ଫ୍ରାନ୍ସ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
ସର୍ବପ୍ରଥମେ ମୁଁ ନିଜର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ମାକ୍ରୋଁଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ସେ ଏହି ଐତିହାସିକ ସ୍ଥଳରେ ମୋ ପ୍ରତିନିଧିଦଳର ଏବଂ ମୋର ଅତ୍ୟନ୍ତ ଭବ୍ୟ ତଥା ଅତ୍ୟନ୍ତ ସ୍ନେହପୂର୍ବକ ସ୍ୱାଗତ କଲେ । ଏହା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ । ଜି-୭ ଶିଖର ସମ୍ମିଳନୀ ଲାଗି ରାଷ୍ଟ୍ରପତି ମାକ୍ରୋଁଙ୍କ ଆମନ୍ତ୍ରଣ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ସମ୍ପର୍କ ଏବଂ ମୋ ପ୍ରତି ତାଙ୍କ ମୈତ୍ରୀଭାବର ଏକ ଉଦାହରଣ । ଆଜି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କଲୁ ଏବଂ ଜି-୭ର ଯେଉଁ ଏଜେଣ୍ଡା ରହିଛି, ଯାହାର ନେତୃତ୍ୱ ଫ୍ରାନ୍ସ ନେଉଛି ସେଥିରେ ସମ୍ପୂର୍ଣ୍ଣ ସଫଳତା ମିଳୁ ଏବଂ ଭାରତ ଠାରୁ ଯେଉଁ ସହଯୋଗ ଆଶା କରାଯାଉଛି ସେହି ସହଯୋଗ ସମ୍ପୂର୍ଣ୍ଣ ଭାବେ ଆପଣମାନଙ୍କୁ ମିଳୁ, ଏହା ହିଁ ସବୁବେଳେ ଭାରତର ସଂକଳ୍ପ ରହିବ । ଜୈବ ବିବିଧତା ହେଉ, ଜଳବାୟୁ ପରିବର୍ତନ ହେଉ, କୁଲିଂ ଏବଂ ଗ୍ୟାସର ପ୍ରସଙ୍ଗ ହେଉ, ଏ ସମସ୍ତ ବିଷୟ ଉପରେ ଭାରତ ଶହ ଶହ ବର୍ଷ ଧରି ପରମ୍ପରା, ସଂସ୍କୃତି, ସଂସ୍କାର ଜରିଆରେ ପ୍ରକୃତି ସହିତ ତାଳମେଳ ରକ୍ଷା କରି ଜୀବନ ନିର୍ବାହ କରିବାକୁ ସମର୍ଥନ କରିଆସିଛି । ପ୍ରକୃତିର ବିନାଶ କେବେହେଲେ ମାନବ ସମାଜ ଲାଗି ଉପକାରୀ ହେବ ନାହିଁ । ତେଣୁ ଏହି ବିଷୟ ଚଳିତ ଜି-୭ ଶିଖର ସମ୍ମିଳନୀରେ ଆଗତ କରାଯାଇଥିବାରୁ ଭାରତ ପାଇଁ ଏହା ଆହୁରି ଖୁସିର ବିଷୟ ।\nବନ୍ଧୁଗଣ,\nଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ଆମର ବନ୍ଧୁତା କୌଣସି ସ୍ୱାର୍ଥକୁ ନେଇ ନୁହେଁ ବରଂ ‘ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱଭାବ’ର ଦୃଢ଼ ଆଦର୍ଶ ଉପରେ ପର୍ଯ୍ୟବସିତ । ଏହି କାରଣରୁ ଭାରତ ଏବଂ ଫ୍ରାନ୍ସ କାନ୍ଧରେ କାନ୍ଧ ମିଶାଇ ସ୍ୱାଧୀନତା ଏବଂ ଗଣତନ୍ତ୍ର ରକ୍ଷା କରିଛନ୍ତି, ଫାସୀବାଦ ଏବଂ ଉଗ୍ରବାଦର ମୁକାବିଲା କରିଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସୈନିକଙ୍କ ବଳିଦାନ ଆଜି ମଧ୍ୟ ଫ୍ରାନ୍ସରେ ସ୍ମରଣ କରାଯାଇଥାଏ । ଆଜି ଆତଙ୍କବାଦ, ଜଳବାୟୁ ପରିବର୍ତନ, ପରିବେଶ ଏବଂ ପ୍ରଯୁକ୍ତିର ସମାବେଶୀ ବିକାଶ ଆହ୍ୱାନର ମୁକାବିଲା କରିବା ଲାଗି ଫ୍ରାନ୍ସ ଓ ଭାରତ ମିଳିତ ହୋଇ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଆମ ଦୁଇ ଦେଶ କେବଳ ଭଲ ଭଲ କଥା କହିନାହୁଁ, ଦୃଢ଼ ପଦକ୍ଷେପ ମଧ୍ୟ ନେଇଛୁ । ଅର୍ନ୍ତଜାତୀୟ ସୌର ମେଂଟ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏପରି ଏକ ସଫଳ ପ୍ରୟାସ ।