ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଚକାଜାମ ଆନ୍ଦୋଳନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ଫେବୃୟାରୀ ୬ ତାରିଖରେ ଚକାଜାମ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହୂତ ଡ଼ାକରାକୁ ସାରା ଓଡ଼ିଶାରେ ସଂଗଠିତ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ତରଫରୁ କୁହାଯାଇଛି ଯେ, ଦିଲ୍ଲୀଚଲୋ କୃଷକ ଆନ୍ଦୋଳନ ସଂଗଠିତ ହେବାର ୭୩ ଦିନ ବିତିଯାଥିଲେ ସୁଦ୍ଧା କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ମୋଦି ସରକାର ନୀରବଦ୍ରଷ୍ଟା ସାଜିବା ଯୋଗୁଁ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେଇଛି । ମୋଦି ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ରାସ୍ତା ଉପରେ କଙ୍କ୍ରିଟ ବ୍ୟାରିକେଡ ଏବଂ କଣ୍ଟାବାଡ଼ ଭଳି ଅତ୍ୟନ୍ତ ବର୍ବର ଏବଂ ଅମାନୁଷିକ ପଦକ୍ଷେପ ଗ୍ରହଣ କରିବା ଭାରତର ଇତିହାସରେ କେବେ ଦେଖାଯାଇନଥିଲା । ଦେଶ ଦେଶ ମଧ୍ୟରେ ଥିବା ସୀମାନ୍ତରେ ମଧ୍ୟ ଏଭଳି ଚିତ୍ର ଅଦ୍ୟାବଧି ନାହିଁ । ଦେଶର ଅନ୍ନଦାତା କୃଷକମାନଙ୍କ ବିରୋଧରେ ମୋଦି ସରକାର ଶତ୍ରୁ ଭଳି ଯୁଦ୍ଧଘୋଷଣା କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଏହିଭଳି ଅଗଣତାନ୍ତ୍ରିକ ଦମନ ପ୍ରକ୍ରିୟାକୁ ତୀବ୍ରତର ନିନ୍ଦା ଏବଂ ପ୍ରତିବାଦ ଜଣାଇଛି । କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କରିବା ଏବଂ ସମସ୍ତ କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ଦାବିରେ ଫେବୃୟାରୀ ୬ ତାରିଖ ଦିନ ଦେଶତମାମ ଚକାଜାମ / ରାସ୍ତାରୋକ ଆନ୍ଦୋଳନ ସଂଗଠିତ କରିବା ସହିତ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଓଡ଼ିଶାର ସାଧାରଣ ଜନତା, କୃଷକ ଏବଂ ଶ୍ରମିକ ବହୁ ସଂଖ୍ୟାରେ ଅନ୍ନଦାତାମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହେବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡ଼ିଶା ରାଜ୍ୟ ଆବାହକ ମଣ୍ଡଳୀ ତରଫରୁ ଏକ ମିଳିତ ବିବୃତ୍ତିରେ ନିବେଦନ କରାଯାଇଛି । ଗତକାଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଅନୁଷ୍ଠିତ ବୈଠକରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ମହିଳା କୃଷକନେତ୍ରୀ ପ୍ରମୋଦିନୀ ସାହୁ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ କୁମାର ସିଂଦେଓ, ସଭାପତି ଶଶିଭୂଷଣ ସ୍ୱାଇଁ, ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନ, କୃଷକ ନେତା କିଷନ ପଟ୍ଟନାୟକ, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, ଅଖିଳ ଭାରତ କିଷାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଏନ୍‌ଏପିଏମ୍‌ର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଇନ୍‌ସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ରାଜ୍ୟ ଆବାହକ ଲିଙ୍ଗରାଜ, ଏଆଇକେକେଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ବିଶିଷ୍ଟ ସାମାଜିକ କର୍ମୀ ଦେବପ୍ରସାଦ ରାୟ, ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ରାଜ୍ୟ ଆବାହକ ସଚିନ ମହାପାତ୍ର, ରୁଷିକୁଲ୍ୟା ରୟତ ମହାସଂଘର ରାଜ୍ୟ ସମ୍ପାଦକ ସୀମାଞ୍ଚଳ ନାହାକ, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ବିଜୟ ସ୍ୱାଇଁ, ଚାଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦର ବଳଭଦ୍ର ମାଝୀ ଏବଂ ଗୋପବନ୍ଧୁ କୃଷକ ସଂଘର ବିରଞ୍ôଚ ବରିହା ପ୍ରମୁଖ ଯୋଗ ଦେଇ ଏକ ମିିଳିତ ପ୍ରେସ୍ ବିବୃତ୍ତିରେ ଏହା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