\nବନ୍ଧୁଗଣ,\nଦୁଇ ଦଶନ୍ଧି ଧରି ଆମେ ରଣନୈତିକ ଭାଗିଦାରୀ ମାର୍ଗରେ ଚାଲିଛୁ । ଆଜି ଫ୍ରାନ୍ସ ଓ ଭାରତ ପରସ୍ପରର ଭରସାଯୋଗ୍ୟ ସହଭାଗୀ । ଆମର କଠିନ ସମୟରେ ଆମେ ପାରସ୍ପରିକ ଦୃଷ୍ଟିକୋଣକୁ ବୁଝିଛୁ ଏବଂ ପରସ୍ପର ସହ ଛିଡ଼ା ହୋଇଛୁ ।\nବନ୍ଧୁଗଣ,\nରାଷ୍ଟ୍ରପତି ମାକ୍ରୋଁ ଏବଂ ମୁଁ ଆଜି ଆମ ସମ୍ପର୍କର ସମସ୍ତ ପକ୍ଷ ଉପରେ ବିସ୍ତୃତ ଭାବେ ଆଲୋଚନା କଲୁ । ୨୦୨୨ରେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେବ, ସେତେବେଳ ସୁଦ୍ଧା ଆମେ ନ୍ୟୁ ଇଣ୍ଡିଆ ପାଇଁ ଅନେକଗୁଡ଼ିଏ ଲକ୍ଷ୍ୟ ରଖିଛୁ । ଆମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଭାରତକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା । ବିକାଶ ଲାଗି ଭାରତର ଆବଶ୍ୟକତାରେ ଫରାସୀ ଉଦ୍ୟୋଗ ପାଇଁ ସ୍ୱର୍ଣ୍ଣିମ ସୁଯୋଗ ରହିଛି । ଆମର ଆର୍ଥିକ ସହଯୋଗ ବଢ଼ାଇବା ଲାଗି ଆମେ ଦକ୍ଷତା ବିକାଶ, ବେସାମରିକ ବିମାନ ଚଳାଚଳ, ଆଇଟି, ମହାକାଶ ଏବଂ ଅନ୍ୟ ଅନେକଗୁଡ଼ିଏ କ୍ଷେତ୍ରରେ ନୂଆ ପ୍ରୟାସ ଲାଗି ତତ୍ପର ଅଛୁ । ପ୍ରତିରକ୍ଷା ସହଯୋଗ ଆମ ସମ୍ପର୍କର ଏକ ସୁଦୃଢ଼ ସ୍ତମ୍ଭ । ମୁଁ ଆନନ୍ଦିତ ଯେ ବିଭିନ୍ନ ପ୍ରକଳ୍ପ ଉପରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିସାରିଛୁ । ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମଟି ଆସନ୍ତା ମାସ ଭାରତକୁ ଦିଆଯିବ । ଆମେ ପ୍ରଯୁକ୍ତି ଏବଂ ସହ-ଉତ୍ପାଦନରେ ସହଯୋଗ ବୃଦ୍ଧି କରିବୁ । ଫ୍ରାନ୍ସ ପ୍ରଥମ ଦେଶ ଯାହା ସହିତ ଆମେ ନୂଆ ପିଢ଼ିର ବେସାମରିକ ଆଣବିକ ଚୁକ୍ତି ସ୍ୱାକ୍ଷର କରିଛୁ । ଆମେ ଆମ କମ୍ପାନୀଗୁଡ଼ିକୁ ଅନୁରୋଧ କରିଛୁ ଯେ ସେମାନେ ଜୈ÷ତାପୁର ପ୍ରକଳ୍ପ ଦିଗରେ ଆଗକୁ ବଢ଼ିବେ ଏବଂ ବିଦ୍ୟୁତର ମୂଲ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବେ । ଏହା ମଧ୍ୟ ଖୁସିର କଥା ଯେ ଦୁଇ ପକ୍ଷରୁ ପର୍ଯ୍ୟଟନ ବୃଦ୍ଧି ପାଉଛି । ପାଖାପାଖି ୨.୫ ଲକ୍ଷ ଫ୍ରାନ୍ସ ପର୍ଯ୍ୟଟକ ଏବଂ ୭ ଲକ୍ଷ ଭାରତୀୟ ପର୍ଯ୍ୟଟକ ପ୍ରତ୍ୟେକ ବର୍ଷ ପରସ୍ପରର ଦେଶକୁ ଯାଉଛନ୍ତି । ଛାତ୍ରଛାତ୍ରୀଙ୍କ ବିନିମୟକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବା ଉଚିତ । ୨୦୨୧-୨୦୨୨ରେ ସାରା ଫ୍ରାନ୍ସରେ ଭାରତୀୟ ସାଂସ୍କୃତିକ ପର୍ବ “ନମସ୍ତେ ଫ୍ରାନ୍ସ”ର ପରବର୍ତୀ ସଂସ୍କରଣ ଅନୁଷ୍ଠିତ ହେବ । ମୁଁ ଆଶା କରୁଛି ଯେ ଏହି ପର୍ବ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ପ୍ରତି ଫ୍ରାନ୍ସର ଲୋକମାନଙ୍କ ମନରେ ଆହୁରି ଆଗ୍ରହ ବୃଦ୍ଧି କରିବ । ମୁଁ ଜାଣିଛି ଯେ ଯୋଗ ଫ୍ରାନ୍ସରେ ଖୁବ ଲୋକପ୍ରିୟ । ମୁଁ ଆଶା କରୁଛି ଯେ ଫ୍ରାନ୍ସରେ ମୋର ଆହୁରି କିଛି ବନ୍ଧୁ ଏହାକୁ ସୁସ୍ଥ ଜୀବନଶୈଳୀ ଭାବେ ଆପଣାଇବେ ।\nମୁଁ ବୈଶ୍ୱିକ ଆହ୍ୱାନ ଲାଗି ଭାରତ ଓ ଫ୍ରାନ୍ସର ସହଯୋଗର ଗୁରୁତ୍ୱ ଦିଗରେ ଇସାରା ଦେଇଥିଲି । ଆମ ଦୁଇ ଦେଶକୁ ଆତଙ୍କବାଦ ଏବଂ ଉଗ୍ରବାଦର ଲଗାତାର ସାମ୍ନା କରିବାକୁ ପଡ଼ୁଛି । ସୀମାବର୍ତୀ ଆତଙ୍କବାଦର ମୁକାବିଲା କରିବାରେ ଆମକୁ ଫ୍ରାନ୍ସର ମହୁମୂଲ୍ୟ ସମର୍ଥନ ଏବଂ ସହଯୋଗ ମିଳିଛି । ଏଥିପାଇଁ ଆମେ ରାଷ୍ଟ୍ରପତି ମାକ୍ରୋଁଙ୍କୁ ଧନ୍ୟବାଦ ଦେଉଛୁ । ଆମେ ସୁରକ୍ଷା ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ଲାଗି ଉଦ୍ଦେଶ୍ୟ ବ୍ୟକ୍ତ କରିଛୁ । ସାମୁଦ୍ରିକ ଏବଂ ସାଇବର ସୁରକ୍ଷାରେ ମଧ୍ୟ ଆମର ବୃଦ୍ଧି ପାଉଥିବା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ନିଷ୍ପତି ଆମେ ନେଇଛୁ । ମୁଁ ଖୁସି ଯେ ସାଇବର ସୁରକ୍ଷା ଏବଂ ଡିଜିଟାଲ ପ୍ରଯୁକ୍ତି ସମ୍ପର୍କରେ ଏକ ନୂଆ କାର୍ଯ୍ୟଖସଡ଼ା ଉପରେ ଆମେ ସହମତ ହୋଇଛୁ । ଭାରତ ମହାସାଗର କ୍ଷେତ୍ରରେ ଆମର କାର୍ଯ୍ୟକଳାପ ସହଯୋଗ ଆହୁରି ଆଗକୁ ବଢ଼ୁଛି । ଏହି କ୍ଷେତ୍ରରେ ସୁରକ୍ଷା ଏବଂ ସମସ୍ତଙ୍କ ଲାଗି ଅଗ୍ରଗତି ସୁନିଶ୍ଚିତ କରିବାରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ।\nବନ୍ଧୁଗଣ,\nମୁଁ ନିଜ ଅଭିନ୍ନ ବନ୍ଧୁ ରାଷ୍ଟ୍ରପତି ମାକ୍ରୋଁଙ୍କୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଏକ ନୂଆ ସଂକଳ୍ପ, ଉତ୍ସାହ ଏବଂ କୌଶଳ ସହ ଫ୍ରାନ୍ସ ଏବଂ ଜି-୭ର ନେତୃତ୍ୱ ଲାଗି ଶୁଭକାମନା ଜଣାଉଛି ।\nମହାମହିମ,\nଏହି ପ୍ରୟାସରେ ୧୩୦ କୋଟି ଭାରତୀୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ଆପଣଙ୍କ ସହିତ ରହିଛି । ଆମେ ଦୁଇ ଦେଶ ମିଶି, ସୁରକ୍ଷିତ ଏବଂ ସମୃଦ୍ଧ ବିଶ୍ୱର ମାର୍ଗ ପ୍ରଶସ୍ତ କରିପାରିବା । ବିଆରିଜରେ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ମୁଁ ଉତ୍ସୁକ ଏବଂ ଏହି ଶିଖର ସମ୍ମିଳନୀର ସଫଳତା ପାଇଁ ଆପଣଙ୍କୁ ଏବଂ ସମ୍ପୂର୍ଣ୍ଣ ଫ୍ରାନ୍ସକୁ ଅନେକ ଅନେକ ଶୁଭକାମନା ଜଣାଉଛି । ଆପଣଙ୍କ ସ୍ନେହପୂର୍ଣ୍ଣ ନିମନ୍ତ୍ରଣ ଲାଗି ମୁଁ ପୁଣିଥରେ ଅନେକ ଅନେକ କୃତଜ୍ଞତା ପ୍ରକଟ କରୁଛି ।\n


